ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରକୁ କଡା ଜବାବ ଦେବା ପାଇଁ ବିଜେପିର ବ୍ୟାପକ ପ୍ରସ୍ତୁତି
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ୧୪ ରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ସମ୍ମୁଖରେ ଘେରାଓ କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୮ ତାରିଖ ଶନିବାର ଭାରତୀୟ ଜନତା ପାର୍ଟି ତରଫରୁ ବାଲେଶ୍ୱର ସଦର ବ୍ଲକ ଘେରାଓ କରାଯିବ । ଏହାର ଅନୁରୂପ ଆଜି ସଦର ବିଜେପି କାର୍ଯ୍ୟାଳୟରେ ବାଲେଶ୍ୱର ସଦର ବିଜେପି ନେତା ମାନସ କୁମାର ଦତ୍ତ ଓ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ବ୍ଲକ ଘେରାଓ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ଦୁର୍ନୀତିର ସୀମା ଲଂଘିଛି । ଆଜି ପଞ୍ଚାୟତରୁ ନେଇ ବ୍ଲକ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ହେଉଛି । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ଆମ ଓଡିଶା ନବୀନ ଓଡିଶାରେ ହେଉଥିବା ସମସ୍ତ କାମରେ ୫୦% ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଆଗରୁ ପଇସା ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟପାଟ କରି ଦଳୀୟ ସ୍ୱାର୍ଥରେ ଲଗାଯାଉଛି । ମାନଦଣ୍ଡ ଆଧାରରେ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପବଦ୍ଧ । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି । ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ରାଜ୍ୟ ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଦେଖିବାକୁ ମିଳୁଛି । ତେଣୁ ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ମନରେଗା ଆଦିରେ ବ୍ୟାପକ ଦୁର୍ନୀତିକୁ ନେଇ ଆସନ୍ତା ୧୮ ନଭେମ୍ବର ଶନିବାର ସଦର ବ୍ଲକ ଘେରାଓ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଉପେନ୍ଦ୍ର ଶତପଥୀ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ତପନ ଗିରି, ଅନୀଲ ପାତ୍ର, ବିଜୟ ଦାସ ଓ ଭୋଳାନାଥ ପାତ୍ର, ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ସରପଞ୍ଚ ରବିନାରାୟଣ ପ୍ରଧାନ, ବନିତା ଭୂୟାଁ, ଜିତେନ ଜେନା, ସମିତିସଭ୍ୟ ରଞ୍ଜନ ପାଣି, ଭୂଦେବ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଶ୍ୟାମସୁନ୍ଦର ମଲ୍ଲିକ, ପିତାମ୍ବର ଭୂୟାଁ, ସୁଶାନ୍ତ ମହାପାତ୍ରଙ୍କ ସହ ସମସ୍ତ ପଞ୍ଚାୟତ ସଭାପତି ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।