ଜିଲ୍ଲା ସ୍ତରୀୟ ସ୍ବଳ୍ପ ସଞ୍ଚୟ ପକ୍ଷ ପାଳିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ସ୍ଥିତ ଜଊଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ସ୍ବଳ୍ପ ସଞ୍ଚୟ ପକ୍ଷ ମଙ୍ଗଳବାର ପାଳିତ ହୋଇଯାଇଛି । ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସ୍ବଳ୍ପ ସଞ୍ଚୟ ପକ୍ଷ ପାଳନ ଅବସରରେ ଆର୍ଥିକ ସ୍ବାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଯୋଗଦାନ କରି ନିଜ ବକ୍ତବ୍ଯରେ ଆମ ସଂସ୍କୃତି ସହିତ ସ୍ବଳ୍ପ ସଞ୍ଚୟ ଅଙ୍ଗାଙ୍ଗୀଭାବେ ଜଡିତ ଥିବା ପ୍ରକାଶ କରିଥିଲେ । ପୂର୍ବେ ପ୍ରତି ଫରେଫରେ ମାଟିରେ ପ୍ରସ୍ତୁତ କୁମ୍ପି ବା ସରାଗାତ ରେ ଖୁଚୁରା ପଇସା ସଞ୍ଚୟ କରିବାର ପ୍ରଥା ପ୍ରଚଳିତ ଥିଲା ।ପିଲା ମାନଙ୍କ ଠାରୁ ବଯସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବଳ୍ପ ସ୍ବଳ୍ପ ପଇସା ସଞ୍ଚୟ କରି ରଖୁଥିଲେ ଏବଂ ଆବଶ୍ୟକ ହେଲେ ସେହି ଜମିତ ବହୁ ଅର୍ଥ ଅନେକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ବ୍ଯବହୃତ ହେଉଥିଲା । ଅର୍ଥାତ୍ ପ୍ରତ୍ଯେକ ମଣିଷଙ୍କ ଧମନୀରେ ସଞ୍ଚୟରକ୍ତ ପ୍ରବାହିତ , ଏହାକୁ ଜାଗ୍ରତ କରି ସ୍ବଳ୍ପ ସଞ୍ଚୟ କରି ରଖିବା ତେବେ ତାହା ଅପରପକ୍ଷେ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିପାରିବ । ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ପାଳିତ ଏହି କାର୍ଯ୍ୟକ୍ରମରେ ସ୍ବଳ୍ପ ସଞ୍ଚୟ ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଧୃବ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଭାପତିତ୍ବ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇଥିଲେ । ୟୁନି୍ନ୍ ବ୍ଯାଙ୍କ ଶାଖା ତଥା ଏଲ୍.ଡି.ଏମ୍. କିଶୋର ଚନ୍ଦ୍ର ନାୟକ ଏବଂ ପୋଷ୍ଟାଲ ବିଭାଗୀୟ ସହକାରୀ ସୁପରିଟେଣ୍ଡେଣ୍ଟ ଏସ୍. ସଞ୍ଜୟ ଦୋରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ସ୍ବଳ୍ପ ସଞ୍ଚୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ନିଜର କଷ୍ଟ ଉପର୍ଜିତ ଅର୍ଥକୁ ବିଭିନ୍ନ ଠକ ସଂସ୍ଥା ଠାରୁ ଦୂରରେ ରହି ନିର୍ଭରଯୋଗ୍ୟ ସରକାରୀ ସଂସ୍ଥାରେ ଜମାକରି ଲାଭବାନ୍ ହେବା ସହିତ ଅର୍ଥ ସଞ୍ଚୟ କରି ନିଶ୍ଚିନ୍ତ ରହିବାକୁ ପ୍ରବର୍ତ୍ତାଇଥିଲେ । ନିର୍ଭରଯୋଗ୍ୟ ସଂସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ପୁଙ୍ଖାନୁପୁଙ୍ଖ ଅବଗତ ହୋଇ ଅର୍ଥ ବିନିଯୋଗ କରିବା ନେଇ ବକ୍ତାଗଣ ଜଣାଇବା ସହିତ ସରକାରୀ ସ୍ତରରେ ସମ୍ପ୍ରତି ଚାଲୁ ରହିଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ । ବର୍ତ୍ତମାନ ଯୁବପିଢୀଙ୍କୁ ସଞ୍ଚୟ ସ୍ବାକ୍ଷରତା କରାଗଲେ ସେମାନେ ସଞ୍ଚୟ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବେ । ସଞ୍ଚୟ ସୃଷ୍ଟି କରିବା ଦିଗରେ ପଦ ମାର୍ଗଦର୍ଶକ ସାଜିବେ ତେବେ ଦେଶ ସ୍ବଳ୍ପ ସଞ୍ଚୟ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବ ଓ ରାଷ୍ଟ୍ରର ଅର୍ଥନୈତିକ ବିକାଶଧାରା ଜାରି ରହିବ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।