ଦିବ୍ୟଜୀବନ ସଙ୍ଘ ପକ୍ଷରୁ ଶିଶୁ ମହୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଶିବାନନ୍ଦ ଆଶ୍ରମ ପରିସରରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. କାଳୀ ପ୍ରସନ୍ନ ଶତପଥୀ, ସମ୍ମାନୀତ ଅତିଥି ଭାବେ ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡଃ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ , ସଦାଶିବ ପଣ୍ଡା, ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରମୂଖ ଯୋଗଦେଇ ଏଭଳି ଶିଶୁ ମହୋତ୍ସବର ଆୟୋଜନ ଦ୍ୱାରା କୁନି କୁନି ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶିବାନନ୍ଦ ବିଦ୍ୟାମନ୍ଦିର ଓ ସ୍ଥାନୀୟ ବିଦ୍ୟାଳୟ ଗୁଡିକର କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ଗୀତା ଆବୃତ୍ତି, ବେଦପାଠ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଶିଶୁମାନଙ୍କୁ ମିଷ୍ଟାନ୍ନ ଓ ପୁସ୍ତକ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଦେବେନ୍ଦ୍ର ସାମନ୍ତ, ମୃତ୍ୟୁଞ୍ଜୟ ମହାନ୍ତି, ରଜନୀକାନ୍ତ ଦାସ, ରୀତାଞ୍ଜଳୀ ନାଥ, ଗଣେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ବ୍ରହ୍ମଚାରୀ ନୃସିଂହ ନାଥ ଦାସଙ୍କ ସମେତ ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ପରିଚାଳନା କରିଥିଲେ ।