ଗଣିଜାଙ୍ଗରେ ସର୍ବପୁରାତନ କାଳୀପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ବଜାରରେ ସର୍ବପୁରାତନ କାଳୀପୂଜା ଧୁମଧାମରେ ପାଳିତ ହୋଇଛି । ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଏଠାରେ କାଳୀପୂଜା ଅନୁଷ୍ଠିତ ହୋଇଆସୁଛି । ଏହି ପୂଜାକୁ ସ୍ୱର୍ଗତ ସିଦ୍ଧେଶ୍ୱର ଧଳ, ଗୌରହରି ପତି, ମୂର୍ତ୍ତି କାରିଗର ବୃନ୍ଦାବନ ମଜୁମଦାର, କୃଷ୍ଣ ପଣ୍ଡାଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ବଜାର କମିଟି ପକ୍ଷରୁ ଏହି ପୂଜା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ମୂର୍ତ୍ତି କାରିଗର ମଧୁ ସେଠୀ, ଆନନ୍ଦ ଚନ୍ଦ୍ର ଜେନା, ସୁଧାକର ଜେନା, ହୃଷିକେଶ ବେହେରା, କୁଳମଣି ବାରିକ, ଜୟକୃଷ୍ଣ ରଣାଙ୍କ ଦ୍ୱାରା ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରାଯାଇଛି । ମା’କାଳୀଙ୍କ ମୂର୍ତ୍ତି ସହିତ ପାଶ୍ୱର୍ ବାରୁଆଳି ମୂର୍ତ୍ତି ନିର୍ମାଣ କରାଯାଇଛି । ସେଥିମଧ୍ୟରେ ଯମ ଦରବାର, ଦୁର୍ଗା ଜନ୍ମ ସହିତ ଟୁଙ୍ଗୁରୁ ବଳ, କେନ୍ଦ୍ରାପଡା ମାଆ ସମ୍ମୁଖରେ ପୁଅକୁ କୁମ୍ଭୀର ନେଇଯିବା ଭଳି ବାରୁଆଳୀ ମୂର୍ତ୍ତି ବିଶେଷ ଆକର୍ଷଣୀୟ ହୋଇଛି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଓ ବଜାର ଅଞ୍ଚଳକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଲୋକ ମାନଙ୍କର ଚାହିଦାକୁ ଦେଖି ପୂଜା ଉତ୍ସବରେ ମିନା ବଜାର, ଯାତ୍ରା ସାଙ୍ଗକୁ ଦୋଳି, ବିଭିନ୍ନ ଗୃହ ସାମଗ୍ରୀ ଜିନିଷ ଓ କୁନିକୁନି ପିଲାଙ୍କ ପାଇଁ ଖେଳଣା ଆଦି ବିକ୍ରି ହେଉଛି । ପୂଜା ଦେଖିବା ପାଇଁ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି । ବିଶେଷକରି ସେଲ୍ଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ଲୋକଙ୍କ ଭିଡ ଜମୁଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ