ପ୍ରଶାସନକୁ ଦୁର୍ଗମ ଗ୍ରାମାଞ୍ଚଳବାସୀଙ୍କ ଠାରେ ପହଞ୍ଚାଇବା ପାଇଁ ଗଜପତି ଜିଲ୍ଲାପାଳ ପାଦଚଲାରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ଓ ସମୀକ୍ଷା କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗତ କିଛି ମାସ ହେଲା ଗଜପତି ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସମଗ୍ର ଜିଲ୍ଲା ତଥା ବ୍ଲକ ଓ ଦୁର୍ଗମ ଗ୍ରାମାଞ୍ଚଳର ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମୂଖ୍ୟତଃ ଆଦିବାସୀ ଅଞ୍ଚଳରେ ଥିବା ପାହାଡ଼ିଆ ଅଞ୍ଚଳରେ କିପରି ସରକାରୀ ଯୋଜନା ପହଞ୍ଚିବା ପାଇଁ ଜିଲ୍ଲାପାଳ ଗଜପତି ପ୍ରଶାସନକୁ ଦୁର୍ଗମ ଗ୍ରାମାଞ୍ଚଳବାସୀଙ୍କ ନିକଟତର କରିବା ପାଇଁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପାଦ ଚଲାରେ ବନ ପାହାଡ଼ ଘେରା ଗ୍ରାମାଞ୍ଚଳକୁ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରୁଛନ୍ତି. ଗତକାଲି ସୋମବାର ଜିଲ୍ଲାପାଳ ଗୁମ୍ମା ବ୍ଲକର ଦୁର୍ଗମ ଓ ପାହାଡ଼ ଘେରା ଗ୍ରାମ ବି. କଳାକୋଟ ଗ୍ରାମରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ପାଇଁ ପାଦ ଚଲାରେ ଗ୍ରସ୍ତ କରିଥିଲେ. ଏହି ସମୟରେ ଜିଲ୍ଲାପାଳଙ୍କୁ ଆଦିବାସୀମାନେ ଫୁଲ ତୋଡ଼ା ଦେଇ ନୃତ୍ୟ ପରିବେଷଣ ଓ ବାଜ୍ଜା ବଜେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ. ଗୁମ୍ମା ବ୍ଲକ ଅନ୍ତର୍ଗତ ବି.କଳାକଟ ଗ୍ରାମର ଚାଷ ଜମି ପୋଖରୀ, ରେଗିଡ଼ି ଲିଙ୍ଗା ଠାରୁ ବାଦୀଡ଼ି, ଜଙ୍ଗଜଙ୍ଗରୁ ମରାଣ୍ଡା ରାସ୍ତା କାମ ଡୁମ୍ବାଡ଼ା ଗ୍ରାମ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକରେ ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ,ବିଡ଼ିଓ ଶରତ କୁମାର ପାତ୍ର,ଏଇଇ ବିଭୁ ଚରଣ ପୂଜାରୀ, ସ୍ଥାନୀୟ ସରପଞ୍ଚ ଓ ବିଭାଗ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟତଃ ରାସ୍ତା ଘାଟ, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ. ନୂତନ ଜିଲ୍ଲାପାଳଙ୍କ ଏଭଳି ପ୍ରୟାସକୁ ନେଇ ଦୁର୍ଗମ ଗ୍ରାମାଞ୍ଚଳବାସୀଙ୍କ ମୁହଁରେ ହସ ଫୁଟୁଛି.ଦୁର୍ଗମ ଗ୍ରାମରେ ସରକାରୀ କର୍ମଚାରୀ ଛୋଟ ଅଧିକାରୀଙ୍କ ପାଦ ପଡ଼ୁ ନଥିବାବେଳେ ଜିଲ୍ଲାପାଳ ପାଦ ଚଲାରେ ସମସ୍ତ ଅଧିକାରୀଙ୍କ ସହ ଗ୍ରାମକୁ ଗ୍ରାମ ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ପଚାରି ବୁଝିଥିବାରୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରୁଥିବା ଲକ୍ଷ୍ୟ କରାଯାଇଛି.