ପାରଳା ପୋଲିସର ସଫଳତା ଡକାୟତି, ଅପହରଣ ଓ ହତ୍ୟା ଉଦ୍ୟମରେ ସମ୍ପୃକ୍ତ ୨ ଗିରଫ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) : ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି. ପାରଳା ଥାନା ଅଞ୍ଚଳରେ ଡକାୟତି, ଅପହରଣ ଏବଂ ହତ୍ୟା ଉଦ୍ୟମ ମାମଲାରେ ଦୁଇ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଣୀପେଣ୍ଠ
ଲେବଲକ୍ରସିଂରେ ଗତ ୧୧ ତାରିଖ ରାତିରେ ବ୍ରହ୍ମପୁରର ମୁନା ଗୌଡ ଏବଂ ପିଣ୍ଟୁ ପାତ୍ର ନାମକ ଦୁଇ ବ୍ୟକ୍ତି ଏକ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ପାରଳାଖେମୁଣ୍ଡି ସହରର ସଞ୍ଜୟ ଗାନ୍ଧୀ କଲୋନୀ କାମ୍ପ ସାହିର ଏମ୍. ଚାଣ୍ଟି (୨୯) ଓ ଏମ୍ ମଙ୍ଗଳମ (୨୩) ଆକ୍ରମଣକରି ମୋବାଇଲ ଫୋନ, ନଗଦ ପଚାଶ ହଜାର ଟଙ୍କା ଏବଂ ମୋଟରସାଇକେଲକୁ ଛଡାଇ ନେଇଥିଲେ। ମୁନା ଗୌଡଙ୍କୁ ଅପହରଣ କରି ଅଭିଯୁକ୍ତ ସଞ୍ଜୟ ଗାନ୍ଧୀ କଲୋନୀକୁ ନେଇ ହତ୍ୟା ଉଦ୍ୟମ କରିଥିଲେ।
ଘଟଣାକୁ ନେଇ ପାରଳା ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲା। ପୁଲିସ ଅପହୃତ ମୁନା ଗୌଡଙ୍କୁ ଉଦ୍ଧାର କରିଥିଲା ।ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା I ପୁଲିସ ଅନୁସନ୍ଧାନ କରି ପାରଳାର ଉଭୟ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ୍ ଏବଂ ମୋଟର ସାଇକେଲ ଜବତ କରିଥିବା ସୂଚନା ପ୍ରଦାନ କରାଯାଇଛି। ଗିରଫଙ୍କ ମଧ୍ୟରେ ଏମ୍. ଚାଣ୍ଟି ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତା ନାମରେ ୬ଟି ଅପରାଧୀକ ମାମଲା ପୂର୍ବରୁ ରହିଥିବାର ଥାନା ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ମୁନା ଗୌଡ ଏବଂ ପିଣ୍ଟୁ ପାତ୍ର ଉଭୟେ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟିରୁ ଦୈନନ୍ଦିନ ଅର୍ଥ ଆଦାୟ କରିବା ପାଇଁ ଦେଶୀ ମଦ ଭେଣ୍ଡରଙ୍କ ନିକଟରେ ନିୟୋଜିତ ହୋଇ କାର୍ଯ୍ୟ କରୁଥିବାର ଜଣାପଡ଼ିଛି। ଏନେଇ ପାରଳା ଆଦର୍ଶ ଥାନାରେ ମାମଲା ରୁଜୁ କରାଯାଇ ଅଧୂକ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ଭୂପତି ସୂଚନା ପ୍ରଦାନ କରିଛନ୍ତି।