ବାଲେଶ୍ୱର ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର, ( ସରୋଜ ପଣ୍ଡା ) : ବାଲେଶ୍ୱର ଜିଲ୍ଲା ଯୋଜନା କମିଟି ବୈଠକ ଆଜି ପୂର୍ବାହ୍ନ ଘ. ୧୧ ମି ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ମାନ୍ୟବର ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ବାଲେଶ୍ୱର, ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡି.ଏଫ.ଓ ଶ୍ରୀଯୁକ୍ତ ଖୁଶୱନ୍ତ ସିଂ, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରତିନିଧି ଶ୍ରୀଯୁକ୍ତ ମାନସ ଜେନା, ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ, ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ମାନ୍ୟବର ସଭାପତି, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ନାୟକ ମଞ୍ଚାସୀନ ହୋଇ ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ସଭା କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀମାନେ ଗୃହକୁ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ ଉପସ୍ଥିତ ସଦସ୍ୟ/ସଦସ୍ୟାମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ I ବୈଠକ ପ୍ରାରମ୍ଭରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ନିକଟରେ ଶେଷ ହୋଇଥିବା ‘ଅଗ୍ନିପଥ” ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟାର ସଫଳ ନିଷ୍ପାଦନ ଉପରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲାରେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଏବଂ ରୋଜଗାର ମେଳା ଉପରେ ସବିଶେଷ ବିବରଣୀ ପ୍ରସ୍ତୁତ କରିଥିଲେ I ଉପସ୍ଥିତ ଜିଲ୍ଲା ପରିଷଦର ଜୋନର ସଭ୍ୟ/ସଭ୍ୟାଙ୍କ ଅନୁରୋଧ କ୍ରମେ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ଶିଳ୍ପ ଅନୁଷ୍ଠାନଗୁଡିକରେ ସ୍ଥାନୀୟ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ରୋଜଗାର ସୃଷ୍ଟି ଉପରେ ଅଧିକ ଧ୍ୟାନ ଦିଆଯିବା ଉପରେ ଜିଲ୍ଲାପାଳ ନିଶ୍ଚିତତା ପ୍ରକାଶ କରିଥିଲେ I ଏହାପରେ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ସଭାକୁ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥିଲେ I ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେଉଥିବା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲ୍ଲାର ଅନେକ ଶ୍ରମୀକ ଉପକୃତ ହୋଇ ପାରିଛନ୍ତି I ସେହି ଭଳି କୃଷି, ଓଡିଶା କୃଷି ଶିଳ୍ପ ନିଗମ, ହସ୍ତତନ୍ତ ଓ ବୟନଶିଳ୍ପ, ସମବାୟ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, କ୍ରୀଡା ଓ ଯୁବସେବା, ସଂସ୍କୃତି, ଶକ୍ତି ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କରିଥିଲେ I ବୈଠକରେ ବାଲେଶ୍ୱର ଜିଲ୍ଲା ପରିଷଦର ଜୋନର ସଭ୍ୟ/ସଭ୍ୟା, ପଞ୍ଚାୟତ ସମିତିମାନଙ୍କର ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ/ଉପାଧ୍ୟକ୍ଷା ଯୋଗଦେଇ ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବୀ, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କଠାରୁ ପ୍ରତିଶୃତି ହାସଲ କରିଥିଲେ I ସଭାରେ ପଚରାଯାଇଥିବା ସମସ୍ତ ଦ୍ଵନ୍ଦକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପ୍ରତିଶୃତି ଦେଇ ଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ସମସ୍ୟା ଗୁଡ଼ିକ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଶେଷରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଥିବା ସମସ୍ତ ସଭ୍ୟ/ସଭ୍ୟା ତଥା ସରକାରୀ ଅଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର କାର୍ଯ୍ୟାନ୍ୱୟନରେ ମଧ୍ୟସ୍ଥିଙ୍କ ଯୋଗଦାନକୁ କିଭଳି ଭାବରେ କମା ଯାଇ ଦୁର୍ନୀତି ନିବାରଣ କରାଯାଇ ପାରିବ ସେଥି ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ଅନୁରୋଧ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ