ମେଗା ୱାଟର ପୋଜେକ୍ଟରୁ ପାଣି ଯୋଗାଣ କେବଳ କାଗଜ କଲମରେ
ହାଟଡିହି, (ବିକାଶ ବିଶ୍ୱାଳ ) : ରାଜ୍ୟ ସରକାର ପ୍ରତି ପରିବାରକୁ ବିଷୁଦ୍ଧ ପାନୀୟ ଜଳ ଯୋଗାଇଦେବାପାଇଁ ୨୦୧୬ ମସିହାରୁ ଆରମ୍ଭ କରିଛନ୍ତି ବସୁଧା ଯୋଜନା । ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟର ଠିକାଦାରଙ୍କ ଦ୍ୱାରା କାମ କରାଇ ପ୍ରତିଗାଁକୁ ପାନୀୟ ଜଳଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଏହି ଯୋଜନାର ସୁଫଳତା ଲୋକଙ୍କ ପାଖରେ ପହଞ୍ଚି ନଥିବାବେଳେ କାଗଜ କଲମରେ ପାଣି ଯୋଗାଣ ଦର୍ଶାଇ ଠିକାଦାର ଛୁ ମାରିଛି । ଏପରିକି ସେହି ଏକା କମ୍ପାନୀ ପକ୍ଷରୁ ୩୫୦କୋଟି ରୁ ଉର୍ଦ୍ଧ ଆଉ ଏକ ମେଗା ୱାଟର ପ୍ରୋଜେକ୍ଟ ନିର୍ମାଣ କରାଯାଉଥିବାବେଳେ ଏହା କାର୍ଯ୍ୟକ୍ଷମ ହେବକି ନାହିଁ ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ସମ୍ପତ୍ତି ବିକାଶ ସମୃଦ୍ଧି ଅନୁଦାନରେ ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ଟି ଗାଁକୁ ବିଷୁଦ୍ଧ ପାନୀୟଜଳ ଯୋଗାଇଦେବାପାଇଁ ୨୦୧୮ମସିହାରେ ଏକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ୩୦/୯/ ୨୦୨୧ରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ୱାରା ବାଙ୍ଗୋର, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ, ସୋସୋ ବାଲିବରେଇ, ପଢ଼ିଆରିପଲ୍ଲୀ ଆଦି ୫ଟି ପଞ୍ଚାୟତର ୧୯ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହାଦ୍ୱାରା ୨୩ହଜାର ୬୨୨ଜଣ ଲୋକ ଉପକୃତ ହେବେ ବୋଲି କୁହାଯାଇଥିଲା । ହେଲେ ୪ବର୍ଷ ବିତିଯାଇ ଥିଲେ ସୁଧା ଏହି ପ୍ରକଳ୍ପରୁ ସମସ୍ତ ଗାଁକୁ ପାନୀୟଜଳ ପୋନୀୟଜଳ ଯୋଗାଇ ଦିଆଯାଇ ପାରିଲାନାହିଁ । କେବଳ ପ୍ରକଳ୍ପ ନିକଟରେ ଥିବା ମାତ୍ର ଦୁଇ ତିନୋଟି ଗାଁକୁ ପାଣି ଯୋଗାଯାଉ ଥିବାବେଳେ ଅନ୍ୟଗାଁକୁ ପାଣି ଯୋଗାଣ ହୋଇପାରିଲାନି । ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର ଗାଁରେ ୪ବର୍ଷ ହେଲା ପାଇପ ବିଛା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ଲୋକେ ପାଣିଟୋପେ ପାଇ ପାରିଲେ ନାହିଁ । ଗାଁର ବ୍ରହ୍ମଣ ସାହିରେ ଶତାଧିକ ପରିବାର ବସବାସ କରୁଥିବାବେଳେ ମାତ୍ର ଦୁଇଟି ନଳକୂପ ଥିବାବେଳେ ତାହା ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡି ରହିଛି । ତେଣୁ ବ୍ରାହ୍ମଣ ସାହିର ଲୋକମାନେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ କିଛି ବ୍ୟକ୍ତିଗତ ଲୋକଙ୍କ ନଳକୁପରରୁ ପାଣି ଆଣି ଦିନ କାଟୁଛନ୍ତି ତ ଆଉ କିଛି ଲୋକ ସାଳନ୍ଦୀ ନଦୀରୁ ପାଣିଆଣି ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି । ପାଇପଯୋଗେ ପାନୀୟଜଳ ଯୋଗାଣ ପାଇଁ ପ୍ରତି ଘରକୁ ଟ୍ୟାପ ଲାଗିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ସମ୍ଭବ ହେଲାନି । ଆମେ କେବଳ ସକାଳୁ ଉଠି ପାଇପ ଦର୍ଶନ କରୁଛୁ ପାଣି ନୁହଁ, ପାଇପ ଓ ଟ୍ୟାପ ଦେଖିଲେ କଣ ତୃଷ୍ଣା ମେଣ୍ଟିବ ବୋଲି ବୋଲି ଗ୍ରାମର ଅମୁଲ୍ୟ ମିଶ୍ର, ବାସନ୍ତୀ ପାଣିଗ୍ରାହୀ, ଜୟନ୍ତୀ ପାଣିଗ୍ରାହୀ, ପ୍ରମିଳା ମିଶ୍ର, କନକଲତା ପଣ୍ଡା, ପଦ୍ମାବତୀ ପଣ୍ଡା, ବାସନ୍ତୀ ମିଶ୍ର, ଜଲ୍ଲି ପାଣିଗ୍ରାହୀ, ଶାନ୍ତିଲତା ଦେହୁରୀ, ସୁରଥ ଚନ୍ଦ୍ର ପାଣିଗ୍ରାହୀ, ଶରତ କୁମାର ମିଶ୍ର, ଅନନ୍ତ ପଣ୍ଡା, ମାଧବ ପ୍ରାଣିଗ୍ରାହୀ, ନିରାକାର ପଣ୍ଡା, ବାବୁଲି ଭୂୟାଁ, ଅର୍ଜୁନ ଭୂୟାଁ ପ୍ରମୁଖ ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାସଂସ୍ଥା କାମ ନକରି ପଳାଇବାରୁ ଆଉ କାମ ହେବକି ନାଁ ସେନେଇ ସନେ୍ଦହ ସୃଷ୍ଟି ହୋଇଛି । ଏପରିକି ଗତ ଜାନୁୟାରୀ ମାସରେ ଓମ୍ବାଡସିର ଓଭରସାଇଟ ଅଥରିଟ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମାନ୍ୟବର ଜଷ୍ଟିସ ଏ.କେ ପଟ୍ଟନାୟକ ହାଟଡିହି ବ୍ଲକ ବାଙ୍ଗୋର ପାନୀୟ ଜଳ ବିଶୋଧନ କେନ୍ଦ୍ର ପରିଦର୍ଶନ କରିବାକୁ ଆସିଥିବାବେଳେ ସରକାରୀ ବାବୁମାନେ ପ୍ରକଳ୍ପ ଠିକ ଚାଲିଛି ଓ ଘରକୁ ଘର ଠିକ ଭାବେ ପାଣି ଯୋଗାଇ ଦିଆଯାଉଛି ବୋଲି ଅଧିକାରୀଙ୍କୁ ଭୁଲ ସୁଚନା ଦେଇ ବାହାବା ନେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଠିକାସଂସ୍ଥା ୧୯ଟି ଗାଁକୁ ନିର୍ଦ୍ଧାରିତ ସମୟରେ ଠିକ ଭାବେ ପାଣି ଯୋଗାଇ ପାରିଲାନି, ସେହି ଠିକାସଂସ୍ଥା ଏବେ ମେଗା ୱାଟର ପ୍ରୋଜେକ୍ଟ କାମ କରୁଛି ଓ ଏହି ପ୍ରୋଜେକ୍ଟରୁ ୨୦୦ରୁ ଉର୍ଦ୍ଧ ଗାଁକୁ ପାଣି ଯୋଗାଇବାର ବ୍ୟବସ୍ଥା ଅଛି । ତେଣୁ କିପରି ଭାବେ ଏହି ପ୍ରକଳ୍ପ କାମ ସମ୍ପୁର୍ଣ୍ଣ ହେବ ନା ଅଧାପନ୍ତରିଆ ପଡି ରହିବ ତାହା ସମସ୍ତଙ୍କୁ ସନେ୍ଦହରେ ପକାଇଛି । ଏନେଇ ଗତ ପଞ୍ଚାୟତ ସମିତି ବୈଠକରେ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ମାନେ ତୁମ୍ବି ତୋଫାନ କରିଥିଲେ । କେବଳ ଗୋଟିଏ ଦୁଇଟି ଗାଁକ୍ୁ ଛାଡିଦେଲେ ଅନ୍ୟ ଗାଁ ଗୁଡିକୁ ପାଣି ଯାଉନି, କିପରି ଲୋକମାନେ ପାଣି ପାଇବେ ବୋଲି ସଦସ୍ୟମାନେ ଅଭିଯୋଗ କରିଥିଲେ । ସଂପୃକ୍ତ ଠିକାସଂସ୍ଥା କାମ ବନ୍ଦକରି ଅନ୍ୟତ୍ର କାମ କରୁଛି ଓ ତାର କିଛି କର୍ମଚାରୀ ଆସି ମରାମତି କାର୍ଯ୍ୟ କରୁଛନ୍ତି ବୋଲି ବିଭାଗୀୟ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ମତ ଦେଇଥିଲେ । କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ କରିବା ସହିତ ପାଇପ ଗୁଡିକ କମ୍ ଗଭୀରରେ ପକାଯାଇଥିବାରୁ ଏହା ଭାଙ୍ଗିରୁଜି ନଷ୍ଟ ହୋଇଯାଉଛି । ଠିକାସଂସ୍ଥାର ୫ବର୍ଷ ପର୍ଯ୍ୟନ୍ତ ମରାମତି କରିବାର ନିୟମ ଥିବାବେଳେ ଠିକାସଂସ୍ଥାକୁ କାହିଁକି କୋହଳ ମନୋଭବ ପୋଷଣ କରାଯାଉଛି ବୋଲି ଜିଲ୍ଲାପରିଷଦ ସଦସ୍ୟ ସୋମାନାଥ ଦାସ, ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ ପ୍ରମୁଖ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହଁ ଠିକାସଂସ୍ଥା ପାଇପ ବିଛାଇବା ବେଳେ ଖୋଳି ଦେଇଥିବା ରାସ୍ତା ଗୁଡିକୁ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି କରିନି ଯାହାଦ୍ୱାରା ଅନେକ ଗାଁରେ ଲୋକମାନେ ଯାତାୟତରେ ନାନା ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।