ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେସ ଦିବସ- ୨୦୨୩’ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ର୍ରେସ ଦିବସ- ୨୦୨୩’ ପାଳିତ ହୋଇଯାଇଛି । ପୂର୍ବାହ୍ନ ପ୍ରାୟ ଘ ୧୦.୩୦ମି ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଜାତୀୟ ପ୍ରେସ ଦିବସ ପାଳନର ଆଭିମୁଖ୍ୟ ଏବଂ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ଦିବଙ୍ଗତ ସାମ୍ବାଦିକ ଶ୍ରୀ ସତ୍ୟପ୍ରିୟ ମହାନ୍ତି, ଶ୍ରୀ ରାଧାକୃଷ୍ଣ ସାହୁ, ଶ୍ରୀ ଧୀରେନ ଚନ୍ଦ୍ର ବେହେରା, ଶ୍ରୀ ବ୍ରଜ କିଶୋର ଜେନାଙ୍କ ସମେତ ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା I ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଥିବା ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପ୍ରକାଶ କରିଥିଲେ । ଗଣମାଧ୍ୟମ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକରି ପ୍ରଶାସନକୁ ନିଜ ଦାୟିତ୍ୱ ନିର୍ବାହ ଲାଗି ଯେଭଳି ସଚେତନ କରାଇଥାଏ ତାହାର ସେ ଉଚ୍ଚ ପ୍ରଶଂସା କରିଥିଲେ । ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିବା ଜିଲ୍ଲାର ସାମ୍ବାଦିକମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଏବଂ ସଠିକ ସାମ୍ବାଦିକତାର ଉଦାହରଣ ସାରା ଦେଶ ସାମ୍ନାରେ ରଖିଥିବା ପାଇଁ ଜିଲ୍ଲାପାଳ ତାଙ୍କୁ ସାଧୁବାଦ ଜଣାଇଥିଲେ I ମୁଖ୍ୟ ବକ୍ତା ଭାବେ ଫକୀରମୋହନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକ ଯୋଗ ଦେଇ ଗଣମାଧ୍ୟମର ଗଠନମୂଳକ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଡିଜିଟାଲ ଯୁଗରେ ଗଣମାଧ୍ୟମର ଦାୟିତ୍ୱ କିଭଳି ବହୁଗୁଣ ବଢିଯାଇଛି ତାହା ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ I ତତ୍ସହିତ ସମଗ୍ର ମାନବିକତାର ସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ କରିବା ଦିଗରେ କିଭଳି ଭାବରେ ଗଣମାଧ୍ୟମର ପ୍ରାସଙ୍ଗିକତା ରହିଛି ସେଥିପ୍ରତି ମୁଖ୍ୟ ବକ୍ତା ସଭାରେ ସବିଶେଷ ବ୍ୟାଖ୍ୟା ଦେଇଥିଲେ I ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ମାନନୀୟ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଯୋଗ ଦେଇ ସାମ୍ବାଦିକଙ୍କ ବୃତିଗତ ଓ ସାମାଜିକ ସୁରକ୍ଷା ତଥା ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଉପ- ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଗଣମାଧ୍ୟମ ଯେଉଁଭଳି ନିଜ ଦାୟିତ୍ୱ ନିର୍ବାହ କରି ଜିଲ୍ଲା ପ୍ରଶାସନକୁ ସବୁ କ୍ଷେତ୍ରରେ ନିରନ୍ତର ସହଯୋଗ କରିଆସୁଛନ୍ତି ସେଥି ନିମନ୍ତେ ସେମାନଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ I ଏହି ସମାରୋହରେ ସାମ୍ବାଦିକ ଶ୍ରୀ ମାନସ ବିଶ୍ୱାଳ, ଶ୍ରୀ ଶିବଦାସ କୁଣ୍ଡୁ, ଶ୍ରୀ ବିପ୍ଳବ ମହାନ୍ତି ଓ ଶ୍ରୀ ଉବାଚକ ମହାନ୍ତି ପ୍ରମୁଖ ସାମ୍ପ୍ରତିକ ଗଣମାଧ୍ୟମର ସ୍ଥିତି, କୃତ୍ରିମ ବୁଦ୍ଧିମତାର ସଠିକ ଉପଯୋଗୀତା, ଆହ୍ୱାନ ଏବଂ ସମସ୍ୟା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭାଗୀୟ ଅଧିକାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।