୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ-୨୦୨୩ ପାଳନ ଅବସରରେ ଗଣଦୌଡ଼ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ-୨୦୨୩ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ସମବାୟ ବିଭାଗ, ବାଲେଶ୍ୱର ଆନୁକୂଲ୍ୟରେ ଆଜି ଏକ ଗଣଦୌଡ଼ ଅନୁଷ୍ଠିତ ହୋଇ ଯାଇଛି I ସକାଳ ଘ. ୭ ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ସବୁଜ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ I ବାଲେଶ୍ୱର କଲେକ୍ଟୋରେଟ ପରିସରରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ସହର ପରିକ୍ରମା କରିଥିଲା I ଉକ୍ତ କାର୍ଯ୍ୟକ୍ରମରେ ସମବାୟ ଉପ ନିବନ୍ଧକ ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପଣ୍ଡା, ସହକାରୀ ନିବନ୍ଧକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଡି.ଆର.ସି.ଏସ ଓ ଏ.ଆର.ସି.ଏସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ I
ସେହି ପରି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭା ଗୃହଠାରେ ଜିଲ୍ଲାସ୍ତରୀୟ ଜୁନିଅର ବିଭାଗର ଛାତ୍ର ଛାତ୍ରୀଙ୍କ ନିମନ୍ତେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଗୁଡ଼ିକରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ ପରିଚାଳନା କରିଥିଲେ I ବିଚାରକ ଭାବେ ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଗଙ୍ଗାଧର ବିଶ୍ୱାଳ, ବିଶିଷ୍ଟ ବ୍ୟାକରଣବୀତ୍ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମହାନ୍ତି ଏବଂ ଅଧ୍ୟାପକ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର ଯୋଗଦାନ ଦେଇଥିଲେ I ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଡି.ଆର.ସି.ଏସ ଓ ଏ.ଆର.ସି.ଏସ କାର୍ଯ୍ୟାଳୟର ଅଧିକାରୀମାନେ ସହଯୋଗ କରିଥିଲେ I ଏଠାରୁ ପ୍ରକାଶ ଥାଉ କି, ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ-୨୦୨୩ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖରେ ସମାପ୍ତ ହେବ I ଏହି ପରିପ୍ରେକ୍ଷୀରେ ସମବାୟ ବିଭାଗ ତରଫରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ