ବେଆଇନ କରତକଳ ଉପରେ ବନବିଭାଗର ଲୋକ ଦେଖାଣିଆ ଚଢ଼ାଉ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଭୋର ୫ ଟା ରେ ପୁରୀ ଓ ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଅଞ୍ଚଳ ରେ ଚାଲୁଥିବା ଦୁଇଟି ବେଆଇନ କରତ କଳ ଉପରେ ସ୍ଥାନୀୟ ପୁଲିସ ସହଯୋଗରେ ନିମାପଡ଼ା ର ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା। ହେଲେ ଚଢ଼ାଉ ବେଳେ ସେମାନେ ଛାଡି ଯାଇଥିବା ଅଳ୍ପ କେତେକ ଯନ୍ତ୍ରାଂଶ ଓ କିଛି ମୁଲ୍ୟବାନ କାଠ ଜବତ କରିଥିଲେ । ଏହି ଚଢ଼ାଉ ସମ୍ପର୍କ ରେ ପୂର୍ବରୁ ସୂଚନା ପାଇ ତୁଳସୀପୁର , କାକଟପୁର,ଅସ୍ତରଙ୍ଗ, ବାଜପୁର , ବନ୍ଦେଶ୍ୱର, ଶୁକ ପୋଖରୀ ଅଂଚଳରେ ଚାଲିଥିବା ୨୦ ରୁ ଉର୍ଦ୍ଧ୍ୱ କରତ କଳ ମାଲିକ ସେମାନଙ୍କ ଯନ୍ତ୍ରାଂଶ ଖୋଲି ନେଇ ସ୍ଥାନ ଛାଡି ଚାଲିଯାଇଥିଲେ । ପୁରୀ ଜିଲ୍ଲାରେ ସ୍ୱୀକୃତି ପ୍ରାପ୍ତ କରତକଳ ପାଇଁ ନିମାପଡା ତମ୍ପାଳ ନିକଟରେ ଇଡକୋ ପକ୍ଷରୁ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଆବାଣ୍ଟନ ହୋଇନପାରିବା ଯୋଗୁଁ ଦିନକୁ ଦିନ ପୁରୀ ଜିଲ୍ଲାରେ ବେଆଇନ କରତକଳ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବନ ବିଭାଗର ଏହି ଚଢ଼ାଉ ପ୍ରହସନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆଜିର ଏହି ଚଢ଼ାଉରେ ପୁରୀ ବନ୍ୟପ୍ରାଣୀ ବିଭାଗର ଜଣେ ଏ ସି ଏଫ , ୪ ଜଣ ରେଞ୍ଜରଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ସାମିଲ ହୋଇଥିଲେ । ତେବେ ପୂର୍ବରୁ ସୂଚନା ଦେଇ ପରେ ବେଆଇନ କରତ କଳ ଉପରେ ଚଢ଼ାଉ କରିବା ବନ ବିଭାଗ ର ଏକ ପ୍ରହସନ ବୋଲି ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି।