ପୋଲସରା ଏନଏସିରେ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ
ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ଏନ୍.ଏ.ସି. ସଭା ଗୃହରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ)ର ହିତାଧିକାରୀମାନଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ଏନ୍.ଏ.ସି. ଅଧ୍ୟକ୍ଷା ସଙ୍ଗୀତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ଓ ସାଂସଦ ପ୍ରତିନିଧି ମୋତିରାମ ସାହୁ ଯୋଗଦେଇଥିଲେ । ଏହି ଅବସରରେ ପୋଲସରା ସହରର ୧୯୦ ହିତାଧିକାରୀଙ୍କୁ ଆବାସ ଯୋଜନା ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବିଧାୟକ ଶ୍ରୀ ସାହୁ ବଣ୍ଟନ କରିଥିଲେ । ସହରରେ ଯୋଗ୍ୟ ହିତାଧିକାରୀ ଯେପରି ପକ୍କାଘର ସୁବିଧାରୁ ବଂଚିତ ନହେବେ ସେ ଦିଗରେ ବିଧାୟକ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆବାସ ଯୋଜନାର କାର୍ଯ୍ୟାଦେଶ ପାଇବା ପରେ କାହାକୁ ମଧ୍ୟ ଉତ୍କୋଚ ନଦେବା ପାଇଁ ହିତାଧିକାରୀମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଗୃହ କାମ ସାରିବା ସହ ପ୍ରୋତ୍ସାହନ ରାଶିର ସୁବିଧା ହାସଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଯନ୍ତ୍ରୀ ଏସ୍.ଚିତ୍ରସେନ ରେଡ଼୍ଡୀ, ପଞ୍ଚାନନ ସେଠୀଙ୍କ ସମେତ ସମସ୍ତ କାଉନସିଲର ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।