୩୦ବର୍ଷ ହେଲା ବାଉଁଶବୁଦା ମୁଳେ ଚାଲିଛି ଅଙ୍ଗନବାଡି
ହାଟଡିହି, (ବିକାଶ ବିଶ୍ୱାଳ ) : ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି । ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଅଙ୍ଗନବାଡି ଖୋଲିଛନ୍ତି । ହେଲେ ସରକାରଙ୍କ ଏହି ଯୋଜନା ସତେ ଯେପରି ଫେଲ ମାରିଛି ହାଟଡିହି ବ୍ଲକରେ । ବ୍ଲକରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଥିବାବେଳେ ଅବଶିଷ୍ଟ ଅଙ୍ଗନବାଡି କେନ୍ଦ୍ର ବାଉଁଶ ବୁଦା ମୁଳେ, ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠି କର୍ମୀ କିମ୍ବା ହେଲପରଙ୍କ ଘରେ ଚାଲୁଥିବାରୁ ନାନା ଅସୁବିଧା ଉପୁଜୁଛି । କେଉଁଠି ଅଙ୍ଗନବାଡି ନଥାଇ ଅଙ୍ଗନବାଡି ଘର ନିର୍ମାଣ ହୋଇଛି ତ ଆଉ କେଉଁଠି ଅଙ୍ଗନବାଡି କେନ୍ଦ୍ର ଥାଇବି ଅଙ୍ଗନବାଡି ଘର ନିର୍ମାଣ ହେଉନି । ଏହି ବ୍ଲକ ଅଧିନସ୍ଥ ସଢ଼ା ପଞ୍ଚାୟତର ଜନ୍ତାଳପଦି, ରଘୁନାଥପୁର, ଢ଼େଙ୍କା ପଞ୍ଚାୟତର ସୁନ୍ଦରପୁର, ସୋସୋ ପଞ୍ଚାୟତର ଅଁଳାଗଡିଆ ଠାରେ ଅଙ୍ଗନବାଡି କେନ୍ଦ୍ର ନଥାଇ ବି ଅଙ୍ଗନବାଡି ଘର ନିର୍ମାଣ ହୋଇଛି । ଯାହାକି ଏହି ବିଭାଗର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷକରି ହାଟଡିହି ବ୍ଲକ ଆମ୍ବୋ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆମ୍ବୋ ଗ୍ରାମଟି ଆମ୍ବୋ ପଞ୍ଚାୟତର କେନ୍ଦ୍ରସ୍ଥଳ ହୋଇଥିବାବେଳେ ଚାରିଶହରୁ ଉର୍ଦ୍ଧ ପରିବାର ବସବାସ କରିଥାନ୍ତି । ଏହାର ଲୋକସଂଖ୍ୟା ଦୁଇ ହଜାରରୁ ଉର୍ଦ୍ଧ । ତିରିଶ ବର୍ଷ ହେଲା ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ହୋଇଥିବାବେଳେ ଅଙ୍ଗନବାଡି ଘର ନଥିବାରୁ ହେଲପରଙ୍କ ବାଡିରେ ଥିବା ଏକ ବାଉଁଶ ବୁଦାମୁଳେ ଅଙ୍ଗନବାଡି କେନ୍ଦ୍ର ଚାଲିଛି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ଅଙ୍ଗନବାଡି କେନ୍ଦ୍ରରେ ୪୦ଜଣ ଛାତ୍ରଛାତ୍ରୀ ଥିବାବେଳେ ସେମାନେ ହେଲପରଙ୍କ ବାଡିରେ ଥିବା ବାଉଁଶ ମୁଦାମୁଳେ ପାଲ ପକାଇ ପାଠ ପଢ଼ିଥାନ୍ତି । ହେଲପର ତାଙ୍କ ଘରେ ରୋଷେଇକରି ଖୋଲା ଆକାଶ ତଳେ ଛୁଆଙ୍କୁ ଖାଇବାକୁ ଦେଇଥାନ୍ତି । ଖରା କି ବର୍ଷା ହେଲେ ବାଧ୍ୟ ହୋଇ ଛୁଆଙ୍କୁ ଛୁଟି କରିଦେଇଥାନ୍ତି । ଏହା ଦିନେ କି ଦୁଇଦିନର ଘଟଣା ନୁହଁ । ୩୦ବର୍ଷ ହେଲା ଏହିପରି ଚାଲି ଆସିଛି ଅଙ୍ଗନବାଡି କେନ୍ଦ୍ର । ସିଡିପିଓଙ୍କ ଠାରୁ ଆରମ୍ଭ କରି ବ୍ଲକର ବିଡିଓଙ୍କ ପର୍ଯ୍ୟନ୍ତ ଅନେକ ଅଦôକାରୀ ଏ ବାବଦରେ ଜାଣିଥିଳେବି କେହି କିଛି ପଦକ୍ଷେପ ନେଇ ନତବବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗତ ୫ବର୍ଷ ତଳେ ଗଣମାଧ୍ୟମରେ ଏହି ଅଙ୍ଗନବାଡି କେନ୍ଦର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇବାପରେ ବ୍ଲକ କର୍ତ୍ତୁପକ୍ଷ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସେ ସମୟରେ ୭ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥାନ ନିରୁପଣ କରାଯାଇ କାମ ଆରମ୍ଭ ହୋଇଥିଲା । ଯାହା ହେଉ ବହୁବର୍ଷ ପରେ ନୁତନକରି ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ ହେବ ବୋଲି ଗାଁ ଲୋକେ କେତେ ଆଶା ପୋଷଣ କରିଥିଲେ । ମାତ୍ର ତାହା ଅଧାପନ୍ତରିଆ ଭାବେ ପଡି ରହିଲା । କେହି ଆଉ ଏ ବାବଦରେ ଗୁରୁତ୍ୱ ଦେଲେନି । ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି ଆଉ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇ ପାରିନି କି ଅଧାପନ୍ତରିିଆ ଭାବେ ପଡିରହିଥିବା ନୁତନ ଗୃହଟିକୁ ସମ୍ପୁର୍ଣ୍ଣ କରାଯାଉନି । ଫଳରେ ଖୋଲା ଆକାଶ ତଳେ ଏକ ବାଉଁଶ ବୁଦାମୁଳେ କୁନି କୁନି ଛୁଆଙ୍କ ଭବିଷ୍ୟତ ଗଢ଼ା ଯାଉଛି । କେନ୍ଦୁଝର ଜିଲ୍ଲାପାଳ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।