ପାଚିକା ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଏଆଇୟୁଟିୟୁସି ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା, ସହାୟିକା ସଂଘ ପକ୍ଷରୁ ଆଜି ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୭ଦଫା ଦାବି ନେଇ ଶତାଧିକ ବିଦ୍ୟାଳୟର ପାଚିକା ଓ ସହାୟିକା ମାନେ ବ୍ଲକ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ସହବନ୍ଧିତ ସଂଘର ଜିଲ୍ଲା ପ୍ରତିନିଧି ରାମଚନ୍ଦ୍ର ଶଙ୍ଖୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବିକ୍ଷୋଭ ସଭାରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପ୍ରଧାନ ଯୋଗ ଦେଇ ପାଚିକା ଓ ସହାୟିକା ମାନଙ୍କ ପ୍ରତି ସରକାର ଅମାନବିକ ଭାବ ପ୍ରଦର୍ଶନ କରୁଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦିଗମ୍ବର ସ୍ୱାଇଁ, ପାଚିକା ସସ୍ମିତା ନାୟକ, ମଞ୍ଜୁଲତା ପଣ୍ଡା, ମାନସୀ ତରାଇ, ଶୁକୁମାରି ସାମଲ, ମଧୁସୂଦନ ଓଝା, ବେଣୁଧର ସାମଲ, ସୁରମା ସାମଲ ପ୍ରମୁଖ ସାତ ଦଫା ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସକୁ ୨୬ହଜାର ଟଙ୍କା ଦରମା ପ୍ରଦାନ, ଶାରୀରିକ ଅସୁସ୍ଥତା ସମୟରେ ଛୁଟି ପ୍ରଦାନ, ବକେୟା ପ୍ରାପ୍ୟ ପ୍ରଦାନ , ବିଦ୍ୟାଳୟରେ ଖାଲି ଥିବା ପାଚିକା ସହାୟିକା ନିଯୁକ୍ତି ଆଦି ବିଷୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଏନେଇ ସରକାରଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ