୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ସମବାୟ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାର ବିଧାୟକ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ ଜିଲ୍ଲାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବା ସହ କୃଷକମାନଙ୍କ ପାଇଁ କୃଷକ ବଜାର ପ୍ରତିଷ୍ଠା କରାଯାଇପାରିଛି ବୋଲି କହିଥିଲେ । ଏଥିସହିତ ସମବାୟ ସଂସ୍ଥା ଗୁଡିକର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ସଭାପତି ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସମବାୟ ଆନ୍ଦୋଳନରେ ସାମିଲ ହୋଇ ସମବାୟ ସଂସ୍ଥା ଗୁଡିକର ବିକାଶ ନିମନ୍ତେ କରୁଥିବା କାର୍ଯ୍ୟକୁ ବୃତ୍ତି ନଭାବି ଜୀବନର ବ୍ରତ ବୋଲି ଭାବିବାକୁ ପରାମର୍ଶ ଦେଇଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରୀ ଶ୍ରୀ ନାୟକଙ୍କ ଦ୍ୱାରା କିଭଳି ସମବାୟ କ୍ଷେତ୍ରରେ ବିକାଶ ଚାଲିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ସମବାୟ ବିଭାଗର ଗୁରୁତ୍ୱ ସମ୍ପର୍କରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ବି ଜାଣିଲେଣି ବୋଲି କହିବା ସହ ସମବାୟ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଅନନ୍ତ କୁମାର ସାମଲ, ନାବାର୍ଡର ଜିଲ୍ଲା ବିକାଶ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମବାୟ ସମିତି ସମୁହର ଉପସହକାରୀ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସହକାରୀ ସମବାୟ ନିବନ୍ଧକ ସନ୍ତୋଷ ଦାସ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ଭରତପୁର ପ୍ୟାକ୍ସର ସମ୍ପାଦକ ସୁବୋଧ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରିକରଣ କରାଯିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମବାୟ ସମିତିର ସମ୍ପାଦକ ଓ କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସମବାୟ ସମିତି ଗୁଡିକର ସଭାପତି, ସମ୍ପାଦକ, ନିର୍ଦେଶକ, କର୍ମଚାରୀଙ୍କ ସମେତ ଜିଲ୍ଲାର ୯ଟି କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ