ଆଠ ଦିନ ହେଲା ଅସହାୟ ଦିବ୍ୟାଙ୍ଗକୁ ସାହା ହେବ କିଏ?
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଠଦିନ ହେବ ରାସ୍ତା ପାଶ୍ୱର୍ରେ ଏକ ପରିତ୍ୟକ୍ତ ଅଞ୍ଚଳରେ ଅସହାୟ ଓ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି ଜଣେ ମାନସିକ ଅନଗ୍ରସର ବ୍ୟକ୍ତି । ନା’ ତାଙ୍କୁ ଆହା ପଦେ କହିବାକୁ ପାଖକୁ କିଏ ଯାଉଛି, ନା’ ପାଣି ଟୋପେ ତୁଣ୍ଡରେ ଦେବା ପାଇଁ କିଏ ଯାଉଛି । ଭୋକର ଜ୍ୱାଳାରେ ଆଉଟୁ ପାଉଟୁ ହୋଇ କଲବଲ ହେଉଥିବା ବ୍ୟକ୍ତିଙ୍କର ଏହି ଅଭାବନୀୟ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଉକ୍ତ ଅଞ୍ଚଳଟି ହେଉଛି ଆମ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉତ୍ତରା ଛକ ନିକଟରେ । ଯେଉଁଠି ରାତି ପାହିଲେ ଶହ ଶହ ଲୋକ ଆତଯାତ କରିଥାନ୍ତି । ପାଖରେ ଲୋକମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ରହିଛି ଏକ ପୁଲିସ୍ ଫାଣ୍ଡି । ଅଥଚ ଏ ବଞ୍ôଚଥିବା ଏ ଦିବ୍ୟାଙ୍ଗ ମଣିଷଟି ପାଇଁ କାହାରି ଟିକିଏ ବି ଦରଦ ନାହିଁ । ଏହି ଅସହାୟ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ସାହାଯ୍ୟ ଲାଗି ଖବର ପହଞ୍ôଚଥିଲା ସାମାଜିକ ଅନୁଷ୍ଠାନ “ବୁଲ୍ସଆଇ”ର ସମ୍ପାଦକ ବାପିନା ନାୟକଙ୍କ ପାଖରେ । ବାପିନା ଜଣେ ଶତ ପ୍ରତିଶତ ଦୃଷ୍ଟିବାଧିତ ଦିବ୍ୟାଙ୍ଗ । ଏ ଖବର ଶୁଣି ସଙ୍ଗେ ସଙ୍ଗେ “ବୁଲ୍ସଆଇ”ର ଅଧ୍ୟକ୍ଷ ତ୍ରିଲୋଚନ ବେଉରାଙ୍କ ସହ ବାହାରି ପହଞ୍ôଚଥିଲେ ଉକ୍ତ ବ୍ୟକ୍ତିଙ୍କ ନିକଟରେ । ଭୋକର ଜ୍ୱାଳା ଏତେ ଥିଲା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଟିରୁ କଥା ବାହାରୁ ନଥିଲା । ପେଟ ଶୁଖିଗଲାଣି । ବ୍ୟକ୍ତିଙ୍କର ଏକାଦୃଶ ଅବସ୍ଥା ଦେଖି ଶ୍ରୀ ନାୟକ ତୁରନ୍ତ ନିକଟସ୍ଥ ହୋଟେଲରୁ ଭାତ, ଡ଼ାଲି, ତରକାରୀ ଇତ୍ୟାଦି କିଣି ବ୍ୟକ୍ତି ଜଣଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ । କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ଟିକିଏ ଆଶ୍ୱସ୍ତି ଲାଭ କରିଥିଲେ । ତତ୍ପରେ ବ୍ୟକ୍ତି ଜଣଙ୍କୁ ଗଙ୍ଗପଡା ସ୍ଥିତ ପୁରୁଷ ମାନସିକ ଅନଗ୍ରସର ଲାଗି ରହିଥିବା ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତିରିତ କରିବା ପାଇଁ ଯୋଗାଯୋଗ କରିଥିଲେ । କିନ୍ତୁ ସେଠାରୁ ତାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା । ତତ୍ପରେ ନିକଟରେ ଥିବା ପୋଲିସ୍ ଫାଣ୍ଡିକୁ ସହଯୋଗ ମାଗିଥିଲେ । କିନ୍ତୁ ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀ ଜଣକ ନାଲି ଆଖି ଦେଖାଇବା ସହ ଶ୍ରୀ ନାୟକଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ଘଉଡ଼ାଇ ଦେଇଥିଲେ । ଶେଷରେ ଶ୍ରୀ ନାୟକ ହେଲପଲାଇନ୍ ନମ୍ବର ୧୧୨କୁ ଏ ସମ୍ପର୍କରେ ସୂଚନା ଦେଇ ଫେରି ଆସିଥିଲେ । ଏ ସମ୍ପର୍କରେ ଶ୍ରୀ ନାୟକ ଉଦ୍ବେଗ ପ୍ରକାଶ କରି କହିଛନ୍ତି ମୁଁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ, ଦିବ୍ୟାଙ୍ଗଙ୍କ ବିକାଶ ନିମନ୍ତେ ସ୍ୱତନ୍ତ୍ର ବିଭାଗ, ସ୍ୱତନ୍ତ୍ର ପାଣ୍ଠି ଓ ବିଭାଗୀୟ ମନ୍ତ୍ରୀ, ସଚିବ, କର୍ମଚାରୀ ରହିଛନ୍ତି । ତତ୍ ସହିତ ଅନେକ ସାମାଜିକ ଅନୁଷ୍ଠାନ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ହେଲେ କ’ଣ ହେବ? ଏମାନଙ୍କୁ ସାହା ହେବା ପାଇଁ କିଏ ଅଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସତରେ କ’ଣ ମାନବିକତା ହଜିଗଲାଣି । ଉକ୍ତ ବ୍ୟକ୍ତି ଜଣକ ବୟସ ପାଖାପାଖି ୫୦ ବର୍ଷ ହେବ । ସେ ଜଣେ ଅଣଓଡ଼ିଆ ବୋଲି ଜଣାପଡିଛି ।