ଐତିହାସିକ ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରାଚୀ ଅବବାହିକା ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ଐତିହାସିକ, ଗବେଷକ, ସାହିତ୍ୟିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ତମ ଜନ୍ମଦିବସ ସ୍ଥାନୀୟ ସହିଦନଗରସ୍ଥିତ ଜୟଦେବ କମ୍ପେ୍ଲକ୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରସ୍ୱତ କୃତି ‘ପ୍ରାଚୀ ଅବବାହିକା’ ଲୋକାର୍ପିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ, ଗବେଷକ ଅସିତ ମହାନ୍ତି, ବରେଣ୍ୟ ଅତିଥି ଭାବେ ସ୍ତମ୍ଭକାର, ଗବେଷକ ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦେବା ସହିତ ଗବେଷଣା, ସାହିତ୍ୟ କ୍ଷେତ୍ରରେ ଡ. ତ୍ରିପାଠୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଭୁବନେଶ୍ୱରର ଐତିହ୍ୟ ଏବଂ ଜିଲ୍ଲା ଗଠନ ଦାବିର ଯଥାର୍ଥତା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ, ବାଗ୍ମୀ ତଥା ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଜନ୍ମୋତ୍ସବ କମିଟିର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସଭାପତିତ୍ୱ ଓ ସଂଯୋଜନା କରି ମତବ୍ୟକ୍ତ କରିଥିଲେ ଯେ, ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦୀ ସଂସ୍କୃତି । ଏଥିସହିତ ଯେଉଁମାନେ ସମାଜର ସାମଗ୍ରୀକ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ, ସେମାନେ ସମ୍ମାନ ପାଇବାକୁ ହକଦାର । ଆଜିର ଯୁବପୀଢି ଡ. ତ୍ରିପାଠୀଙ୍କ ଗବେଷଣା ଓ ସାହିତ୍ୟକୁ ଅନୁସରଣ କରି ନୂତନ ଭାବେ ଗବେଷଣା କଲେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଉପହାର । ଏହି ଅବସରରେ ପ୍ରଫେସର ଡଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମାଜସେବୀ ନାରାୟଣ ଓଝା, ବିଶିଷ୍ଟ ସାହିତ୍ୟିକ, ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ମଦନ ମୋହନ ପାଢୀ, ବିଜୟ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ