ଉତ୍ତର ଓଡ଼ିଶା ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ସଂଘର ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ଉତ୍ତର ଓଡ଼ିଶାରେ ବିଦ୍ୟୁତ୍ ସଂସ୍ଥା ଅଧିନରେ କାର୍ଯ୍ୟକରି ଚାକିରିରୁ ଅବସର ନେଇଥିବା କର୍ମଚାରୀମାନଙ୍କୁ ନେଇ ଗଠିତ ‘ନର୍ଥ ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ’ ପଞ୍ଜୀକୃତ ହେବାପରେ ସଂଘର ପ୍ରଥମ ସାଧାରଣ ସଭା ବାଲିଆସ୍ଥିତ ପାୱାର ଏମ୍ପ୍ଲୟିଜ୍ ୟୁନିୟନ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଭାରେ ଉପସଭାପତି ଶଶାଙ୍କ ଶେଖର ବେହେରା ସଭାପତିତ୍ୱ କରିଥିଲେ । ଆବାହକ ଭରତ ଚନ୍ଦ୍ର ସେଠୀ ସଂଘର ପଞ୍ଜୀକରଣ ସଂପର୍କରେ ଅବଗତ କରାଇ ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କର୍ତ୍ତୃପକ୍ଷ ସେମାନଙ୍କର ଦୀର୍ଘ ଦଶ ପନ୍ଦର ବର୍ଷ ଏନ୍‌ଏମ୍‌ଆର୍ ଚାକିରି କାଳର ଗ୍ରାଚ୍ୟୁଇଟି ପ୍ରଦାନ କରୁନାହାନ୍ତି । ଏହି ଚାକିରି କାଳର ଗ୍ରାଚ୍ୟୁଇଟି ପାଇଁ ୧୨ଜଣ ଅବସରପ୍ରାପ୍ତ କର୍ମଚାରୀ ଆଇନ୍‌ର ଆଶ୍ରୟ ନେଇ ଜୟଯୁକ୍ତ ହୋଇଛନ୍ତି । ତେଣୁ ଏହି ବର୍ଗର ସମସ୍ତ କର୍ମଚାରୀମାନଙ୍କୁ କର୍ତ୍ତୃପକ୍ଷ ଗ୍ରାଚ୍ୟୁଇଟି ପ୍ରଦାନ ପାଇଁ ଶ୍ରୀ ସେଠୀ ଦାବି କରିଥିଲେ । ସର୍ବଶ୍ରୀ ବ୍ରହ୍ମାନନ୍ଦ ଦାସ, ନବକିଶୋର ଦାସ, ସୁରେନ୍ଦ୍ର ଲେଙ୍କା, ଗଜେନ୍ଦ୍ର ବେହେରା, ଦୟାନିଧି ପାଳ, ଅରୁଣ ସିଂହଙ୍କ ସମେତ ସଂଘର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ଓ ପାୱାର ଏମ୍ପ୍ଲୟିଜ୍ ୟୁନିୟନ୍‌ର ନେତା ସତ୍ୟ ନାରାୟଣ ବେହେରା ପ୍ରମୁଖ ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ଆଇନଗତ ଦାବି ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସମୟ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ସଂଘର ସାଧାରଣ ସଂପାଦକ ତାଙ୍କର ଦାୟିତ୍ୱ ତୁଲାଇବାକୁ ଅନିଚ୍ଛା ପ୍ରକାଶ କରିବାରୁ ଭରତ ଚନ୍ଦ୍ର ସେଠୀଙ୍କୁ ସାଧାରଣ ସଂପାଦକ ଓ ଅରୁଣ ସିଂହଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି । ସଂଘର ସଭ୍ୟସଂଖ୍ୟା ବୃଦ୍ଧିପାଇଁ ସମସ୍ତ ଜିଲ୍ଲା ଓ ଡିଭିଜନ୍ ସ୍ତରୀୟ ବୈଠକ ଆସନ୍ତା ଦୁଇମାସ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଶେଷରେ ଜଗନ୍ନାଥ ମାହାଲ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାରେ ଉତ୍ତର ଓଡ଼ିଶାର ୫ଟି ଜିଲ୍ଲାରୁ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ