ପୋଖରୀ ପାଣିରେ ବୁଡି ୨ ଭଉଣୀ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦୁନିଆରେ ପାଦ ଥାପିବା ପୂର୍ବରୁ ସାନ ଓ ବଡ଼ ୨ ଜଣ କଁଅଳ ଶିଶୁ କନ୍ୟାଙ୍କ ଅକାଳ ବିୟୋଗ ଘଟିଛି। କେହି କିଛି ଭାବିବା ପୂର୍ବରୁ ପାଣିରେ ବୁଡି ୨ ଅଲିଅଳ ଭଉଣୀଙ୍କ ପ୍ରାଣବାୟୁ ଚାଲି ଯାଇଛି।ଏଭଳି ଏକ ଛାତି ଥରା ଘଟଣା ସମସ୍ତଙ୍କୁ ସ୍ତମ୍ବିଭୁତ କରିଛି। ଘଟଣାଟି ରବିବାର ସକାଳେ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମ ପୋଖରୀ ପାଣିରେ ବୁଡି ୧୦ବର୍ଷ ଓ ୭ ବର୍ଷର ୨ ଭଉଣୀଙ୍କ ଜୀବନ ଦୀପ ଲିଭି ଯାଇଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଜରଡ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ ରାଉତ (୧୦) ଓ ସାନ ଝିଅ ସନ୍ଧ୍ୟାରାଣୀ ରାଉତ (୭) । ପ୍ରକାଶ ଯେ, ଜରଡ ଗ୍ରାମର ଅବକାଶ ରାଉତଙ୍କ ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ଓ ୨ ଝିଅ ଦୀର୍ଘ ଦିନ ଧରି ଅଜା ଘର ଗ୍ରାମ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମରେ ରହି ଆସୁଥିଲେ। ରବିବାର ୨ ଭଉଣୀ ସନ୍ଧ୍ୟା ଓ ରୋଷନୀ ଗାଧୋଇବା ପାଇଁ ଅଜା ନାର୍ସୁ ପୋଲାଇଙ୍କ ସହ ଗ୍ରାମ ପୋଖରୀକୁ ଆସିଥିଲେ। ୨ ଭଉଣୀଙ୍କୁ ଗାଧୋଇବା ପରେ ପୋଖରୀ କୁଳରେ ଛିଡା କରି ଅଜା ପୋଷାକ ସଫା କରିବା ପାଇଁ ପୋଖରୀକୁ ଯାଇଥିଲେ । ଏହି ସମୟରେ ୨ ଭଉଣୀ ଗାଧୋଇବା ପାଇଁ ପୁଣି ପୋଖରୀ ପାଣି ଭିତରକୁ ଯାଇ ଅସାବଧାନତା ବଶତଃ ପୋଖରୀ ପାଣିରେ ବୁଡି ଯାଇଥିଲେ। ଅଜା ପୋଷାକ ସଫା କରିବା ପରେ  ୨ ନାତୁଣୀ ପୋଖରୀ ନିକଟରେ ନଥିବା ଦେଖି ଘରକୁ ଫେରି ଯାଇଥିବା ସନ୍ଦେହ କରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ଘର ମଧ୍ୟରେ ୨ ନାତୁଣୀଙ୍କୁ ନ ପାଇ ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ପାଣିରେ ଖୋଜାଖୋଜି କରିଥିଲେ। ପୋଖରୀ ପାଣି ଭିତରୁ ଗ୍ରାମବାସୀ ୨ ଭଉଣୀଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଭଉଣୀଙ୍କ ମୃତ ଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୨/୨୩  ଓ ୩୩/୨୩ରେ ୨ଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।ଘଟଣା ପରେ ପରିବାରରେ କାନ୍ଦ ବୋବାଳିରେ ଫାଟି ପଡୁଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ