ଜାତୀୟ ପ୍ରେସ୍ ଦିବସର ଅନୁଚିନ୍ତା : ଆମ୍ଭର ରାଷ୍ଟ୍ରକୁ ଗଢିବା ନା ଭାଙ୍ଗିବା?

ପ୍ରଦୀପ ସେନାପତି
ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ । ଏହା ଏକ ନୈତିକ ସିଦ୍ଧାନ୍ତ । ଏକ ମହତ୍ତ୍ୱର ସାମାଜିକ ଜୀବନର ଧାରା । ବ୍ୟକ୍ତିକୁ ସମାଜ ସହିତ, ସମାଜକୁ ରାଷ୍ଟ୍ର ସହିତ ଏକ ସାମୁହିକ ସଦ୍‌ଭାବନାରେ ସଂଯୁକ୍ତ କରିବାରେ ଗଣତନ୍ତ୍ରକୁ ନୀତି ନିର୍ଦ୍ଦାରକ ସୂତ୍ର ଭାବରେ ଗ୍ରହଣ କରାଯାଇଥାଏ । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଜନମଙ୍ଗଳ ରାଷ୍ଟ୍ରରେ ଜନଗଣଙ୍କ ସହିତ ଯୋଡ଼ିବାରେ “ଗଣମାଧ୍ୟମ” ହିଁ କେବଳ ଆମ୍ଭର ରାଷ୍ଟ୍ର ପାଇଁ ନୁହେଁ, ସମଗ୍ର ବିଶ୍ୱପାଇଁ ବାସ୍ତବ କ୍ଷେତ୍ରରେ ଏକ ପ୍ରକାର ସେତୁ ଅଟନ୍ତି । ଏହି ସେତୁବନ୍ଧନ ସୁଦୃଢ ତଥା ଅତୁଟ ରହିବାରେ ହିଁ ଗଣତନ୍ତ୍ରର ସଫଳତା ଭାବରେ ରାଷ୍ଟ୍ର ଅନୁଭବ କରିବ । ସେଥିପାଇଁ ଗଣମାଧ୍ୟମକୁ ସମଗ୍ର ବିଶ୍ୱରେ ଅଭିହିତ କରାଯାଇଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ । ଏହି ଚତୁର୍ଥ ସ୍ତମ୍ଭଟି କୌଣସି କାରଣ ବଶତଃ ନିଜର ମୌଳିକ ଗୁଣବତ୍ତା ହରେଇ ଦୁର୍ବଳ ହୋଇଗଲେ ଗଣତନ୍ତ୍ରର ସ୍ଥିତି ବିପନ୍ନ ହୋଇପଡ଼ିବ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଦୁଇ ପକ୍ଷ ଅର୍ଥାତ୍ ସରକାର – ଜନସାଧରଣଙ୍କ ମଧ୍ୟରେ ଗଣମାଧ୍ୟମ ସଂଯୋଜକର ଭୂମିକା ଗ୍ରହଣ କରେ । ମାତ୍ର ଏତଦ୍‌ବ୍ୟତୀତ ଆମ ସାଧାରଣ ଜନଜୀବନରେ ସଂଘଟିତ ଘଟଣା ବହୁଳ ଅଘଟଣ, ସୁଖ -ଦୁଃଖର ବର୍ଣ୍ଣନାତୀତ କାହାଣୀକୁ ନେଇ ମଧ୍ୟ ଲୋକଲୋଚନକୁ ଆଣି ଗଣ ମାଧ୍ୟମ ଏକ ପ୍ରଭାବଶାଳୀ ନେତୃତ୍ୱର ଭୂମିକା ଗ୍ରହଣ କରିଛି ।
ମୋର ସରକାରଙ୍କ ଠାରେ ପ୍ରଶ୍ନ ହେଉଛି, ଆମ୍ଭର ରାଷ୍ଟ୍ରକୁ ଗଢିବା ନା ଭାଙ୍ଗିବା ? ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜର ଦାୟୀତ୍ୱ ସମ୍ପାଦନ କରିବା ନା ଅସୁସ୍ଥତାର ସମସ୍ତ ଳକ୍ଷଣ, ବିଲକ୍ଷଣତାର ପ୍ରଚାର ପ୍ରସାର କରି ଜନମଙ୍ଗଳକାରୀ ସମାଜରେ କଳୁଷିତ ବାତାବରଣରେ ଏକ ନକରାତ୍ମକ ପରିବେଶ ସୃଷ୍ଟି କରିବା ? କ’ଣ ହେବ ଗଣମାଧ୍ୟମର ଭୂମିକା ? ଅବଶ୍ୟ ଗଢିବାକୁ ହେଲେ ଦୀର୍ଘ ମିଆଦି ସୂତ୍ର । ଭାଙ୍ଗିବାକୁ ହେଲେ ତତ୍‌କ୍ଷଣାତ୍ ହେବ । ଅସୁସ୍ଥତାର ଲକ୍ଷଣକୁ ଅଣଦେଖାକରି ସୁସ୍ଥତାର ବାହାନା କଲେ ଚଳିବ ନାହିଁ ।
ସାମ୍ବାଦିକତାକୁ ଆଧାର କରି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ସଫଳ ନେତୃତ୍ୱ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସମ୍ବାଦପତ୍ରର ତିନୋଟି ଲକ୍ଷ୍ୟ ରହିବା ଉଚିତ । (୧) ପ୍ରକୃତ ଜନମତର ସଠିକ ଅଧ୍ୟୟନ (୨) ଦୁର୍ନୀତି ତଥା ସାମାଜିକ ଅବ୍ୟବସ୍ଥା ଇତ୍ୟାଦିର ନିର୍ଭୀକ ପରିବେଷଣ । (୩) ଗଠନମୂଳକ ଲେଖା ମାଧ୍ୟମରେ ଜନଜାଗରଣ ତଥା ଜନ ଅନ୍ଦୋଳନର ସୃଷ୍ଟି ।
ଅନେକ ଉଦାହରଣ ଇତିହାସରେ ଲିପିବଦ୍ଧ ଥିବାବେଳେ, ସଂକ୍ଷେପରେ ସୂଚାଇ ଦେବାକୁ ଉଚିିତ ମନେ କରୁଛି । ଭାରତକୁ ଆସିବା ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା “ଇଣ୍ଡିଆନ୍ ଓପିନିଅନ୍‌” । ଭାରତକୁ ଫେରିବାପରେ ପ୍ରଥମେ ମାସିକ ଗୁଜୁରାଟୀ ପତ୍ରିକା ‘ନବଜୀବନ’ ପ୍ରକାଶନ ହାତକୁ ନେଇଥିଲେ । ଜନମଙ୍ଗଳ ପାଇଁ ଦୂରଦୃଷ୍ଟି ରଖି ଗାନ୍ଧିଜୀ ଓକିଲାତିକୁ ନିଜର ସତ୍ ଚରିତ୍ରବାନ ପେଶା କରିଥିଲେ ମଧ୍ୟ ସତ୍ ପରିମାର୍ଜୀତ ଭାବରେ ପର୍ଯ୍ୟବେଷିତ ନିଶାଥିଲା ତାଙ୍କର ସାମ୍ବାଦିକତା ଏବଂ ଏହାକୁ ସାପ୍ତାହିକ ସମ୍ବାଦପତ୍ର କଲେ । ଏହା ସହିତ ଇଂରାଜୀ ମାସିକ ‘ୟଙ୍ଗ ଇଣ୍ଡିଆ’ ପ୍ରକାଶନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ‘ସତ୍ୟାଗ୍ରହ’ ନାମରେ ଏକ ପତ୍ରିକା ସେତେବେଳର ସମୟରେ ସାଇକ୍ଲୋଷ୍ଟାଇଲ କରାଇ ସ୍ୱାଧୀନତା ସଂଗ୍ରାମର ସତ୍ୟାଗ୍ରହୀମାନଙ୍କ ପାଖରେ ପହଞ୍ଚାଇବାର ସୁବ୍ୟବସ୍ଥା କରିଥିଲେ । ୧୯୩୦ରେ ଗାନ୍ଧିଜୀ ନିଜ ପତ୍ରିକାର ନାମ ବଦଳାଇ ‘ହରିଜନ’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ କଲେ । ଗାନ୍ଧିଜୀଙ୍କ ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ଜନନେତାଙ୍କ ମଧ୍ୟରେ ଥିଲେ ଅନେକ ସାମ୍ବାଦିକ । ପଞ୍ଜାବ କେଶରୀ ଲାଲା ଲଜପତ ରାୟ, ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ, ଦେଶବନ୍ଧୁ ଚିତରଞ୍ଜନ, ଯୋଗୀ ଶ୍ରୀ ଅରବିନ୍ଦ, ରାଜଗୋପାଳ ଚାରୀ, ନେତାଜୀ ସୁଭାଷ ଚନ୍ଦ୍ର, ଉତ୍କଳମଣି ଗୋପବନ୍ଧୁ, ହରେକୃଷ୍ଣ ମହତାବ, ରାଧାନାଥ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଅଟଳ ବିହାରୀ ବାଜପେୟୀ ପ୍ରଭୃତିଙ୍କ ନାମ ଆଜି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଅଟେ । ଦେଶବାସୀଙ୍କ ସ୍ମରଣକୁ ଆସେ ଏହିଭଳି ଯୋଗଜନ୍ମା ମହାପୁରୁଷଙ୍କ ନାମ । ଯେଉଁମାନଙ୍କର ସାରା ବିଶ୍ୱରେ ପରିଚିତ ରହିଥିଲା । ସ୍ୱାଧୀନତା ପରେ ଗଣତାନ୍ତ୍ରିକ ଭାରତବର୍ଷକୁ ଦୃଢ ଶକ୍ତିଶାଳି କରି ଗଢିବା ଦିଗରେ ସାମ୍ବାଦିକମାନଙ୍କର ଭୂମିକା ଅଧିକ ଗୁରୁତ୍ୱ ପୂର୍ଣ୍ଣ ହୋଇପଡ଼ିଛି । ସାମ୍ବାଦିକମାନେ ସେହି ଭୂମିକାକୁ ଯଥାର୍ଥ ଭାବରେ ଗୁରୁ ଦାୟୀତ୍ୱ ବୋଲି ତୁଲାଇଲେ ହିଁ ଗଣ ମାଧ୍ୟମର ଲକ୍ଷ ସାଧନହେବା ସହିତ କିଭଳି ଭାବରେ ଏହାର ଗାରିମା ଅକ୍ଷୁର୍ଣ୍ଣ ରହିବ ତାହା ସାମ୍ବାଦିକମାନେ ସିଦ୍ଧାନ୍ତ ଗ୍ରହଣ କରିବେ ବୋଲି ମୋର ଦୃଢ ବିଶ୍ୱାସ ଅଛି ।
ପୁରାଣଯୁଗର କଥାକୁ ସୂଚାଇ ଦେବାକୁ ଚାହୁଁଛି । ସାମ୍ବାଦିକମାନଙ୍କୁ ପୁରାଣ ଯୁଗରେ ମହର୍ଷି ଦେବର୍ଷୀ ନାରଦ ରୂପରେ ଅବତୀର୍ଣ୍ଣ କରାଯାଇଥିଲା ଏବଂ ଦେବତାମାନଙ୍କ ପାଇଁ ଦେବର୍ଷୀ ନାରଦ ମଧ୍ୟ ଶୁଭ ଉପଦେଷ୍ଟା ଭାବରେ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ, ଦେବତାମାନେ ମଧ୍ୟ ଦେବର୍ଷୀଙ୍କ ଉପଦେଶକୁ ସଦା ସର୍ବଦା ପାଳନ କରୁଥିଲେ । ସେତେବେଳେ ସାମ୍ବାଦିକମାନଙ୍କର କୌଣସି ସଂଗୀନ ସମସ୍ୟା ନଥିଲା ।
କିନ୍ତୁ, ଆଜିର ଯୁଗରେ ସାରା ବିଶ୍ୱ ଏବଂ ଭାରତବର୍ଷ ଏକ ଗଣମାଧ୍ୟମର ଯୁଗ ଭାବରେ ପରିଗଣିତ ହେଉଛି । ଯାହାକି ଆଜି ଏହି ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି । ପ୍ରଧାନମନ୍ତ୍ରୀ କରାଇବା ପଛରେ ପ୍ରମୁଖ ଭୂମିକା କେବଳ ଗଣମାଧ୍ୟମ ହିଁ ନିର୍ବାହ କରିଥାଏ । ଗଣମାଧ୍ୟମ ହିଁ ଜନ ସାଧାରଣଙ୍କୁ ପ୍ରଭାବିତ କରି ୫୦ ଭାଗ ଭୋଟ ସଂଗୃହୀତ କରିଥାଏ । ଆହୁରି ମଧ୍ୟ ସମସ୍ତେ ଜାଣିଛନ୍ତି ଯେ, ଗଣମାଧ୍ୟମ ଚାହିଁଲେ ଗୋଟିଏ ସରକାରକୁ ଭାଙ୍ଗିଦେଇପାରେ, ଗଢିଦେଇ ପାରେ ଏବଂ ବଦଳାଇଦେଇପାରେ । ଏହାକୁ ମଧ୍ୟ ଆନ୍ତରିକତାର ସହିତ ହୃଦୟଙ୍ଗମ କରି ଭାରତରତ୍ନ ଅଟଳବିହାରୀ ବାଜପେୟୀ ଥରେ ପୁରୀ ସମ୍ମିଳନୀରେ ମତପ୍ରକାଶ କରିଥିଲେ । ତାହା ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କ ପାଖରେ ଏହା ପରିଲକ୍ଷିତ ହୋଇଛି । ତେଣୁ ଆଜିର ଯୁଗରେ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସାମ୍ବାଦିକମାନଙ୍କ ପ୍ରତି ସରକାର ଉଦାସୀନ କାହିଁକି ବୋଲି “ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ” ପକ୍ଷରୁ ଆମର ପ୍ରଶ୍ନ?
ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସାମ୍ବାଦିକମାନଙ୍କର ଚିହ୍ନଟ ପ୍ରକ୍ରିୟା ତାଲିକା ତ୍ୱରାନ୍ନୀତ ହୋଇ ନଥିବା ବେଳେ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଥମେ ଦୁଇଲକ୍ଷ ଏବଂ ପରେ ପାଞ୍ଚ ଲକ୍ଷ ଟଙ୍କା ଘୋଷଣା କରି ସାମ୍ବାଦିକମାନଙ୍କୁ ଉପହାସ କରିଛନ୍ତି । ରାଜ୍ୟର ସମସ୍ତ ବ୍ଳକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ଏ ପର୍ଯ୍ୟନ୍ତ ଚିହ୍ନଟ ତାଲିକା ପ୍ରସ୍ତୁତ ହୋଇନାହିଁ । ତରବରିଆ ଭାବରେ ସ୍ୱାସ୍ଥ୍ୟବୀମା ଯୋଜନା ପାଞ୍ଚ ଲକ୍ଷ ଘୋଷଣା କରିବା ଯଥାର୍ଥ ଦାବୀ ନୁହେଁ, ତାହାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦୃଢ ଦାବି କରୁଅଛୁ । ସାଧାରଣ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ସାତଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଥିବା ବେଳେ, କେଉଁ ବିଚାରଧାରାରେ ସାମ୍ବାଦିକମାନଙ୍କୁ ଅପମାନିତ କରୁଛନ୍ତି ତାହା ଆମେ ମର୍ମାହତ । ସାମ୍ବାଦିକମାନଙ୍କୁ ଅବସର ପରେ ଟଙ୍କାଟିଏ କେହି ଦିଅନ୍ତି ନାହିଁ । ସମାଜସେବା କ୍ଷେତ୍ରରେ ମର୍ଯ୍ୟଦା ସମ୍ପନ୍ନ ଦୃଷ୍ଟିରୁ ଦରମା ମଧ୍ୟ ପାଆନ୍ତି ନାହିଁ । ଯାହା ବିଶ୍ୱରେ କୌଣସି ଦେଶରେ ଏଭଳି ଉଦାସୀନତା ଦେଖାଯାଏ ନାହିଁ । ତେଣୁ ସାମ୍ବାଦିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସକୁ ୨୫ ହଜାର ଟଙ୍କା ପେନ୍‌ସନ୍‌, ୫୦ଲକ୍ଷଟଙ୍କା ପର୍ଯ୍ୟନ୍ତ ଗୃହଋଣ ବ୍ୟବସ୍ଥା କରିବା ସହିତ ସେଥିମଧ୍ୟରୁ ୨୦ ଭାଗ ଗୃହଋଣ ଛାଡ଼ କରିବା ପାଇଁ ଏହି ଦିବସରେ ଅନୁରୋଧ କରୁଅଛୁଁ । ସାମ୍ବାଦିକ ପେନ୍‌ସନ୍ କାର୍ଡ଼ ପ୍ରଦାନ, ସାମ୍ବାଦିକ ସଂଘ ମାଧ୍ୟମରେ କେନ୍ଦ୍ରସରକାର କମିଟି ଗଠନ କରି ଚିହ୍ନଟ ତାଲିକା ଚୁଡ଼ାନ୍ତ କରାଯାଉ । ଟ୍ରେନ୍‌ରେ ୫୦ଭାଗ ରହିାତି ଦେବା ଆଦି ମୌଳିକ ଦାବିଗୁଡ଼ିକୁ ସହୃଦୟରତାର ସହିତ ହୃଦୟଙ୍ଗମ କରି ଉପଯୁକ୍ତ ତଥା ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଷ୍ପତ୍ତି ନେବାପାଇଁ ପୁଣି ଥରେ ଜାତୀୟ ପ୍ରେସ୍ ଦିବସ ଅବସରରେ ବିନମ୍ର ଅନୁରୋଧ କରୁଅଛୁ । ପରିଶେଷରେ, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ ପକ୍ଷରୁ ସମସ୍ତ ଗଣମାଧ୍ୟମକୁ ଆନ୍ତରିକତାର ସହିତ ଅଭିନନ୍ଦନ ଜଣାଉଅଛି ।
ରାଜ୍ୟ ସଭାପତି
ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ
ଜାତୀୟ ସ୍ତରର ସାମ୍ବାଦିକ, ଇଣ୍ଡିଆନ ନିୟୁଜ ସାଇଟ, ଆନ୍ତର୍ଜାତୀୟ ସ୍ତମ୍ଭକାର, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର – ୨, ଜିଲ୍ଲା – ଖୋର୍ଦ୍ଧା, ମୋ – ୭୮୪୮୮୯୮୪୫୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ