ନେପାଳରୁ ଆସିଥିବା ଉର୍ଦ୍ଦୁ କବି ନେମତ ରିଜ୍ୱିଙ୍କୁ ‘ତର୍ଜୁମାନ ନ୍ୟୁଜ୍ ଟାଇମ୍’ ପକ୍ଷରୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) : ନେପାଳରୁ ଆସିଥିବା ଉର୍ଦ୍ଦୁ କବି ନେମତ ରିଜ୍ୱିଙ୍କୁ ‘ତର୍ଜୁମାନ ନ୍ୟୁଜ୍ ଟାଇମ୍’ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ନିକା ମହଲର ସମ୍ମିଳନୀକକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ପ୍ରତିଭା ଜନାବ ନିୟାମତ ରିଜ୍ଭି କହିଥିଲେ କି, ବାଲେଶ୍ୱର ସାରା ବିଶ୍ୱରେ ମିଜାଇଲ୍ ସିଟି ଭାବେ ସୁଖ୍ୟାତି ଅର୍ଜନ କରିଥିବାରୁ ସେ ଏହି ସହରକୁ ବୁଲିବାକୁ ଆସିଥିଲେ । ତେବେ ଆଜିର ସମ୍ବର୍ଦ୍ଧନା ସଭାରେ ବହୁ ଊର୍ଦ୍ଦୁ ଭାଷାଭାଷୀ ଲୋକଙ୍କୁ ଦେଖିବା ପରେ ଏହି ଜିଲ୍ଲାରେ ଉର୍ଦ୍ଦୁ ସମେତ ଅନ୍ୟାନ୍ୟ ଭାଷାର ସାହିତ୍ୟ ଓ କବିତା ନିଶ୍ଚିତ ଭାବେ ଆଗକୁ ଅଗ୍ରସର ହୋଇପାରିବ । ତେବେ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ଏହା ସହିତ ତର୍ଜୁମାନ ନ୍ୟୁଜ୍ ଟାଇମର ସମ୍ପାଦକ କବି ଅଜିମ ବାଲେଶ୍ୱରୀଙ୍କ ଏଭଳି ଉର୍ଦ୍ଦୃ ସାହିତ୍ୟ ପ୍ରତି ଥିବା ଆଗ୍ରହ ନିଶ୍ଚିତ ଭାବେ ଜିଲ୍ଲାର ସାହିତ୍ୟିକ ଓ ପାଠକମାନଙ୍କୁ ପ୍ରଭାବିତ କରିବ । କବି ମଦୁସୂଦନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ପ୍ରତିଭା ନିୟାମତ୍ ରିଜ୍ଭି ଶ୍ରୋତାମାନଙ୍କୁ କେତେକ ସାୟରୀ ଶୁଣାଇ ମନ୍ତ୍ରମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବଳାଙ୍ଗୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ରତ୍ନାକର ସିଂହ, ମୁସଲିମ୍ ୱେଲଫେୟାର ସୋସାଇଟି ସଭାପତି ମହମ୍ମଦ୍ ମୁଖଦାର ଅହମ୍ମଦ, ଯୁବ ବ୍ୟବସାୟୀ ସଲିମ ସୁବାସା, ଉର୍ଦ୍ଦୁକବି ନୁର୍ ବକ୍ସ ନୁର୍, ମହମ୍ମଦ ମୁନୀବ, ମହମ୍ମଦ କାମିଲ ଲାଲବାବୁ ପ୍ରମୁଖ ଉର୍ଦ୍ଦୃ ସାହିତ୍ୟ, କବିତା ଓ ପ୍ରବନ୍ଧ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତର୍ଜୁମାନ ନ୍ୟୁଜ ଟାଇମର ସମପାଦକ ଅଜିମ୍ ବାଲେଶ୍ୱର ପରିଚାଳନା କରିଥିବାବେଳେ ତୌସିଫ୍ ଆଲମ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନା ସଭା ପ୍ରାରମ୍ଭରେ ନାତ୍ ଏ-ପାକ୍ ସମ୍ପନ୍ନ କରାଯାଇଥିଲା ।