ପଟ୍ଟଶିଷ୍ୟ ଦୋଳ ଗୁରୁଜୀଙ୍କ ସ୍ମୃତିସଭା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ନେମ୍ବରା ଗ୍ରାମର ସୁଯୋଗ୍ୟ ସନ୍ତାନ,ମଧୁସାଗର ବିଦ୍ୟାପୀଠ ମଣିଷ ତିଆରି କାରାଖାନାର ପ୍ରମୁଖ ଛାତ୍ର,ଚିନ୍ତାମଣି ଗୁରୁଜୀଙ୍କ ହାତଗଢା ପଟ୍ଟଶିଷ.ଜୀବନବ୍ୟାପି ଗାନ୍ଧୀବାଦି ଆଚରଣ ଓ ଉଚାରଣର ଶିକ୍ଷକ ଦୋଳ ଗୁରୁଜୀଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଜନ୍ମସ୍ଥାନ ନିଜ ଗ୍ରାମ ନେମ୍ବରା  ଠାରେ ଶୁକ୍ରବାର କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଙ୍କ ସ୍ମୃତି ଉଦେଶ୍ୟରେ ୧ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ତାଙ୍କ ଜୀବନାଲୋକ ଉପରେ ବକ୍ତାମାନେ ଗୁଣଗାନ କରିଥିଲେ । ବ୍ରିଟିଶ ଶାସନର ତାଡନା ସମୟରେ ଏକ ନିପଟ ମଫସଲରେ ୧୯୩୦ମସିହା ସେପ୍ଟେମ୍ବରମାସ ୨୫ତାରିଖରେ ପିତା ଚଇଁ ପରିଡା ଓ ମାତା କୁନ୍ତଳା କୁମାରୀ ପରିଡାଙ୍କ କୋଳମଣ୍ଡନକରି ଦୁଇ ଭାଇ ଓ ଦୁଇ ଭଉଣୀ ମଧ୍ୟରୁ ସାନପୁଅ ଭାବେ ଭୂମିଷ୍ଠ ହୋଇଥିଲେ ଦୋଳଗୋବିନ୍ଦ । ଯାହାଁଙ୍କର ଜନ୍ମ ହୋଇଥିଲା ଦେଶ ମାତୃକାର ସେବା କରିବା ପାଇଁ । ସେ ବା କିଭଳି ପରିବାର ଭିତରେ ଆବଦ୍ଧ ହୋଇ ରହିପାରିବେ । ୧୯୪୮ମସିହାରେ ଚିନ୍ତାମଣି ଗୁରୁଜୀଙ୍କ ଆଦର୍ଶରେ ମଣିଷ ତିଆରି କାରକାନା ଭାବେ ପରିଚିତ ତଥା ଗାନ୍ଧିଜୀଙ୍କ ମୈାଳିକ ଶିକ୍ଷା ନୀତିରେ ଶିକ୍ଷା ସହିତ କାମ ଦାମକୁ ଆଦରି ମଧୁସାଗରରେ ରହି ଶିକ୍ଷା ସହିତ ସେତେବେଳର ଇ.ଟି.ପ୍ରଶିକ୍ଷଣ ନେଇଥିଲେ । ଆଦର୍ଶ ମଣିଷ ଭାବେ ନିଜ ଗ୍ରାମଠାରୁ ୨୦କିଲୋମିଟର ଦୂର କୂଳସାହିକୁ ୧୯୫୮ମସିହାରେ କାଦୁଅ ରାସ୍ତାରେ ଚାଲିଚାଲି ଯାଇ ବିବାହ କରିବାକୁ ବରଯାତ୍ରୀଙ୍କୁ ସଙ୍ଗରେ ନେଇ ଯାଇଥିଲେ । ବର୍ଷାଦିନ ହେତୁ କଳପଡା ନିକଟ ଲୁଣନଦୀରେ ପ୍ରବଳ ବନ୍ୟା ଓ ବର୍ଷା ଫଳରେ ଡଙ୍ଗା ନଆସିବାରୁ କଳପଡାରେ କିଛି ସମୟ ରହି ବିଳମ୍ବରେ ବିବାହ କରିବାକୁ ଯାଇଥିଲେ । ପରେ ଜୀବନସାରା ଦୁଇଖଣ୍ଡ ଉତ୍ତରୀରେ,ଖଣ୍ଡେ ପିନ୍ଧିଲେ ଖଣ୍ଡେ ଦେହରେ ପକାଇ ମଧୁସାଗର ସହିତ ପସ୍ତା,ନରେନ୍ଦ୍ରପୁର,ଥାଉରୀ,ବାଲିଆ ଠାରେ ଶିକ୍ଷାଦାନକରି ଚାକିରୀରୁ ଅବସର ନେଇଥିଲେ । ନିଜର ୫ପୁଅ ଓ ତିନି ଝିଅଙ୍କୁ ଉପଯୁକ୍ତ ଶିକ୍ଷାସହିତ ଭଲ ମଣିଷ ହେବା ପାଇଁ ଆଦର୍ଶରେ ଦୀକ୍ଷିତ କରି ଯାଇଛନ୍ତି । ସାଥିରେ ନିଜର ଧର୍ମପତ୍ନୀ କ୍ଷୀରପ୍ରଭା ପରିଡା ସ୍ୱାମୀଙ୍କ ସହିତ ନୀତି ଓ କର୍ମରେ ସଂପୂର୍ଣ୍ଣ ଉତ୍ସର୍ଗୀକୃତ ଜୀବନ ଯାପନ କରିଥିଲେ । ଚାକିରୀରୁ ନିବୃତ ପରେ ଜାତି,ଜାତକ,ଯୈାତୁକ ବିରୋଧୀ ନୀତିକୁ  ନିଷ୍ଠାର ସହିତ କାର୍ଯ୍ୟକାରି କରିବା ସହିତ ଅଚଂଳର ସମସ୍ୟାରେ,ବୃକ୍ଷରୋପଣରେ ନିୟୋଜିତ ରହି ଗାଁରେ ଜୀବନ ବିତଉଥିବା ବେଳେ ଗତ ୯ତାରିଖରେ ଆମଠାରୁ ଚୀର ବିଦାୟ ନେଇଛନ୍ତି ଦୋଳଗୁରୁଜୀ । ତାଙ୍କ ଆଦର୍ଶ ଆମ ପାଇଁ ଧେୟ ହେଉବୋଲି ସ୍ମୃତିସଭାରେ ଅତିଥି ମାନେ  ମତବ୍ୟକ୍ତ କରିଛନ୍ତି । ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ଭକ୍ତ ମଲ୍ଲ,ତୁଳସି ସଂସ୍କୃତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପାଣି, ବୈଷ୍ଣବ ଚରଣ ସ୍ୱାଇଁ, ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହ ତାଙ୍କ ଉଦେଶ୍ୟରେ ପ୍ରକାଶ ପାଇଥିବା ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ସୁକାନ୍ତ କୁମାର ତାରେଣିଆ ଓ ଇତିଶ୍ରୀ ପରିଡା ଗୀତା ପାଠ କରିଥିଲେ । ତାଙ୍କ ସ୍ମୃତିରକ୍ଷା ଉଦେଶ୍ୟରେ ଏକ କମିଟି ଗଠନ କରାଯିବାକୁ ପ୍ରସ୍ତାବ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ