ରଙ୍ଗ ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ

ଦିପ୍ତିମୟୀ ନାୟକ
ରଙ୍ଗର ପର୍ବ ହେଉଛି ହୋଲି | ଫାଲ୍ଗୁନ ପୂର୍ଣ୍ଣିମା, ବସନ୍ତ ପୂର୍ଣ୍ଣିମା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ରଙ୍ଗର ପର୍ବ ହୋଲି ପାଳନ କରାଯାଏ | କାରଣ ରଙ୍ଗ ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ | ଏବଂ ଆମ ପ୍ରାକୃତିକ ପରିବେଶ ଯେମିତି ରଙ୍ଗ ବିନା ରଙ୍ଗହୀନ | ସବୁଜ ରଙ୍ଗ ଶ୍ୟାମଳ ବର୍ଣ୍ଣ ବୃକ୍ଷରାଜିର ପ୍ରଗତୀର ପ୍ରତୀକ | ଲାଲ ରଙ୍ଗ ଶକ୍ତିର ପ୍ରତୀକ | ଗୋଲାପୀ ରଙ୍ଗ ପ୍ରେମର ପ୍ରତୀକ | କମଳା ରଙ୍ଗ ତ୍ୟାଗର ପ୍ରତୀକ | ହଳଦିଆ ରଙ୍ଗ ଜ୍ଞାନର ସଂବାହକର ପ୍ରତୀକ | ତେବେ ପ୍ରତ୍ୟେକ ମଣିଷଙ୍କ ଜୀବନରେ ରଙ୍ଗ ବିନା ଜୀବନ ଜିଇଁବା ମୂଲ୍ୟହୀନ | କାରଣ ପ୍ରତ୍ୟେକ ଲୋକଙ୍କ ସୁଖ, ଦୁଃଖ, ହସ, ଲୁହ ଜୀବନ ଭିତରେ କିଛି ରଙ୍ଗ ସହିତ ନିଜ ଭିତରେ ଟିକେ ନିଜେ ହଜିଯିବା ପାଇଁ ଏ ରଙ୍ଗର ପର୍ବ ଆସିଥାଏ |ତେବେ ଫଗୁଣ ମାସର ଫଗୁ ଖେଳର ମଜା କିଛି ଅଲଗା | ପରସ୍ପରକୁ ରଙ୍ଗ ବୋଳା ବୋଳି ହୋଇ ସ୍ନେହଭରା ଆଲିଙ୍ଗନ କରି ରାଗ, ରୁଷା, ଅଭିମାନକୁ ଭୁଲି ସମସ୍ତେ ପୁଣି ଏକାଠି ହୋଇ ଯେଉଁ ହୋଲି ଖେଳ ଖେଳନ୍ତି ଏଥିରୁ ଭାଇଚାରା ଭାବ ସୃଷ୍ଟି ହୋଇଯାଏ | ଆଉ ଏମିତିରେ ଜୀବନର ରଙ୍ଗ ପ୍ରତିମୁହୂର୍ତ୍ତରେ ବଦଳେ ହେଲେ ଏଠି ମଣିଷ କେବଳ ଫଗୁଣର ରଙ୍ଗକୁ ଅପେକ୍ଷା କରିଥାଏ | ଏବଂ କିଛି ପ୍ରେମୀ ଯୁଗଳ ଫଗୁଣର ଫଗୁ ଖେଳିବା ବାହାନାରେ ସିନ୍ଥିରେ ସିନ୍ଦୁର ଦେଇ ହୋଲି ଖେଳିବାର ବାହାନା ଖୋଜନ୍ତି | ଆଉ କିଛି ଲୋକ ଗୁରୁଜନ ମାନଙ୍କ ପାଦରେ ଫଗୁ ଥୋଇ ଆଶୀର୍ବାଦ ନିଅନ୍ତି | ଆମେ କେବଳ ଫଗୁଣର ଫଗୁ ଖେଳ କଥା କହିଦେଲେ ହେବନି ବରଂ ଫଗୁଣ ମାସର ଫଗୁଖେଳ ସବୁ ସମ୍ପର୍କକୁ ଏକତା ସୂତ୍ରରେ ବାନ୍ଧି ରଖି ସମ୍ପର୍କର ଆଉ ଏକ ନୂଆ ପରିଚୟ ଦେଇଥାଏ |ସମ୍ପର୍କର ରଙ୍ଗ ବେଳେବେଳେ ଫିକା ହୋଇଯାଏ ସେଥିପାଇଁ କିଛି ଲୋକ ନିଜ ଆତ୍ମୀୟସୋଜନଙ୍କୁ ଧୋକା ଦେଇଦିଅନ୍ତି | ସୁଖ-ଦୁଃଖ, ରୋଗ-ଭୋଗ, ମାନ-ଅଭିମାନ ସବୁବେଳେ ରହେ ନାହିଁ ସମସ୍ତଙ୍କ ପାଖରେ | ସେଥିପାଇଁ କିଛି ମଣିଷ ବଞ୍ଚନ୍ତି ନିଜ ଇଚ୍ଛାରେ | ଆମେ ଯେଉଁ ନାଲି, ନେଳି, ଗୋଲାପୀ ରଙ୍ଗ କଥା କହୁଛେ ଏ ରଙ୍ଗ ତ ସମସ୍ତଙ୍କ ମୁହଁକୁ ରଙ୍ଗେଇ ଦେବ ହେଲେ ହୃଦୟ ଭିତରେ ଯେଉଁ ଇସତ୍ ଲାଲ ରଙ୍ଗର ହୃଦୟଟା ଅଛି | ସେ ହୃଦୟଟା ବଞ୍ଚେଇ ପାରିବ କାହାର ନା କାହାର ଗୋଟିଏ ଜୀବନ |ରଙ୍ଗର ପର୍ବ ହୋଲିକୁ ନେଇ ଅନେକ ଲୋକଙ୍କ ଅନେକ ମତ ଥାଏ ଏବଂ ଅନେକ ପୌରାଣିକ କଥା ମଧ୍ୟ ରହିଛି | କିନ୍ତୁ ମୁଁ ବାସ୍ତବ ସତକୁ ଅନୁଧ୍ୟାନ କରି କହୁଛି ଏ ରଙ୍ଗର ପର୍ବ ସମସ୍ତଙ୍କୁ ଏକାଠି କରୁଛି | ଫଗୁଣର ଫଗୁ ପ୍ରେମର ରଙ୍ଗରେ ରଙ୍ଗେଇ ଦିଏ ସାରା ଚଞ୍ଚଳ ମନକୁ | ପରସ୍ପର ରଙ୍ଗ ବୋଳା ବୋଳି ହୋଇ ସବୁ ମାନ ଅଭିମାନକୁ ଭୁଲି ଯେତେବେଳେ ଦୁଇ ଗାଲରେ ଫଗୁଣର ଫଗୁ ବୋଳି ଦେଇ ଆଲିଙ୍ଗନ କରିଦିଅନ୍ତି | ସେତେବେଳେ ଭାରି ଖୁସି ଲାଗେ | ଯେମିତିକି ଏ ଫଗୁଣ ରଙ୍ଗରେ କେବଳ ମନ ରଙ୍ଗେଇ ହୁଏନି ବରଂ ଏ ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଯାଏ ସାରା ଜୀବନ | ଆପଣମାନେ ଭାବିବେ ମୁଁ କଣ ପାଇଁ କହିଲି ଫଗୁଣର ରଙ୍ଗରେ ରଙ୍ଗେଇ ହୋଇଯିବ ଜୀବନ | ତେବେ ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଯାଏ ସିନା ହାତ, ମୁହଁ, କାନ, ନାକ ପୁରା ଶରୀର ହେଲେ ଜୀବନଟା କେମିତି ରଙ୍ଗେଇ ହେବ |ଜୀବନ ବି ରଙ୍ଗେଇ ହୁଏ | ଏ ରଙ୍ଗ ସିନା ସାରା ବଦନରୁ କିଛି କ୍ଷଣୀ ପରେ ଲିଭିଯିବ ହେଲେ ହୃଦୟ ଭିତରେ ଯେଉଁ ସ୍ମୃତି ଟିକକ ରହିଥିବ | ସେ ପ୍ରତିମୁହୂର୍ତ୍ତରେ ପ୍ରତି ବର୍ଷରେ ମନେ ପଡୁଥିବ ଠିକ ଯେମିତି ଆଜିଭଳି ଦିନରେ ଆମେମାନେ ଭେଟ ହୋଇଛେ | ଏ ଫଗୁଣର ରଙ୍ଗକୁ ସ୍ୱାଗତ କରି ଆମେବି ତା ରଙ୍ଗରେ ରଙ୍ଗେଇ ହୋଇଛେ |
“ଫିକା ପଡିଯାଉ ପଛେ
ଏ ରଙ୍ଗୋଲିର ରଙ୍ଗ
ହେଲେ ଫିକା ନ ପଡ଼ୁ
ଆମ ହୃଦୟ ଭିତରେ ଥିବା
ଏ ରଙ୍ଗର ଦାଗ
ଏ ଦାଗ ତମେ ଦେଇଛ
ମୋ ଠାରୁ ମୋତେ ଚୋରେଇ ନେଇଛ
ସେଥିପାଇଁ ତ
ଏ ଜୀବନରେ ବନ୍ଧୁତା ଭଳି
ଏକ ପବିତ୍ର ସମ୍ପର୍କ ଗଢିଛ |”
ତେବେ ଏତ ଥିଲା ମୋ ହୃଦୟର ଏକ ଛୋଟ କବିତା ତଥାପି କହିବି ଫଗୁଣର ଫଗୁ ନେଇ ପ୍ରତିବର୍ଷ ଫଗୁଣ ମାସରେ ଏମିତି ଆସୁଥାଉ | ଏହି ଫଗୁ ଟିକକ ସମସ୍ତଙ୍କ ହାତରେ ଥାଉ | ସେହ୍ନ, ପ୍ରେମ ରହିବା ସହ ଆତ୍ମୀୟତା ଭାବ ରଖିବା ସହ ସଚେତନ ରହି ହୋଲି ଖେଳନ୍ତୁ | ଆଖି, ନାକ, କାନ, ପାଟିକୁ ସୁରକ୍ଷା ଦିଅନ୍ତୁ ଏବଂ ଖୁସିର ମାହୋଲକୁ ସମସ୍ତେ ନିଜ ଆତ୍ମୀୟସୋଜନଙ୍କ ସହ ଉପଭୋଗ କରନ୍ତୁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
9090661586

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ