ନିମାପଡ଼ାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା

ନିମାପଡ଼ା,(ସନ୍ତୋଷ ଦାଶ) ଆସନ୍ତା ଜୁନ ୧ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ା ବିଧାନସଭା ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।ଏଥିଲାଗି ମେ ମାସ ୭ତାରିଖ ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦ତାରିଖ ସୁଦ୍ଧା ନିମାପଡ଼ା ନିର୍ବାଚନମଣ୍ଡଳୀ ଲାଗି ବିଜେପି ରୁ ପ୍ରଭାତୀ ପରିଡ଼ା, ବିଜେଡିରୁ ଦିଲ୍ଲୀପ ନାୟକ, କଂଗ୍ରେସରୁ ସିଦ୍ଧାର୍ଥ କୁମାର ରାଉତରାୟ, ସିପିଆଇରୁ ମନୋରଞ୍ଜନ ପରିଡ଼ା, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଜିତେନ୍ଦ୍ରିୟ ବେହେରା,ବହୁଜନ ସମାଜ ପାର୍ଟି ପକ୍ଷରୁ ସମ୍ପଦ ନାୟକ ନିଜ ସମର୍ଥକ ମାନଙ୍କ ସହିତ ଯାଇ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ପ୍ରାର୍ଥୀପତ୍ର ଦାଖଲ ଲାଗି ଆଉ ଅଳ୍ପ ଦିନ ବାକିଥିବା ବେଳେ ୧୫ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୯ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରଖାଯାଇଛି । ଏହି ୧୦୬ନଂ ବିଧାନସଭା ନିର୍ବାଚନମଣ୍ଡଳୀରେ ସମୁଦାୟ ୨୮୦ଟି ବୁଥ ରହିଥିବାବେଳେ ୨ଲକ୍ଷ ୭୦ହଜାର ଭୋଟର ରହିଛନ୍ତି ।ସେଥିରୁ ୧ଲକ୍ଷ ୨୬ହଜାର ୬୩୧ଜଣ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୦ ହଜାର ୭୮୧ ଅଛନ୍ତି । ନିମାପଡ଼ା ବ୍ଲକରେ ୧୯୭ଟି ବୁଥ ରହିଥିବା ବେଳେ ଗୋପ ବ୍ଲକ୍ରର ୧୪ଟି ପଞ୍ଚାୟତ ଲାଗି ୮୩ଟି ବୁଥ କରାଯାଇଛି ।୨୦୦୯ ମସିହାରେ ନିମାପଡ଼ା ଆସନ ଟି ଅଣସରକ୍ଷିତ ହେବା ପରେ ବିଜେଡି ଦଳ ପ୍ରାର୍ଥୀ ସମୀର ରଞ୍ଜନ ଦାସ ୮୦ ହଜାର ୭୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ପ୍ରାର୍ଥୀ ସତ୍ୟବ୍ରତ ପାତ୍ର ୪୧ ହଜାର ୬୦୮ ଖଣ୍ଡ ଭୋଟ ପାଇଥିଲେ ।୨୦୧୪ ମସିହା ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାଶ ୮୬ ହଜାର ୯୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ର ପ୍ରଭାତୀ ପରିଡ଼ା ୫୭ ହଜାର ଭୋଟ ପାଇଥିଲେ ।କଂଗ୍ରେସ ର ବିଶ୍ବଭୂଷଣ ମହାନ୍ତି ୨୧ ହଜାର ଭୋଟ ପାଇଥିଲେ। ୨୦୧୯ ରେ ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାଶ ୯୧ ହଜାର ୧୬୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ୫୯ ହଜାର୧୫୨ ଖଣ୍ଡ ଓ କଂଗ୍ରେସ ର ଦିଲ୍ଲୀପ ନାୟକ ୩୩ ହଜାର ୫୭୭ ଖଣ୍ଡ ଭୋଟ ପାଇଥିଲେ । ଚଳିତ ୨୦୨୪ ନିର୍ବାଚନରେ ସମୀର ରଞ୍ଜନ ଦାଶ ଙ୍କୁ ବିଜେଡି ଦଳ ଦଳୀୟ ପ୍ରାର୍ଥୀ ନ କରି ଦିଲ୍ଲୀପ ନାୟକ ଙ୍କୁ ପ୍ରାର୍ଥୀ କରିଛି । ଏହି ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶ ଟିକେଟ ନ ପାଇବାରୁ ତାଙ୍କ ସମର୍ଥକ ମାନେ ଦଳରୁ ସମୂହ ଇସ୍ତଫା ଦେଇ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ନିମାପଡ଼ା ଏନଏସି ଓ ବ୍ଲକର ୪୬ ପଞ୍ଚାୟତ ରେ ରହିଥିବା ସମୀର ଙ୍କ ସମର୍ଥକ ମାନେ ବିଜେପି ପ୍ରାର୍ଥୀ ଙ୍କୁ ସମର୍ଥନ କରୁଥିବାରୁ ବିଜେପି ପ୍ରାର୍ଥୀ ଙ୍କ ସପକ୍ଷରେ ଏକ ହାୱା ରହିଛି।ଦିଲ୍ଲୀପ ନାୟକ ବିଜେଡି ଦଳରୁ ଟିକେଟ ପାଇଥିବାବେଳେ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧି ଓ ବିଜେଡି କର୍ମୀ ମାନେ ତାଙ୍କୁ ସହଯୋଗ କରୁଛନ୍ତି । ବିଜେଡ଼ି ଦଳର ନିର୍ବାଚନ ଇସ୍ତାହାର ଓ ମୁଖ୍ୟମନ୍ତ୍ରୀଙ୍କ ଥିବା ନିର୍ବାଚନ ପ୍ରଚାର ପାଇଁ ବିଜେଡ଼ି ବିଜୟୀ ହେବାକୁ ସଂକଳ୍ପ କରିଛି।କଂଗ୍ରେସ ଭୋଟକୁ ଅକ୍ତିଆର କରିବାକୁ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି କିନ୍ତୁ ଦଳ ରେ ଥିବା ଗୋଷ୍ଠିକନ୍ଦଳ ଦଳକୁ ଅସୁବିଧାରେ ପକାଇଛି।ନିମାପଡା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ତାରିଖରେ ଭୋଟ ଗ୍ରହଣ କରାଯାଇ ଜୁନ ୪ତାରିଖରେ ଫଳ ଘୋଷଣା କରାଯିବ ।ଦେଖାଯାଉ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ଆଉ ନିମାପଡ଼ା ଭୋଟର କାହାକୁ ନିଜର ଲୋକ ପ୍ରତିନିଧି ଭାବେ ଚୟନ କରୁଛନ୍ତି।ନିମାପଡା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ