ଲିପ୍ଟ ଦେଇ ଲୁଟି ନେଲେ ବୃଦ୍ଧାଙ୍କ ଭତା ଟଙ୍କା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତ କଣିପଡା ଗ୍ରାମରେ ଜଣେ ବୃଦ୍ଧା ଭତା ଟଙ୍କା ଆଣି ଆସୁଥିବା ବେଳେ ଲୁଟର ଶିକାର ହୋଇଥିବା ଜଣାଯାଇଛି । ବୃଦ୍ଧା ଜଣକ ହେଲେ ଉକ୍ତ ଗ୍ରାମର ଲକ୍ଷ୍ମୀ ସେଠୀ । ବୟସ ପାଖାପାଖି ୭୫ ବର୍ଷରୁ ଉର୍ଦ୍ଧ୍ୱ ହେବ । ଲକ୍ଷ୍ମୀଙ୍କ କହିବାନୁସାରେ ସେ ଭତା ଟଙ୍କା ପାଇଁ ଏକରୁଖା ନିକଟସ୍ଥ ପଂଚାୟତ ଅଫିସକୁ ବୁଧବାର ଯାଉଥିଲେ । ଚାଲି ଚାଲି ଯାଉଥିବା ବେଳେ ଜଣେ ଯୁବକ ତାଙ୍କ ସହ କଥା ହୋଇଥିଲେ । ବାଇକରେ ନେଇ ପଂଚାୟତ କାର୍ଯ୍ୟାଳୟର ଛାଡି ଦେବେ ବୋଲି କହିଥିଲେ । ବୃଦ୍ଧା ଜଣଙ୍କ ତାଙ୍କୁ ଚିହ୍ନି ନଥିବା ବେଳେ କିପରି ଯିବେ ବୋଲି କହିବାରୁ ସେ ତାଙ୍କୁ ମା’ ସମ୍ବୋଧନ କରି ବିଶ୍ୱାସ ଜନ୍ମାଇଥିଲେ । ଯୁବକର କଥା ଶୁଣି ଲକ୍ଷ୍ମୀ ତାଙ୍କ ସହ ବାଇକରେ ପଂଚାୟତ କାର୍ଯ୍ୟାଳୟ ଯାଇ ସେଠାରୁ ଭତା ୧ହଜାର ଟଙ୍କା ଆଣିଥିଲେ । ଉକ୍ତ ଯୁବକ ଜଣକ ପୁନର୍ବାର ତାଙ୍କୁ ଘରକୁ ଆଣି ଆସିବା ବାଟରେ ଲକ୍ଷ୍ମୀ ଚାଉଳ କିଣିବା ପାଇଁ ମୁଣ୍ଡାଳ ବଜାର ଯିବେ ବୋଲି କହିଥିଲେ । ମୁଣ୍ଡାଳ ନିକଟରେ ତାଙ୍କୁ ପହଂଚାଇ ଚାଉଳ କିଣି ଆଣିବେ କହି ଲକ୍ଷ୍ମୀ ଙ୍କ ଠାରୁ ୧ହଜାର ଟଙ୍କା ନେଇ ପଳାଇଥିଲେ । କିଛି ସମୟ ବସିବା ପରେ ସେ ନ ଆସିବାରୁ ଲକ୍ଷ୍ମୀ ସ୍ଥାନୀୟ ଦୋକାନରେ ଘଟଣା ସଂପର୍କରେ କହିଥିଲେ । ସ୍ଥାନୀୟ ଲୋକ ବୃଦ୍ଧା ଲକ୍ଷ୍ମୀଙ୍କୁ ଖାଇବାକୁ ଦେଇ ଘରେ ଆଣି ଛାଡିଥିଲେ । ସୂଚନାଯୋଗ୍ୟ ଯେ କଣିପଡା ଠାରୁ ପଂଚାୟତ କାର୍ଯ୍ୟାଳୟ ର ଦୂରତା ଦେଢ କିଲୋ ମିଟରରୁ ଉର୍ଦ୍ଧ୍ୱ ଅଟେ । ଅନେକ ପଂଚାୟତରେ ପଂଚାୟତ କାର୍ଯ୍ୟାଳୟ ଠାରୁ ଗାଁ ଗୁଡିକର ଦୁରତା ୨ରୁ ୩ କିମି ଦୂରତା ହୋଇଥିବାରୁ ବୃଦ୍ଧ ବୃଦ୍ଧାମାନେ ଚାଲି କି ଯାଇ ଭତା ଆଣିବା ସମ୍ଭବ ପର ହେଉ ନାହିଁ । ତେଣୁ ବୃଦ୍ଧବୃଦ୍ଧାମାନଙ୍କୁ ଘରେ ଭତା ପ୍ରଦାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅଶୋକ ସାମଲ, ନିର୍ମଳ ସ୍ୱାଇଁ, ରାଜେଶ ପ୍ରଧାନ ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବିଡିଓ ତପନ ମାହାପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ