ସଂସ୍ଥା ଶସ୍ତା ନା ଶସ୍ତା ଲୋକଙ୍କ ସଂସ୍ଥା

ଦିପ୍ତିମୟୀ ନାୟକ
କର୍ମକୁ ଭଗବାନ ଭାବୁଥିବା ଲୋକମାନେ ଅନେକ ସମୟରେ ସେହି କର୍ମସ୍ଥଳରେ ଅନେକ ହଇରାଣ ହୋଇଥାନ୍ତି | ସେମାନେ ନିଜେ ନିଜେ ହଇରାଣ ହୋଇନଥାନ୍ତି ତାଙ୍କୁ ଜାଣି ଜାଣି ଅନ୍ୟମାନେ ହଇରାଣ କରିଥାନ୍ତି | ଆଉ ଶେଷରେ ଗୋଟେ ପ୍ରକୃତ କର୍ମଚାରୀ ତାର ପ୍ରକୃତ ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାଏ | କାହିଁକି ନା ଗୋଟେ ପ୍ରକୃତ କର୍ମଚାରୀ ପାଇଁ ଟଙ୍କା ଅପେକ୍ଷା ଆତ୍ମସମ୍ମାନ ବହୁତ ବଡ଼ ହୋଇଥାଏ | ଆଉ ଯେଉଁମାନଙ୍କର ନିଜର ଆତ୍ମସମ୍ମାନ ବୋଲି କିଛି ନଥାଏ ସେମାନେ ସବୁବେଳେ ଅନ୍ୟମାନଙ୍କ ଗୋଡ଼ ଟାଣିବାପାଇଁ ହୀନ ଚକ୍ରାନ୍ତ ଜାରି ରଖିଥାନ୍ତି | ହେଲେ ସେମାନେ ଭୁଲିଯାଇଥାନ୍ତି ଗୋଡ଼ଟଣା ଲୋକ ସବୁବେଳେ ପାଦ ତଳେ ହିଁ ରୁହନ୍ତି | ଆଉ ନିଷ୍ଠାର ସହ କାମ କରୁଥିବା ପ୍ରତ୍ୟେକଟି କର୍ମଚାରୀ ଉପରକୁ ଉଠିଚାଲିଥାନ୍ତି | କାରଣ ଏମାନଙ୍କୁ ସାଲିସ କି ମାଲିସ ପସନ୍ଦ ନୁହେଁ | ବରଂ ଏମାନଙ୍କ ଜ୍ଞାନ ହିଁ ଅସଲ ଚାବିକାଠି | ତେବେ ଆଜିକାଲି ଅନେକ ସଂସ୍ଥାରେ ଶୁଣିବାକୁ ମିଳୁଛି | ଶସ୍ତା ଲୋକଙ୍କ ସଂସ୍ଥା | ଏପରି ଶୁଣିବାର ମାନେ ହେଲା ସଂସ୍ଥା ଭଲ ହୋଇଥାଏ କିନ୍ତୁ ସେଠି କାମ କରୁଥିବା କିଛି କୁଚକ୍ରୀ କର୍ମଚାରୀଙ୍କ ପାଇଁ ଭଲ ସଂସ୍ଥାଟି ଶସ୍ତା ସଂସ୍ଥାର ପରିଚୟ ପାଇଯାଇଥାଏ | ସଂସ୍ଥା ଛୋଟ ହେଉ କି ବଡ଼ କାମ କିଭଳି ଚାଲୁଛି ତାକୁ ଅନୁଧ୍ୟାନ କରିବା ନିହାତି ଜରୁରୀ | କିନ୍ତୁ କାମକୁ ଧ୍ୟାନ ନଦେଇ ଶୁଣା କଥାକୁ ଧ୍ୟାନ ଦେଇ ଭଲ କର୍ମଚାରୀଙ୍କ ଭଲ କାମକୁ ନଦେଖି ସେହି ମିଛୁଆ ଲୋକଙ୍କ କଥାକୁ ଅନ୍ୟମାନେ ବିଶ୍ୱାସ କରି ସଂସ୍ଥା ଗୋଟେ ପ୍ରକୃତ ଦକ୍ଷ କର୍ମଚାରୀକୁ ହରାଇଥାଏ | କିନ୍ତୁ ସେହି ଦକ୍ଷ କର୍ମଚାରୀ କେବେବି କୁହେନି ସେ ତା ଦକ୍ଷତା ଆଗରେ ହାରମାନିଛି ବୋଲି ବରଂ ସେ ଏୟା କୁହେ ତା ଦକ୍ଷତାକୁ ଯେଉଁଠି ପରିଚୟ ମିଳେନି ସେଠି କିଛିଟା ଅର୍ଥ ପାଇଁ ନିଜ ଆତ୍ମସମ୍ମାନକୁ ହରେଇବାକୁ ଚାହେଁନି | ମଣିଷ ମାଡ ଗାଳି ସବୁ ସହିଯିବି କିନ୍ତୁ ନିନ୍ଦା ଅପବାଦକୁ କେବେ ସହିପାରିବନି କାରଣ ସେ କର୍ମ କରିଥାଏ ଟିକେ ପ୍ରଶଂସା ପାଇବାପାଇଁ ହେଲେ ପ୍ରଶଂସା ବଦଳରେ ଯଦି ନିନ୍ଦା ମିଳେ ତେବେ ସେ କେବେବି ଚୁପ ହୋଇ ରହିବନି | କିନ୍ତୁ ବିବେକହୀନ ଲୋକମାନେ ଅନ୍ୟର ବିବେକକୁ ଆହତ ଦେଲାଭଳି କଥା କୁହନ୍ତି ଅନ୍ୟସହ ସାଲିସ ଆଉ ମାଲିସ କଲାଭଳି ପରବୋଲକରା ଭଳି କାର୍ଯ୍ୟ କରନ୍ତି | ନିଜ କାର୍ଯ୍ୟରେ ଧ୍ୟାନ ନଦେଇ ଅନ୍ୟ କାର୍ଯ୍ୟରେ ବାଧା ଉପୁଜିଥାନ୍ତି | ନିଜକୁ ଶ୍ରେଷ୍ଠ ଜ୍ଞାନୀ ବୋଲି କହି ଅହଂକାରୀ ଭଳି କାର୍ଯ୍ୟ କରିଥାନ୍ତି | ଶେଷରେ ଏହି ଅହଂକାରୀ ମାନେ ହିଁ ସେହି ସଂସ୍ଥାର ସର୍ବେସର୍ବା ହୋଇ କିଛି ଦିନପରେ ସେହି ସଂସ୍ଥାର ସର୍ବ ଗିଳା ମଣିଷ ହୋଇଥାନ୍ତି | ତେବେ କୌଣସି ସଂସ୍ଥା ଶସ୍ତା ହୋଇନଥାଏ ଶସ୍ତା ଲୋକଙ୍କ ପାଇଁ ସଂସ୍ଥାଟି ଶସ୍ତା ହୋଇଯାଇଥାଏ | ଯଦି ପ୍ରତ୍ୟେକ କର୍ମଚାରୀ ଜଣେ ଜଣକୁ ସମର୍ଥନ କରିବେ ତେବେ ନିହାତି ଭାବରେ ଅନ୍ୟଜଣେ କର୍ମଚାରୀ ଭଲଭାବରେ ତାର କାର୍ଯ୍ୟ ତୁଲେଇ ପାରିବ | ସଂସ୍ଥାକୁ ନିଜର ଭାବି ଯଦି ସମସ୍ତେ ସଂସ୍ଥାଟି ପାଇଁ ମନ ଦେଇ କାମ କରିବେ ତେବେ ନିଶ୍ଚିନ୍ତ ଭାବରେ ସଂସ୍ଥାଟି ଆଗକୁ ଆଗେଇ ପାରିବ | ତେଣୁ ଗୋଡ଼ଟଣା ଟଣି ରାଜନୀତି ଟିକେ କମ ହେଉ ନୂଆ ପ୍ରତିଭାକୁ ଭଲ କାମ କରିବାର ଟିକେ ସୁଯୋଗ ଦିଆଯାଉ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ