ଅସ୍ମୀତା ସ୍ୱାଭିମାନ ନୁହେଁ, ଏହାର ଅର୍ଥ ଅହଙ୍କାର ବା ଅହମିକା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବର୍ତ୍ତମାନ ଓଡ଼ିଶାରେ କେତେକ ଭାଷା, ସାହିତ୍ୟ ଓ ସଂସ୍କୃତି ଅନଭିଜ୍ଞ ବ୍ୟକ୍ତି ଅସ୍ମିତା ଶବ୍ଦକୁ ସ୍ୱାଭିମାନ ଅର୍ଥରେ ବାରମ୍ବାର ବ୍ୟବହାର କରୁଛନ୍ତି । ସମସ୍ତ ପ୍ରାମାଣିକ ସଂସ୍କୃତ ଓ ଓଡ଼ିଆ ଭାଷାକୋଷରେ ଅସ୍ମିତାର ଅର୍ଥ ସ୍ପଷ୍ଟ ଭାବରେ ଅହଙ୍କାର ବୋଲି ଲେଖାଯାଇଛି । କେତେକ ଅଣ ଓଡ଼ିଆ ଏବଂ ଓଡ଼ିଆ ଭାଷା ଅନଭିଜ୍ଞ ବ୍ୟକ୍ତି ନିର୍ବାଚନ ସମୟରେ ଏହି ଓଡ଼ିଆ ଅସ୍ମିତା ନାମରେ ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । ବର୍ତ୍ତର୍ମାନ ରାଜଧାନୀରେ ମନ୍ତ୍ରୀ ଓ ଅଧିକାରୀମାନଙ୍କ ବୈଠକରେ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅସ୍ମିତା ଭବନ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଅତ୍ୟନ୍ତ ଦୁଃଖଦାୟକ । ଏହା ଦ୍ୱାରା ଓଡ଼ିଶା ଓ ଓଡ଼ିଆ ଜାତି ଅପମାନିତ ହେବ । ଶବ୍ଦତତ୍ୱ ବୋଧ ଅଭିଧାନ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଶବ୍ଦସିନ୍ଧୁ ଓ ନବ ଅଭିଧାନରେ ତଥା ସମସ୍ତ ସଂସ୍କୃତ ଅଭିଧାନରେ ଅସ୍ମିତା ହିଁ ଅହଙ୍କାର ବୋଲି ବର୍ଣ୍ଣନା କରାଯାଇଛି । ଅଣ ଓଡ଼ିଆ ମାନେ ଅସ୍ମିତାର ଅର୍ଥ ଯାହା ବୁଝନ୍ତୁ ଆମର ଆପତ୍ତି ନାହିଁ । ଓଡ଼ିଆ ପରି ଶାସ୍ତ୍ରୀୟ ଭାଷାର ଦାୟାଦ ମାନେ ବ୍ୟାକରଣ ତଥା ଭାଷାକୋଷ ସମ୍ମତ ଅର୍ଥ ବୁଝି ଭାଷାସାହିତ୍ୟ ଓ ସଂସ୍କୃତିର ସୁରକ୍ଷା କରିବା ଆବଶ୍ୟକ । କେତେକ ବରିଷ୍ଠ ନେତା ବା ପଦାଧିକାରୀ ବ୍ୟାକରଣ ଓ ଅଭିଧାନରେ ଥିବା ଅସ୍ମିତା ଶବ୍ଦର ଅର୍ଥକୁ ନ ବୁଝି ମନ ଇଚ୍ଛା ବ୍ୟବହାର କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ନୈତିକ ଅପରାଧ । କେତେଜଣ ଅସ୍ମିତାଧାରୀ(ଅହଙ୍କାରୀ)ଙ୍କ ଯୋଗୁଁ ଆମ ଓଡ଼ିଶାର ସ୍ୱାଭିମାନକୁ ନଷ୍ଟ କରାନଯାଉ । ଯଦି ଆବଶ୍ୟକ ହୁଏ ‘ସ୍ୱାଭିମାନ ଭବନ\’ ନିର୍ମାଣ କରାଯାଉ । ଅସ୍ମିତା ଭବନ ନିର୍ମାଣ କରି ରାଜନୀତି ନାମରେ ରାଜ୍ୟନୀତିକୁ ବଳି ଦିଆ ନଯାଉ । ମୋ ବ୍ୟକ୍ତିଗତ ମତରେ ରାଜ୍ୟ ନାମରେ ସାହିତ୍ୟ ସଂସ୍କୃତି ଭବନ ନିର୍ମାଣ କରାଯାଇପାରେ । ଭାଷାବିଶେଷଜ୍ଞ ମାନେ ମୋ ମତକୁ ଓଡ଼ିଶାର ଓ ଓଡ଼ିଆ ଜାତିର ସ୍ୱାଭିମାନ ଦୃଷ୍ଟିରୁ ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଦିବ୍ୟଜୀବନସଂଘର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ