ହଦଗଡ଼ ଡ୍ୟାମରେ ପରିଦର୍ଶନ ମନା, ଗେଟରେ ତାଲା, ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ

ହାଟଡିହି, (ବିକାଶ ବିଶ୍ୱାଳ):ହଦଗଡ଼ ଡ୍ୟାମରେ ଏବେ ପରିଦର୍ଶନ କୁ ବନ୍ଦ କରଯାଇଛି। ଗେଟରେ ତାଲା ପକାଯାଇ ପର୍ଯ୍ୟଟକ ମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ା ଯାଉନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ହଦଗଡ଼ ଡ୍ୟାମ ବୁଲିବାକୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକ ମାନେ ଡ୍ୟାମ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମର ନୀଳ ଜଳରାଶି କୁ ଉପଭୋଗ କରିଥାନ୍ତି ଯେଉଁ ମାନେ ଭୋଜିଭାତ କରିଥାନ୍ତି ସେମାନେ ଡ୍ୟାମ ତଳେ ନଦୀ କୂଳରେ ଭୋଜି କରିଥାନ୍ତି। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ଚଳିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀ ମାନେ ଭଲ ଦିପଇସା ବେପାର କରିଥାନ୍ତି। କିନ୍ତୁ ରଜ ସମୟରେ ଭଦ୍ରକ ଅଞ୍ଚଳର ଦୁଇଜଣ ଛାତ୍ର ଡ୍ୟାମର ଶେଷ ମୁଣ୍ଡରେ ଥିବା ଜିରୋ ପଏଣ୍ଟ ନିକଟରେ ଗାଧୋଇବାକୁ ଯାଇ ବୁଡି ମୃତ୍ୟୁବରଣ କରିଥିଲେ। ସେହି ଜିରୋ ପଏଣ୍ଟ ଜଙ୍ଗଲ ବିଭାଗ ଅଧିନରେ ରହିଛି। କିନ୍ତୁ ସେହି ଦିନଠାରୁ ଜଳସେଚନ ବିଭାଗ ଏହି ଡ୍ୟାମକୁ ଚାବି ପକାଇ ବନ୍ଦ କରିଦେଇଛନ୍ତି। ଫଳରେ ଦୈନଦିନ ଏଠାକୁ ଆସୁଥିବା ଶହ ଶହ ପର୍ଯ୍ୟଟକ ମାନେ ଡ୍ୟାମ ପରିଦର୍ଶନ କରି ନପାରି ଫେରି ଯାଉଛନ୍ତି। ଯାହାକୁ ନେଇ ପର୍ଯ୍ୟଟକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ନଦୀବନ୍ଧର ଅପର ପାର୍ଶ୍ୱରେ ଥିବା ଫୁଲଝର ଗ୍ରାମର ଲୋକମାନେ ଡ୍ୟାମ ଉପରେ ଯାତାୟାତ କରୁଥିବା ବେଳେ ଏବେ ୩କିଲୋମିଟର ବାଟ ବୁଲି ବୁଲି ହଦଗଡ଼କୁ ଆସୁଛନ୍ତି। ସେମାନେ ମଧ୍ଯ ଜଳସେଚନ ବିଭାଗର ଏପରି ନିଷ୍ପତ୍ତି କୁ ବିରୋଧ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏପରି ଦୁର୍ଘଟଣା ସହିତ ଏବେ କିଛି ଯୁବକ ଯୁବତୀ ନିଶିଦ୍ଧାଞ୍ଚଳକୁ ଯାଇ ରିଲସ୍ କରିବା ସହିତ ଡ୍ୟାମର ବାଡା ଉପରେ ଚଢ଼ୁ ଥିବାରୁ ଅଘଟଣ ଆଶଙ୍କା ପ୍ରକଟ କରି ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ବନ୍ଦ କରିଛୁ। ପରବର୍ତ୍ତୀ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ