ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀର ପ୍ରସ୍ତୁତି ବୈଠକ ବୁଧବାର ପୂର୍ବାହ୍ନରେ ସଂଘର ସଭାପତି କମଲ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତମାସ ୩୦ ତାରିଖ ରବିବାର ଦିନ ଓ.ଟି. ରୋଡ଼୍ ପାଶ୍ୱର୍ସ୍ଥିତ ଭେନ୍ୟା ପାରାଡାଇଜ୍ ସଭାଗୃହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ବୈଠକରେ ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ଗତବର୍ଷର ବିବରଣୀ ଓ ଅକ୍ଷୟ କୁମାର ତ୍ରିପାଠୀ ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିବାପରେ ତାହା ଅନୁମୋଦନ କରାଯାଇଥିଲା । ଚଳିତବର୍ଷ ସମଗ୍ର ଜିଲ୍ଲାରେ ୫୪୧ଟି ରକ୍ତଦାନ ଶିବିର ଜରିଆରେ ମୋଟ ୩୧,୫୮୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ରକ୍ତଦାନ ଶିବିର ଆୟୋଜକ ଓ ସମସ୍ତ ରକ୍ତଦାତାମାନଙ୍କ ପାଇଁ ବୈଠକରେ ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏକଶହରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରିଥିବା ଶିବିର ଆୟୋଜକମାନଙ୍କୁ ଏହି ସମ୍ମିଳନୀ ଅବସରରେ ସମ୍ବର୍ଦ୍ଧିତ କରାଯିବ । ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ’କୁ ଅତିଥିମାନେ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସମ୍ମିଳନୀର ସଫଳତା ପାଇଁ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ଓ ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।ସମ୍ମିଳନୀର ସାଧାରଣ ଅଧିବେଶନରେ ଉଦ୍‌ଘାଟକ, ଅତିଥି ଓ ବକ୍ତା ଭାବେ ଯୋଗଦେବାକୁ ବାଲେଶ୍ୱରର ସାଂସଦ, ନବନିର୍ବାଚିତ ସମସ୍ତ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖଙ୍କୁ ସାଦର ନିମନ୍ତ୍ରଣ କରାଯାଇଛି । ଏହି ବୈଠକରେ ଜିଲ୍ଲା ଓ ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ସର୍ବଶ୍ରୀ ରାଜେଶ ଗିରି, ଭଗବାନ ମହାନ୍ତି, ସଲିମ ରାଜା, ସୁକୁମାର ରଣା, ସାହିରୁଲ୍ ହକ୍‌, ମନୋରଞ୍ଜନ ଦାସ, ବସନ୍ତ ନାୟକ, ସୁଶାନ୍ତ କୁମାର ପଣ୍ଡା, ବିଜୟ କୁମାର ପାତ୍ର, ଗଙ୍ଗାଧର ପୃଷ୍ଟି, ଦେବାଶିଷ ପାଣି, ଅଶୋକ ମିଶ୍ର, ଡା. ଅରୂପ ଦାସ, ପ୍ରଫୁଲ୍ଲ କୁମାର ଦାସ ଓ ଡ. କ୍ଷିତୀଶ୍ୱର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶ୍ୱଜିତ୍ ଘୋଷ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ