ବାଲେଶ୍ୱର ସହରର ଜଳ ନିଷ୍କାସନ ସମସ୍ୟା ନିବାରଣ ପାଇଁ ଅଂଟା ଭିଡିଲେ ବିଧାୟକ ମାନସ ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରରେ ଦୀର୍ଘ ବର୍ଷ ଧରି ପ୍ରମୁଖ ଭାବେ ଦେଖା ଦେଉଥିବା ଉଦ୍‌ବୃତ ବର୍ଷାଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଅଂଟା ଭିଡିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ପୂର୍ବରୁ ଚିଡିଆ ପୋଲ ନିକଟରେ ମହାନାଳର ପୁନରୁଦ୍ଧାର ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ବିଧାୟକ ଶ୍ରୀ ଦତ୍ତ ପୌରପାଳିକାର ୨୪ନଂ ୱାର୍ଡ ପରିଦର୍ଶନ ସହ ମହାନାଳ ଦେଇ ଜଳ ନିଷ୍କାସନକୁ ନେଇ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ସ୍ଥାନୀୟ ଅଂଚଳବାସୀଙ୍କ ଠାରୁ ପଚାରି ବୁଝିଥିଲେ । ୨୪ନଂ ୱାର୍ଡରେ ମହାନାଳ ବୁଢାବଳଙ୍ଗ ନଦୀରେ ମିଶୁଥିବା ବେଳେ ସହରର ସମସ୍ତ ଉଦବୃତ ଜଳ ସମ୍ପୃକ୍ତ ଅଂଚଳ ଦେଇ ବୋହିଥାଏ । ଫଳରେ ବର୍ଷା ଦିନେ ମହନାଳର ବର୍ଷା ଜଳ ବନ୍ୟାର ଆକାର ନେଇଥାଏ । ଦିନକୁ ଦିନ କୂଳ ଖାଇ ମହାନାଳର ଆକାର ବଢିଚାଲିଥିବା ବେଳେ ଆଗାମୀ ଦିନରେ ତାହା ଅଧିକ ସମସ୍ୟା ଉପୁଜାଇବା ପୂର୍ବରୁ ଦୁଇ ପାଶ୍ୱର୍ରେ କଂକ୍ରିଟ ବନ୍ଧ ନିର୍ମାଣର ଆବଶ୍ୟକତା ଉପରେ ସ୍ଥାନୀୟ ବାସିନ୍ଦାମାନେ ଯୁକ୍ତି ଦର୍ଶାଇଥିଲେ । ସେହି ଅନୁସାରେ ପଦକ୍ଷେପ ନେବାକୁ ସେଠାରେ ଉପସ୍ଥିତ ଡ୍ରେନେଜ ବିଭାଗ ଏସଡିଓ ଇରାକ କୁମାର ବେହେରା ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଂଚଳ ମିଶ୍ରଙ୍କୁ ସଦର ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ବାଲେଶ୍ୱର ସହରର ଆଖପାଖ ଅଂଚଳ ଓ ସହର ମଧ୍ୟ ଦେଇ ଯାଉଥିବା ମୋଟ ୬ଗୋଟି ମହାନାଳର ସଂସ୍କାର ଯୋଜନା ପାଇଁ ସମ୍ପ୍ରତି ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ୨୪ନଂ ୱାର୍ଡ ଦେଇ ଯାଇଥିବା ମହାନାଳର ଅଂଶ ସେଥିରେ ସାମିଲ ହୋଇନଥିବା ଜଣାପଡିବା ପରେ ତୁରନ୍ତ ସମ୍ପୃକ୍ତ ଅଂଶକୁ ଯୋଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଦତ୍ତ କହିଥିଲେ । ବିଭିନ୍ନ ସ୍ଥାନରେ ମହାନାଳ ଅବରୋଧ ହେବାକୁ ନେଇ ଶ୍ରୀ ଦତ୍ତ ଉଦବେଗ ପ୍ରକାଶ ସହ ମହାନାଳ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଅବରୋଧ ହଟାଇବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନାଳଗୁଡିକର ସମସ୍ତ କାର୍ଯ୍ୟ କଂକ୍ରିଟ ମାଧ୍ୟମରେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ମୌସୁମୀ ବାୟୁ ସକ୍ରିୟ ହେଉଥିବା ସୂଚନା ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ମହାନାଳ ସମେତ ଅନ୍ୟାନ୍ୟ ବଡନାଳ ଗୁଡିକର ସଫେଇ କାର୍ଯ୍ୟ ସାରିବାକୁ ଶ୍ରୀ ଦତ୍ତ ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଦବୃତ ବର୍ଷାଜଳ ନିଷ୍କାସନକୁ ନେଇ ସହରବାସୀ ଦୀର୍ଘ ଦିନ ଧରି ଯେଉଁ ସମସ୍ୟା ଭୋଗୁଛନ୍ତି, ଆଗାମୀ ଦିନରେ ଯେପରି ତାହାର ପୁନରାବୃତି ନ ହୁଏ ସେଥିପ୍ରତି ପ୍ରାଥମିକତା ଦେବାକୁ ବିଧାୟକ ଶ୍ରୀ ଦତ୍ତ କହିଥିଲେ । ବାଲେଶ୍ୱର ପୋରପାଳିକାର କାଉନସିଲର ନିତ୍ୟଗୋପାଲ ସିଂ, ପୂର୍ବତନ ପୌର ଉପାଧ୍ୟକ୍ଷା ମୌସୁମୀ ଦେବ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଉପେନ୍ଦ୍ର ଶତପଥୀ, ଅନନ୍ତ ନାୟକ, ଧୀରଜ ମହାନ୍ତି, ଲୋକନାଥ ଭୁୟାଁ, ବିଜେପି ୱାର୍ଡ ସଭାପତି ଅଶୋକ ଦାସ, ବିରଞ୍ଜନ ମହାରଣା, ଅନନ୍ତ ସିଂ, ଶମ୍ଭୁନାଥ ବେହେରା, ତପନ ନନ୍ଦୀ , ସନ୍ଦୀପ ସାମନ୍ତ, ଯୋଗେନ୍ଦ୍ର ଖିଲାର, ଅନାଦି ସାହୁ, ଗୋପୀନାଥ ସେଠୀ, ଆଶାଲତା ବାଡ଼ି, ଜିତେନ୍ଦ୍ର ଖିଲାର ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ