ଜିଲ୍ଲା ସ୍ତରୀୟ ଖରିଫ୍ ଚାଷ ଖସଡା ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଂଜାମ ଜିଲ୍ଲାର ଖରିଫ-୨୦୨୪ ଚାଷ ଖସଡ଼ା ପ୍ରସ୍ତୁତି ବୈଠକ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ବାନ୍ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧାଂଶୁ କୁମାର ନନ୍ଦ ଚଳିତ ଖରିଫ ଋତୁ ୨୦୨୪ ପାଇଁ ପ୍ରସ୍ତୁତ ଚାଷ ଖସଡ଼ା ଉପସ୍ଥାପନା କରିଥିଲେ I ଚାଷ ଖସଡ଼ା ଅନୁଯାୟୀ ଜିଲ୍ଲାରେ ଚଳିତ ବର୍ଷ ମୋଟ ୪,୦୫,୭୫୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି I ତନ୍ମଧ୍ୟରୁ ୧,୭୮,୯୦୦ ହେକ୍ଟର ଜମିରେ ଧାନ ଓ ୧,୨୬,୮୫୦ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ଖସଡ଼ା ପ୍ରସ୍ତୁତ କରିଥିବା ଶ୍ରୀ ନନ୍ଦ ଅବଗତ କରାଇ ଥିଲେ I ଅଣଧାନ ଫସଲ ମଧ୍ୟରେ ମକା ୩୬,୫୦୦ ହେକ୍ଟର, ଡାଲି ଜାତୀୟ ଫସଲ ଯଥା ମୁଗ, ବିରି,ହରଡ ଆଦି ୬୫,୮୦୦ ହେକ୍ଟର ତୈଳବୀଜ ଫସଲ ଯଥା ଚିନା ବାଦାମ, ରାଶି, ଜଡ଼ା ୨୬,୪୦୦ ହେକ୍ଟର ଏବଂ ପନିପରିବା ୬୦,୬୦୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି I ସେହିପରି ଓଡିଶା ମିଲେଟ ମିଶନ ମାଧ୍ୟମରେ ୮୦୦୦ ହେକ୍ଟର ଜମିରେ ମାଣ୍ଡିଆ ଓ ଅଣ ମାଣ୍ଡିଆ ଚାଷ କରିବା ନିମନ୍ତେ ସ୍ଥିର କରାଯାଇଛି I କପା ଚାଷର ବର୍ଦ୍ଧିତ ବଜାର ମୂଲ୍ୟ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୨୫୦୦ ହେକ୍ଟର ଜମିରେ କପା ଚାଷ ନିମନ୍ତେ ଲକ୍ଷ୍ୟ ରଖା ଯାଇଛି I ଜଳସେଚନ ବିଭାଗର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମୋଟ ୩୦,୦୬୫୮ ହେକ୍ଟର ଜମିକୁ ଜଳ ସେଚନ କରାଯିବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି I ବିହନ ବିତରଣ ବ୍ୟବସ୍ଥାରେ ମୋଟ ୪୬,୬୯୩ କୁଇଣ୍ଟାଲ ବିହନ ଚାଷୀ ମାନଙ୍କୁ ଡି.ବି.ଟି. ମାଧ୍ୟମରେ ଯୋଗାଇ ଦିଆଯିବ, ଯେଉଁଥିରେ ଧାନ ୪୩,୬୩୬ କୁଇଣ୍ଟାଲ ଧାନ ଏବଂ ୩୦୫୭ କୁଇଣ୍ଟାଲ ଅଣଧାନ ବିହନ ଅନ୍ତର୍ଭୁକ୍ତ I ଜିଲ୍ଲାର ବିଭିନ୍ନ ସରକାରୀ ଏବଂ ବେସରକାରୀ ସାର ବିକ୍ରୟ କେନ୍ଦ୍ରରେ ଯଥେଷ୍ଟ ପରିମାଣର ସାର ମହଜୁଦ ଥିବା କଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈଠକରେ ଅବଗତ କରାଇଥିଲେ I ବିହନ , ସାର ଓ କୀଟନାଶକ ଔଷଧ ର ବିକ୍ରିବଟା ବେଳେ କଳାବଜାରୀ ରୋକିବା ନେଇ ଚଢାଉ କାର୍ଯ୍ୟକୁ ବ୍ଲକ୍, ଉପଖଣ୍ଡ ଏବଂ ଜିଲ୍ଲା ସ୍ତରୀୟ ସ୍କ୍ୱାଡ଼ ଗଠନ କରି ଅସାଧୁ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୩୫୫ ଗୋଟି ପ୍ରକଳ୍ପ କରିବା ସକାଶେ ଲକ୍ଷ୍ଯ ଧାର୍ଯ୍ୟ କରା ଯାଇଥିବା ଉପରେ ଆଲୋଚନା ଅନୁଷ୍ଠିତ ହୋଇ ଏହାକୁ ୫୦୦ କୁ ବୃଦ୍ଧି କରିବା ନେଇ କାର୍ଯ୍ୟ ଖସଡା ଯଥାଶୀଘ୍ର କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ I ସେହିପରି କ୍ଲଷ୍ଟର ଆପ୍ରୋଚ ମାଧ୍ୟମରେ ଲଙ୍କା,ଗେଂଡୁ ଫୁଲ, ଅର୍କିଡ଼ ,ମୁଗ, ବିରି, ରାଶି, ଚିନାବାଦାମ ଚାଷ କରିବା ସକାଶେ ପ୍ରୋତ୍ସାହନ ଦେବା ଓ ପ୍ରତି କ୍ଲଷ୍ଟର ରେ ଅତି କମରେ ୫୦୦ ଚାଷୀ ଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ I ଜିଲ୍ଲାରେ କପା ଏବଂ ଆଖୁ ଚାଷ ର ଅନୁକୂଳ ପରିବେଶ ରହିଥିବା ହେତୁ ଏହାର ପ୍ରସାର ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ I ଏହି ବୈଠକରେ ଜ଼ିଲ୍ଲା ସ୍ତରୀୟ କୃଷି ଏବଂ ଆନୁସଙ୍ଗିକ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ଉପ ଉଦ୍ୟାନ ନିର୍ଦେଶକ ଡଃ କନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ