ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲର ସେକ୍ସନ ଅଫିସର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏକ କେଶରେକର୍ଢର ସାର୍ଟିଫାଏଡ କପି ଦେବା ପାଇଁ ଆବେଦନକାରୀଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲର ସେକ୍ସନ ଅଫିସର ଜନ ଉଇଲିଅମ ବରାଳ । ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଷଣଅଣ୍ଟା ଗ୍ରାମର ବିଘ୍ନେଶ ଦାସ ଏକ ଜମିଜମା ମାମଲାରେ ପଟ୍ଟାମୁଣ୍ଡାଇ ତହସିଲଦାର ଦେଇଥିବା ନିର୍ଦେଶନାମାର ଏକ ସାର୍ଟିଫାଏଡ କପି ପାଇଁ ଦରଖାସ୍ତ କରିଥିଲେ । ସେହି କେଶରେକର୍ଡର ସାର୍ଟିଫାଏଡ କପି ପ୍ରଦାନ କରିବାକୁ ପଟ୍ଟାମୁଣ୍ଡାଇ ତହସିଲର ସେକ୍ସନ ଅଫିସର ଜନ ଉଇଲିଅମ ବରାଳ ବିଘ୍ନେଶଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏତେଗୁଡିଏ ଟଙ୍କା ଦେବାକୁ ବିଘ୍ନେଶ ସକ୍ଷମ ହୋଇନଥିବାରୁ ସେ ଭିଜିଲାନ୍ସ ବିଭାଗର ସହଯୋଗ ଲୋଡିଥିଲେ । ବିଘ୍ନେଶଙ୍କ ଅଭିଯୋଗକୁ ଭିତ୍ତି କରି କଟକ ଭିଜିଲାନ୍ସ ଥାନାରେ ୧୫/୨୦୨୪ରେ ଦୁର୍ନୀତି ନିବାରଣ ଆଇନର ୭ଧାରାରେ ଏକ ମାମଲା ରୁଜୁ କରାଯାଇଥିଲା । ଭିଜିଲାନ୍ସ ଏସପିଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଜଗି ରହିଥିବା ବେଳେ ତହସିଲର ସେକ୍ସନ ଅଫିସର ଜନ ଉଇଲିଅମ ବରାଳ ବିଘ୍ନେଶଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ସେହି ଟିମ ହାତରେ ଧରାପଡିଥିଲେ । ଜନ ଉଇଲିଅମ ବରାଳଙ୍କ ପ୍ୟାଣ୍ଟ ପକେଟରୁ ରାସାୟନିକ ପଦାର୍ଥ ବୋଳାଯାଇଥିବା ୧୦ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କ ହାତ ଓ ପ୍ୟାଣ୍ଟ ପକେଟକୁ ପାଣିରେ ଧୋଇବାରେ ସେଥିରୁ ନାଲିରଙ୍ଗର ପାଣି ବାହାରିଥିଲା । ଭିଜିଲାନ୍ସ ବିଭାଗ ଦ୍ୱାରା ଜନ ଉଇଲିଅମ ବରାଳ ଗିରଫ ହୋଇଥିବା ବେଳେ ବିଭାଗ ପକ୍ଷରୁ ତାଙ୍କ ତହସିଲ କାର୍ଯ୍ୟାଳୟର ଓ କଟକ ସହରର ତିନିକୋଣିଆ ବଗିଚାସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଆସନ୍ତାକାଲି ଶ୍ରୀ ବରାଳଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ