ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ ଓ.ଟି. ରୋଡ଼୍‌ସ୍ଥିତ ଭେନ୍ୟା ପାରାଡାଇଜ୍ ପରିସରରେ ରବିବାର ଦିନ ପୂର୍ବାହ୍ନରେ ମହାସମାବେଶରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ରକ୍ତ ପୃଥକୀକରଣର ଉଦ୍ଭାବକ ବୈଜ୍ଞାନିକ କାରଲ୍ ଲେଣ୍ଡଷ୍ଟେନାର ଓ ରକ୍ତ ଉପରେ ବିଶେଷ ଗବେଷଣା କରିଥିବା ତଥା ପୂର୍ବତନ ଓଡ଼ିଶା ରକ୍ତକେନ୍ଦ୍ର ଅଧିକାରୀ ସ୍ୱର୍ଗତ ଡା. ମହେଶ କୁମାର ବିଶ୍ୱାଳଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଡା. ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଗଠନର ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ’ର ଡା. ମହେଶ କୁମାର ବିଶ୍ୱାଳ ସ୍ମୃତିବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଂଘର ଜିଲ୍ଲା ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ଅକ୍ଷୟ କୁମାର ତ୍ରିପାଠୀ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ୫୪୧ଟି ରକ୍ତଦାନ ଶିବିର ଜରିଆରେ ୩୧୫୮୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ରକ୍ତଦାନ ଶିବିର ଆୟୋଜକମାନଙ୍କୁ ଓ ରକ୍ତଦାନ ସଚେତନତା ପାଇଁ ବିଶେଷ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ଏବଂ ସଂଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସମ୍ମାନିତ ଅତିଥିଭାବେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା ଓ ଓଡ଼ିଶା ରକ୍ତକେନ୍ଦ୍ରର ଅଧିକାରୀ ଡ. ବସନ୍ତ କୁମାର ଉପାଧ୍ୟାୟ ସେମାନଙ୍କ ବକ୍ତବ୍ୟରେ ଜିଲ୍ଲା ରକ୍ତଦାତା ସଂଘର ଉଦ୍ୟମ ଫଳରେ ବାଲେଶ୍ୱର ଜିଲ୍ଲା ସମଗ୍ର ରାଜ୍ୟରେ ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ସଂପାଦନ କରିଥିବା ସଂଗଠନ ଓ ରକ୍ତଦାତାମାନଙ୍କ ଅବଦାନ ଫଳରେ ‘ରକ୍ତ ଅଭାବରୁ କାହାରି ମୃତ୍ୟୁ ନହେଉ’ ଏହା ବାଲେଶ୍ୱର ଜିଲ୍ଲାରେ ସମ୍ଭବ ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ । ସଂଘର ଯୁଗ୍ମ ସଂପାଦକ ମନୋରଂଜନ ଦାସ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବାବେଳେ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାରେ ଆସନ୍ତା ୩ ବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ପାଠ କରାଯାଇଛି । ସଂଘର ପ୍ରତିଷ୍ଠାତା ସଭାପତି ବିପ୍ଳବ କୁମାର ମହାନ୍ତି, ସଂପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଓ ବରିଷ୍ଠ ଉପଦେଷ୍ଟା ସେଖ୍ ଜନତ୍ ହୋସେନ୍ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ସଂଗୀତ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟନିର୍ବାହୀ ସଭ୍ୟ ଦେବାଶିଷ ପାଣି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବିଜୟ ପାତ୍ର, ଭଗବାନ ମହାନ୍ତି, ଗୋପାଳ ଚନ୍ଦ୍ର ମହାପାତ୍ର, ସୁକୁମାର ରଣା, ଶ୍ୟାମସୁନ୍ଦର ଜେନା, ଯଶୋଦାନନ୍ଦନ ଆଶ, ସଂଯୁକ୍ତା ପାତ୍ର, ଜାମସେଦ ଅଲ୍ଲୀ ଖାଁ, ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ଚରଣ ପଣ୍ଡା, ସୁଲୋଚନା ବେହେରା, ପ୍ରମିଳା ରାଉତ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ