ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନ ପରିସରରେ ପୂର୍ବାହ୍ଣରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ଦ୍ୱାରା ଉତ୍ସବଟି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା । ଏହି ଉଦ୍ଘାଟନୀ ପର୍ବରେ ସୁନାମଧନ୍ୟ ନାଟ୍ୟକାର ତଥା ଅଭିନେତା ସୁରଥ ଚନ୍ଦ୍ର ନାୟକ ଓ ସମ୍ବଲପୁରୀ କଣ୍ଠଶିଳ୍ପୀ ମଳୟ କୁମାର ବେହେରା ବିଶିଷ୍ଟ ଅତିଥି ଓ ଗୁରୁ ସମୀରଂଜନ ଦାସ ଓ ରାଜଶ୍ରୀ ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡିଆ କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ ସମ୍ବଲପୁରର ଅବଦାନ ସମ୍ପର୍କରେ ଅବତାରଣା କରିଥିଲେ । ପରେ ପରେ ନୃତ୍ୟ, ସଂଗୀତ, ଚିତ୍ରକଳା, ଯନ୍ତ୍ରସଙ୍ଗୀତ ଓ ଭାଷା ସାହିତ୍ୟ ଆଦି ବିଭାଗରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା ଶେଷ ହେବା ପରେ ଜିଲ୍ଲାର ସୁନାମଧନ୍ୟ ସଂଗୀତ ଗୁରୁ ରବୀନ୍ଦ୍ରନାଥ ମିଶ୍ର, ନିମାକାନ୍ତ ରାଉତରାୟ, ସାଗରିକା ପଣ୍ଡା, ବିଜୟାଲକ୍ଷ୍ମୀ ରାଉତରାୟ, ପ୍ରୀତିନନ୍ଦା ପରିଡା ପ୍ରଭୃତିିଙ୍କ ଦ୍ୱାରା ଏକ ଚିତାକର୍ଷକ ସଂଗୀତ ଆସର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଉତ୍ସବର ଉଦ୍ ଯାପନୀ ପର୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ବିଶିଷ୍ଟ କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟ ମୁଖ୍ୟ ଅତିଥି ଓ ଓଡିଶୀ ନୃତ୍ୟଗୁରୁ ବିଜୟ କୁମାର ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଓଡିଶୀ ଭାଷା, ସାହିତ୍ୟ, ଓ ନୃତ୍ୟ ସଂଗୀତର ମୌଳିକତା ବିଷୟରେ ସୂଚନା ଦେଇ ଏହାକୁୁ ଆଗକୁ ନେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ କଳାପ୍ରେମୀ ଶ୍ରୋତାମାନଙ୍କୁ ଆହ୍ୱାନ ଦେବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉତ୍ସବର ଉଭୟ ଅଧିବେଶନରେ କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିବାବେଳେ ପ୍ରତିଷ୍ଠାତା ଅଧ୍ୟାପକ ମୋହନ ଚରଣ ଜେନା ଓ ସଂପାଦକ ମହେନ୍ଦ୍ର ପଟ୍ଟନାୟକ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ ଓ ପଣ୍ଡିତ ପ୍ରତାପ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ନୃତ୍ୟଗୁରୁ ଜୟଶ୍ରୀ ଦାସ, କୈଳାସ ଚନ୍ଦ୍ର ସାହୁ, ବିନାୟକ ପ୍ରଧାନ, ନୃସିଂହ ମହାରଣା ପ୍ରମୁଖ ବିଭିନ୍ନ ବିଭାଗରେ ବିଚାରକ ଭୂମିକା ନିର୍ବାହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶୈଳଜାଶଙ୍କର ସାମଲ, ରବୀନ୍ଦ୍ର ପାତ୍ର, ହିମାଂଶୁ ଦାସ, ଦୀପକ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ