କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଜିଲ୍ଲାପରିଷଦ ଉପ-ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାସିନ୍ଧୁ ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନୀତା ପଟ୍ଟନାୟକ, କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ ଓ ବିଡିଓ ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୬୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୧୮ ଟି ସାମୁହିକ ଅଭିଯୋଗ ଏବଂ ୧୪୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ୍ ଫଣ୍ଡରୁ ୩୦ ହଜାର ଟଙ୍କା ୪ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିବା ବେଳେ ରେଡ୍‌କ୍ରସ୍ ପାଣ୍ଠିରୁ ୩ଜଣ ଆବେଦନକାରୀଙ୍କୁ ଚିକିତ୍ସା ସହାୟତା ବାବଦରେ ମୋଟ୍ ୨୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍‌କାର୍ଡ଼ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ଜମି ସମସ୍ୟା, ପିଏମ୍ କିସାନ୍‌, ଟ୍ରାଇ ସାଇକେଲ୍ ବ୍ୟାଟେରୀ ଗାଡ଼ି ପ୍ରଦାନ, ରାତ୍ର ଜଗୁଆଳି ନିଯୁକ୍ତି, ଜମି ସୀମା ନିର୍ଦ୍ଧାରଣ ଆଦି ଦରଖାସ୍ତଗୁଡ଼ିକ ରହିଥିଲା । ସେହିପରି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ଗୋଚର ଜମିର ବେଆଇନ ବ୍ୟବହାର, ବିଦ୍ୟାଳୟ ଅର୍ଥ ଆତ୍ମସାତ, ଆୟତପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାନାନ୍ତର, ଜବରଦଖଲରେ ଥିବା ଜଳାଶ୍ରୟ ଜମିର ପୁନଃରୁଦ୍ଧାର, ନୂତନ ରାଜସ୍ୱ ଜମିଗଠନ, ଗ୍ରାମ୍ୟ ରାସ୍ତା ମରାମତି, ଚେକ୍ ଡ୍ୟାମ୍ ନିର୍ମାଣ, ଗ୍ରାମ୍ୟ ରାସ୍ତା ଅବରୋଧ ହଟାଇବା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଁ ସାଥୀମାନଙ୍କ ସମସ୍ୟା ସମାଧାନ, ଗିରି ଗୋବର୍ଦ୍ଧନ ନବୀକରଣ ଯୋଜନାରେ ହୋଇଥିବା ଅନିୟମିତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଗୋଗୁଆ ପଂଚାୟତ ହାଇସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି, ଚନ୍ଦନନଗର ଉନ୍ନୀତ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଆଦି ସମସ୍ୟାଗୁଡ଼ିକ ରହିଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ