ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିସିିସି ସଭାପତିଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋମବାର ଦିବା ୧୨ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା ବହିଷ୍କୃତ କଂଗ୍ରେସ ନେତା ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିସିିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ବିକ୍ରିକୁ ବିରୋଧ କରିବାରୁ ପିସିସି ସଭାପତି ଆକ୍ରୋଶମୂଳକ ଭାବେ ଆମକୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛନ୍ତି । ପିସିସି ସଭାପତିଙ୍କର ଯୋଗ୍ୟତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରମାଣିତ ହୋଇଯାଇଛି । ସେ ଯେଉଁ ୯ରୁ ୯୦ ଆହ୍ୱାନ ଦେଇଥିଲେ, ତାହା ଏ ଶତାବ୍ଦୀର ସବୁଠାରୁ ବଡ଼ ହସକଥା । କାରଣ କୌଣସି ପ୍ରସ୍ତୁତି ନଥାଇ ‘ମୁଙ୍ଗେରିଲାଲ କି ହସିନ ସପ୍ନା’ ଭଳି ଶରତ ପଟ୍ଟନାୟକ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ୯୦ଟି ବିଧାୟକ ବିଜୟୀ ହେବେ ବୋଲି ସ୍ୱପ୍ନରେ ଭାବୁଥିଲେ । ୮୦ଜଣ ବିଧାନସଭା ପ୍ରାର୍ଥୀ ଏବଂ ୧୨ଜଣ ସାଂସଦ ପ୍ରାର୍ଥୀଙ୍କୁ ଦଳୀୟ ପାଣ୍ଠିରୁ ଟଙ୍କାଟିଏ ଦିଆଗଲା ନାହିଁ । ୧୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପୁଲିଂ ଏଜେଣ୍ଟ ନଥିଲେ । ୧୦୦ଟି ବିଧାନସଭା ଆସନରେ ପ୍ରଚାର, ପୋଷ୍ଟର, ବ୍ୟାନର, ଲିଫଲେଟ, ଗ୍ୟାରେଣ୍ଟି କାର୍ଡ଼, ପ୍ରଚାର ଗାଡ଼ି ଦେଖିବାକୁ ମିଳିଲା ନାହିଁ । ତେଣୁ ୨୦୨୪ ନିର୍ବାଚନରେ ଶରତ ସମ୍ପୂର୍ଣ୍ଣ ଭାବେ ହାତ ଟେକି ଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁ ପିସିସି ସଭାପତି ଦଳକୁ ନେତୃତ୍ୱ ଦେଉଥିଲେ, ନୂଆପଡ଼ାରେ ନିଜେ ପ୍ରତିଦ୍ୱନ୍ଦିତା କରି ମାତ୍ର ୧୫ ହଜାର ଭୋଟ ପାଇ ଅମାନତ ହରାଇଲେ । ଏଣୁ ଶରତ ପଟ୍ଟନାୟକ କଂଗ୍ରେସ ଦଳ ପାଇଁ କଳଙ୍କ । ତାଙ୍କୁ ତୁରନ୍ତ କଂଗ୍ରେସ ଦଳରୁ ବହିଷ୍କାର କରାଯାଉ । ଯେଉଁମାନେ ପିସିସି ସଭାପତିଙ୍କୁ କାଳିମାଡ଼ କରିଛନ୍ତି, ସେମାନେ ଦଳର ନିଷ୍ଠାବାନ କର୍ମୀ । ଶରତ ପଟ୍ଟନାୟକ ଦଳର ଭୟଙ୍କର କ୍ଷତି କରି ଫୁଲମାଳ ଆଶା କରିବା ଭୁଲ୍ ।ଏହି କାର୍ଯ୍ୟକ୍ରମରେ ଗଣେଶ ଦାଶ, ଶିଳ୍ପୀଶ୍ରୀ ହରିଚନ୍ଦନ, ଇଂ ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପିସିିସି ସଭାପତିଙ୍କ କୁଶ ପୁତ୍ତଳିକାକୁ ଦାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ