ପନିପରିବା ଦରବୃଦ୍ଧି; ଖାଉଟି ହନ୍ତସନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ବିଶେଷ ଭାବେ ବୃଦ୍ଧି ପାଇଛି. ଯାହାକୁ ନେଇ ସାଧାରଣ ଖାଉଟି ବଜାରକୁ ଯିବାକୁ ଭୟ କରୁଛନ୍ତି. କାରଣ ଗତ କିଛିଦିନ ହେବ ପନିପରିବା ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଏତେ ଉଚ୍ଚା ରହିଛି ଯେ ସବୁ ବର୍ଗର ଖାଉଟି ଅତିଷ୍ଠ ହୋଇପଡ଼ିଛନ୍ତି। ଏଥିପାଇଁ କୃଷି ବିଭାଗ ଓ କୃଷି ଉଦ୍ୟାନ ବିଭାଗ ଅବହେଳା ଦାୟୀ ବୋଲି ଅଭିଯୋଗ ହେଉଛି | ଗାଁ ଗାଁ ରେ ଯଦି ନିଷ୍ଠାର ସହିତ ପନିପରିବା ଚାଷ କରାଯାଏ ତେବେ ପନିପରିବାର କେବେ ବି ଅଭାବ ରହିବ ନାହିଁ କି ଦରଦାମ ମଧ୍ୟ ଏଭଳି ଆକାଶ ଛୁଆଁ ହେବ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି। ଅସହ୍ୟ ଗୁଳୁଗୁଳି ମଣିଷକୁ ଯେତିକି କଷ୍ଟ ଦେଉନି ତାହାଠାରୁ ଅଧିକ ଯନ୍ତ୍ରଣା ଦେଉଛି ପରିବା ଦର I ଲୋକେ ପରିବା ବଜାରକୁ ଯିବାକୁ ମନ ଉଣା କରୁଛନ୍ତି। ଏଥିଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ବଜାରରେ ବିଶେଷ କରି ଆଳୁ ୩୫, ପିଆଜ ୪୫, ଟମାଟୋ ୮୦, ବାଇଗଣ ୬୦ କଞ୍ଚାଲଙ୍କା ୧୪୦ସାରୁ ୬୦, କଟକୀପୁଟଳ ୮୦, ଅଲଡି ୮୦, ଭେଣ୍ଡି ୬୦, ଜହ୍ନି ୭୦, କାଙ୍କଡ଼ ୧୦୦, ବିନସ ୧୫୦, କଲରା ୮୦, ଫୁଲକୋବି ୮୦, କୁନ୍ଦୁରି ୬୦, ବନ୍ଧାକୋବି ୬୦ ଟଙ୍କା, ଅଦା ୧୮୦, ରସୁଣ ୨୦୦ ଟଙ୍କା ରହିଛି. ଆଶାନୁରୂପ ଚାଷ ହେଉନଥିବା କାରଣରୁ ଆଞ୍ଚଳିକ ପନିପରିବା ଚାଷ ମଧ୍ୟ ବାଧାପ୍ରାପ୍ତ ହେଉଛି| ସରକାର ଗଜପତି ଜିଲ୍ଲାର ପ୍ରତି ବ୍ଲକରେ ଚାଷର ଉନ୍ନତି ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ହେଲେ ତାହା ବାସ୍ତବ କ୍ଷେତ୍ରରେ ସଫଳ ରୂପାୟନ ହୋଇପାରୁନାହିଁ । ଚାଷୀଙ୍କୁ ଉତ୍ସାହିତ କରାଇ ପରିବା ଚାଷ ପ୍ରତି ଆକର୍ଷିତ କରାଇବାରେ କେଉଁଠି ନା କେଉଁଠି ଆନ୍ତରିକତା ଓ ଉଦ୍ୟମର ଅଭାବ ରହୁଥ‌ିବା ଅଭିଯୋଗ ହେଉଛି। ବର୍ଷାର ଅଭାବ ସାଙ୍ଗକୁ ପାଣିପାଗ ପରିବର୍ତ୍ତନ, ବ୍ୟବସାୟୀକରଣ ଇତ୍ୟାଦି ଅଭାବ ଯୋଗୁଁ ଚାଷୀ ମଧ୍ୟ ପରିବା ଚାଷରୁ ବିମୁଖ ହେଉଛନ୍ତି। ଏହାବ୍ୟତିତ ଶୀତଳ ଭଣ୍ଡାର ନ ଥିବା କାରଣରୁ ମଧ୍ୟ ଅଧିକ ଅମଳ ବେଳେ ଚାଷୀ ସାଇତି ରଖୂପାରୁନାହାନ୍ତି I ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚାଷ ପ୍ରତି ପ୍ରୋତ୍ସାହନ ଓ ପ୍ରତି ପଞ୍ଚାୟତରେ ଶୀତଳଭଣ୍ଡାର ନିର୍ମାଣ ଆଦି କାର୍ଯ୍ୟକୁ ଗୁରୁତ୍ବ ଦେଲେ ପନିପରିବା ଦର ନିୟନ୍ତ୍ରଣରେ ରହିପାରିବ ବୋଲି ଚାଷୀମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ