ବନ୍ୟା ପ୍ରବଣ ନଦୀକୂଳିଆ ଅଂଚଳରେ କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବନ୍ୟା ପ୍ରବଣ ଅଂଚଳ ଭାବେ ପରିଚିତ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ବନ୍ୟାଜଳ ନିଷ୍କାସନ ଓ ସାମ୍ଭବ୍ୟ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ ପାଇଁ କ୍ଷେତ୍ର ପରିଦର୍ଶନ ସହ ଜଳସେଚନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ବୁଆଁଳ ଓ ବଇଁଚା ପଂଚାୟତର ବୁଢାବଳଙ୍ଗ ନଦୀକୂଳିଆ ନୂଆପୁର ସିନ୍ଧିଆ, ବେଲବାରିଆ, କୁଡିଆ, ପାରିକୁଳ, ବୁଆଁଳ ପ୍ରଭୃତି ଅଂଚଳର ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ପାଇଁ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଓ ଅନ୍ୟ ଅଧିକାରୀଙ୍କ ସହ ଶ୍ରୀ ଦତ୍ତ ଆଲୋଚନା କରିଛନ୍ତି । ଶ୍ରୀ ଦତ୍ତ ପ୍ରଥମେ ନୁଆପୁର ସିନ୍ଧିଆ ଗ୍ରାମରେ ବୁଢାବଳଙ୍ଗ ନଦୀକୂଳରେ ସ୍ଥିତି ପରିଖିବା ସହିତ କ୍ରମାଗତ କୂଳ ଖାଉଥିବା ନଦୀତଟର ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ନଦୀ ତଟର ସୁରକ୍ଷା ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ଦତ୍ତ କହିଛନ୍ତି । ସଦର ନିର୍ବାଚନମଣ୍ଡଳୀର ବନ୍ୟା ପ୍ରବଣ ଗ୍ରାମଗୁଡିକରେ ବର୍ଷ ବର୍ଷ ଧରି ସମସ୍ୟା ଜର୍ଜରିତ ଜନସାଧାରଣଙ୍କ ଧନ ଓ ଜୀବନ ରକ୍ଷା ପାଇଁ ସ୍ଥାୟୀ ପ୍ରତିକାର ଆବଶ୍ୟକ । ବର୍ଷ ବର୍ଷ ଧରି କୂଳ ଖାଇ ଲୋକଙ୍କ ଜମି ନଦୀ ଗର୍ଭକୁ ଚାଲିଗଲାଣି । ଆଗାମୀ ଦିନରେ ଲୋକଙ୍କୁ ବନ୍ୟା ପ୍ରଭାବରୁ ରକ୍ଷା କରିବାକୁ ବୁଆଁଳ ଓ ବଇଁଚା ପଂଚାୟତର ନଦୀ କୂଳିଆ ଗ୍ରାମଗୁଡିକରେ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ଶ୍ରୀ ଦତ୍ତ ପ୍ରସ୍ତାବ ଦେଇଛନ୍ତି । ‘ବୁଢାବଳଙ୍ଗ ସଂସ୍କାର ଯୋଜନା’ ନାମରେ ଜଳସେଚନ ବିଭାଗ ପକ୍ଷରୁ ଏକ ଦୀର୍ଘ ତଥା ସ୍ଥାୟୀ ଯୋଜନା ପ୍ରସ୍ତୁତି ପାଇଁ ସେ କହିଛନ୍ତି । ଫଳରେ ବୁଆଁଳ ଠାରୁ ଆରମ୍ଭ କରି ଟିଆଖିଆ ପର୍ଯ୍ୟନ୍ତ ନଦୀ କୂଳ ସୁରକ୍ଷିତ ହୋଇପାରିବ । ଆସନ୍ତା ମୌସୁମୀ ବର୍ଷା ପରେ ପରେ ଏହି ଯୋଜନାର କାର୍ଯ୍ୟ ପାଇଁ ସର୍ଭେ ଆରମ୍ଭ ହେବ । ତେବେ ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଗ୍ରାମବାସୀମାନେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ପୂର୍ବରୁ ବନ୍ୟା ନିୟନ୍ତ୍ରଣ ପାଇଁ ସଂଖ୍ୟାଧିକ ଯୋଜନା ପ୍ରସ୍ତାବ ଥିଲେ ବି କେତେକ ସ୍ଥାନରେ ପଥର ପ୍ୟାଚିଂ ଛଡା ଅନ୍ୟ କୌଣସି ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ । ଏକ ସାମଗ୍ରିକ ସଂସ୍କାର ଯୋଜନା ମାଧ୍ୟମରେ ବନ୍ୟା ପ୍ରବଣ ଅଂଚଳର ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ରାଜ୍ୟର ନୂତନ ସରକାର ସମର୍ପିତ ରହିବ । ତୃଣମୂଳସ୍ତର ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ଦିଗରେ ଏହିଭଳି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସର୍ବଦା ପ୍ରୟାସ ଜାରି ରହିବ ବୋଲି ଶ୍ରୀ ଦତ୍ତ କହିଛନ୍ତି । ବୁଢବଳଙ୍ଗ ନଦୀର ବନ୍ୟା ପ୍ରବଣ ଅଂଚଳ ଗୁଡିକ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହେବା ଆବଶ୍ୟକତା ଥିବା ବେଳେ ଏବେ ସୁଦ୍ଧା ସ୍ୱଳ୍ପ ସ୍ଥାନରେ ପଥର ପ୍ୟାଚିଂ କାର୍ଯ୍ୟ ସରିଥିବା କହିଛନ୍ତି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନ । ସରକାରଙ୍କ ଅନୁମୋଦନ ସହିତ ଜନସାଧାରଣଙ୍କ ସହଯୋଗ ରହିଲେ ‘ବୁଢାବଳଙ୍ଗ ସଂସ୍କାର ଯୋଜନା’ ଭଳି ଏକ ଦୀର୍ଘ ମିଆଦି ଯୋଜନା ପର୍ଯ୍ୟାୟକ୍ରମେ ଶେଷ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ଏହି କ୍ଷେତ୍ର ପରିଦର୍ଶନ ସମୟରେ ଜଳସେବନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାପସ କୁମାର ନାୟକ ଓ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପଟ୍ଟନାୟକଙ୍କ ସହ ବୁଆଁଳର ପୂର୍ବତନ ସମିତି ସଭ୍ୟ ରବିନାରାୟଣ ମହାପାତ୍ର ଓ ଗଣେଶ ପାଢୀ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ବୁଆଁଳର ସରପଂଚ ଜିତେନ ଜେନା, ବୁଆଁଳର ସମିତି ସଭ୍ୟ ମାୟାଧର ମହାଳିକ, ଶ୍ରୀକାନ୍ତ ମହାପାତ୍ର, ସଦାଶିବ ବେହେରା, ଗଜେନ୍ଦ୍ର ଜେନା, ପ୍ରମଲ କୁମାର ସିଂହ, ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ଜେନା, ବେଣୁଧର ପରିଡା, ଜୟନ୍ତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପିର ବରିଷ୍ଠ ନେତା ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, କାର୍ତ୍ତିକ ରାଉତ, ଲୋକନାଥ ଭୂୟାଁ, ଧିରଜ ମହାନ୍ତି, ଅନନ୍ତ ନାୟକ, ଅଶୋକ ପାଢୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ପରେ ଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟରତ ତଥା ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଆୟୋଜିତ ଏକ ବୈଠକରେ ଶ୍ରୀ ଦତ୍ତ ଯୋଗ ଦେଇଥିଲେ । ସଦର ବ୍ଲକ ଅଂଚଳରେ ବନ୍ୟାଜଳ ନିଷ୍କାସନ, ଲୁଣା ଜୁଆରରୁ ସୁରକ୍ଷା, ଜଳସେଚନ ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ଚାଳିଥିବା ପ୍ରକଳ୍ପର ଯୋଜନାବଦ୍ଧ ଭାବେ ସଫଳ କାର୍ଯ୍ୟକାରିତା ପାଇଁ ଶ୍ରୀ ଦତ୍ତ ଏହି ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ