ମହଙ୍ଗା ମାଡ

ସାଧାରଣତଃ ନିର୍ବାଚନ ପରେ ଆମ ଦେଶରେ ତେଜରାତି ଠାରୁ ଆରମ୍ଭ କରି ପନିପରିବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢିଥାଏ, ଏପରି ଏକ ଧାରଣା ଲୋକଙ୍କ ମନରେ ସ୍ୱାଧୀନତା ପରବର୍ତୀ ପ୍ରଥମ ସାଧାରଣ ନିର୍ବାଚନ ପରଠାରୁ ରହିଆସିଛି । କିନ୍ତୁ ଏହା ନିସନ୍ଦେହ ଯେ, ଲୋକଙ୍କ ମନରେ ଏପରି ଧାରଣା ଅମୂଳକ ନୁହେଁ । ଦେଶରେ ଅଷ୍ଟାଦଶ ଲୋକସଭା ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଦୀର୍ଘ ୪୪ଦିନ ଦରି ଚାଲିଥିବା ପ୍ରକ୍ରିୟାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଗତ ଜୁନ ମାସ ପହିଲାରେ ଶେଷ ହେବା ପରେ ନିର୍ବାଚନ ଫଳାଫଳ ଘୋଷଣା ନହେଉଣୁ ପ୍ରଥମେ ଅମୂଲର ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଥିଲା । ପରେ ପରେ ଡାଲି, ଚାଉଳ, ଅଟା, ଖାଇବା ତେଲ ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟସାମଗ୍ରୀ ସହ ଆଳୁ, ପିଆଜ ପନିପରିବା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପାଇଲାଣି ଏବଂ ଦିନକୁ ଦିନ ଦର ମଧ୍ୟ ବଢିବାରେ ଲାଗିଛି । ଗରିବ, ଅସହାୟଙ୍କ ଠାରୁ ଆରମ୍ଭ କରି ଧନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆଳୁ ,ପିଆଜ, ଚାଉଳ, ଅଟା, ଡାଲି, ତେଲ, ଜୀବନ ଧାରଣ ପାଇଁ ଅତ୍ୟନ୍ତ ଦରକାରୀ ସାମଗ୍ରୀ ହୋଇଥିବାବେଳେ ଏହାର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି । ବଜାରରେ କେଜି ପ୍ରତି ୪୦ଟଙ୍କା ତଳକୁ ଚାଉଳ ନଥିବାବେଳେ ଆଳୁ ୪୦, ପିଆଜ ୫୦ଟଙ୍କାକୁ ଚଢିଲାଣି । ଅଥଚ ନିର୍ବାଚନ ସମୟରେ ବା ପୂର୍ବରୁ ଉଭୟ ଆଳୁ ପିଆଜର ଖୁଚୁରା ବଜାରରେ କେଜି ପ୍ରତି ମୂଲ୍ୟ ୨୫ଟଙ୍କା ତଳେ ଥିଲା । ସେହିପରି କୌଣସି ସବୁଜ ପନିପରିବାର ମୂଲ୍ୟ ଆଉ ୪୦ଟଙ୍କା ତଳେ ନାହିଁ । ଟମାଟୋ ୮୦ରୁ ୧୦୦ଟଙ୍କାରେ ବିକ୍ରୀ ହେଉଛି । ତେବେ ପନିପରିବାର ମୂଲ୍ୟ ତାତି ଓ ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ହୋଇଥିବା କୁହାଯାଏ । ଫସଲକୁ ତାତି ଉଜାଡି ଦେଇଛି । ଉତ୍ପାଦନ ତୁଳନାରେ ଚାହିଦା ଅଧିକ ଥିବାରୁ ଦର ବଢିବା ସ୍ୱାଭାବିକ ବୋଲି କୁହାଯାଏ । କିନ୍ତୁ ଆଳୁ ପଶ୍ଚିମବଙ୍ଗରୁ ଏବଂ ପିଆଜ ମହାରାଷ୍ଟ୍ରର ନାସିକରୁ ଆମଦାନୀ ହୋଇଥାଏ । ସେଠାରେ ଦରବଢିଥିବାରୁ ପରିବହନ ବ୍ୟୟ ଓ ଲାଭ ପାଇଁ ଓଡିଶାରେ ଦର ବଢିଛି, ଯାହାକି ସ୍ୱାଭାବିକ ବୋଲି ଖୋଦ୍ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ସରକାରୀ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ପାଇଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବଢିଚାଲିଛି । ଖାଉଟି ମୂଲ୍ୟାସୂଚ୍ୟାଙ୍କ ୧୩ ପ୍ରତିଶତରୁ ୨.୬ ପ୍ରତିଶତକୁ ବଢିଥିବାବେଳେ ହୋଲସେଲ ମୂଲ୍ୟ ସୂଚ୍ୟାଙ୍କ ୪.୭%କୁ ବୃଦ୍ଧି ପାଇଛି । ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ୮.୬୯ ପ୍ରତିଶତ ରହିଛି । ଏଥିରୁ ଖାଦ୍ୟସାମଗ୍ରୀ ସହ ବିଭିନ୍ନ ସାମଗ୍ରୀର ମୂଲ୍ୟ ନିର୍ବାଚନ ପରେ କିପରି ବଢି ଚାଲିଛି, ତାହା ବେଶ୍ ଅନୁମାନ କରାଯାଇପାରେ । ପନିପରିବାର ମୁଦ୍ରାସ୍ପୀତି କ୍ରମାଗତ ଷଷ୍ଠ ମାସରେ ୨୭.୩ ପ୍ରତିଶତ ବଢିଥିବାବେଳେ ବର୍ଷକ ଭିତରେ ଅର୍ଥାତ ଅମଳ ମାସ ଠାରୁ ଆଳୁର ମୂଲ୍ୟ ୪୪ ପ୍ରତିଶତ, ପିଆଜ ୫୮ ପ୍ରତିଶତ, ଟମାଟୋ ୩୫ପ୍ରତିଶତ ବଢିଛି । ଅଦା, ରସୁଣ ପରି ସାମଗ୍ରୀ ଏବେ ଉପରମୁହାଁ । ପ୍ରତି ସପ୍ତାହରେ ଏହାର ମୂଲ୍ୟ ବଢିଚାଲିଥିବା ଖାଉଟି ଅଭିଯୋଗ କରନ୍ତି । କେବଳ ଏତିକି ନୁହେଁ, ଚାଉଳର ମୂଲ୍ୟ ୧୫ ପ୍ରତିଶତ ବଢିଥିବାବେଳେ ଗହମଜାତ ସାମଗ୍ରୀ ତଥା ଅଟାର ମୂଲ୍ୟ ୪.୭ ପ୍ରତିଶତ, ସୁଜି, ମଇଦା ଆଦି ୫.୭ ପ୍ରତିଶତ, ହରଡ ଡାଲି ପ୍ରାୟ ୩୦ପ୍ରତିଶତ, ଚଣା ଡାଲି ୧୭ପ୍ରତିଶତ, ମୁଗଡାଲି ୮.୫ ଶତାଂଶ ମହଙ୍ଗା ହୋଇଛି । ସେହି ଦୁଗ୍ଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରକରଣା ସାମଗ୍ରୀ ମଧ୍ୟ ମହରଗ ହୋଇଛି । ଏହା ନିସନ୍ଦେହ ଯେ, ନିର୍ବାଚନ ପୂର୍ବରୁ ଦରଦାମ ବୃଦ୍ଧି ନେଇ ଜନସାଧାରଣ ଯେଉଁ ଆଶଙ୍କା କରିଥିଲେ, ତାହା ସତ୍ୟରେ ପରିଣତ ହୋଇଛି । ନିର୍ବାଚନ ମାହୋଲ ଯାଇଛି, ନୂଆ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ଗଠିତ ହୋଇଛି । କିନ୍ତୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଖାଉଟି ଏବେ ହନ୍ତସନ୍ତ । ଯାହାକି ହାଣ୍ଡିଶାଳ ଉପରେ ସିଦାସଳଖ ଚଡକ ପଡିଛି ବୋଲି କୁହାଗଲେ, ହୁଏତ ଅତିରଂଜିତ ହେବ ନାହିଁ । ଦରଦାମ ମଧ୍ୟ ଆହୁରି ବଢିବା ଆଶକାଙ୍କୁ ଏଡାଇ ଦେଇ ହେଉନାହିଁ । ଅତ୍ୟାବ୍ୟଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ମହଜୁଦକାରୀ, କଳା ବେପାରୀଙ୍କୁ ସରକାର କେବଳ ଚେତାବନୀ ଦେଇ ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ବିଭାଗୀୟ ମନ୍ତ୍ରୀ ବା ସରକାର ନିଜର ଦାୟିତ୍ୱ ସାରିଦେଇଛନ୍ତି । ମାତ୍ର ଦରଦାମ ନିୟନ୍ତ୍ରଣ କିପରି କରାଯାଇପାରିବ, ସେ ନେଇ ସରକାର ନୀରବ ରହିଥିବା ବେଳେ ଆମଦାନୀ ସ୍ଥାନରେ ମୂଲ୍ୟ ବଢିଥିବାରୁ ପରିବହନ ବ୍ୟୟ ଏବଂ ବ୍ୟବସାୟୀ ଲାଭ ଦୃଷ୍ଟିରୁ ରାଜ୍ୟରେ ଦରଦାମ ଠିକ୍ ରହିଥିବା କହି ମନ୍ତ୍ରୀ ହାତଟେକି ଦେଇଥିବା କୁହାଯାଇପାରେବ । ଏହା ନିସନ୍ଦେହ ଯେ, କେବଳ ପନିପରିବା ବ୍ୟତୀତ ଅନ୍ୟ ସାମ୍ରଗୀର ମୂଲ୍ୟ ଥରେ ବଢିଲେ, ତାହା ଆଉ କମିବାର ନାଁ ଧରେ ନାହିଁ । ନିର୍ବାଚନ ପରେ ପେଟ୍ରୋଲ, ଡିଜେଲର ମୂଲ୍ୟ ବଢିବା ଯେଉଁ ଯେଉଁ ଜନରବ ହେଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଗତ ୨୦୨୨ ମେ’ ମାସଠାରୁ ଦେଶରେ ଇନ୍ଧନର ମୂଲ୍ୟ ସ୍ଥିର ରହିଛି । ଏବେ କେବେ ପେଟ୍ରୋଲ, ଡିଜେଲର ମୂଲ୍ୟ ବଢିବ ତାକୁ ଅପେକ୍ଷା । ଯଦି ଇନ୍ଧନର ମୂଲ୍ୟ ବଢେ, ତେବେ ଆହୁରି ଦରଦାମ ବଢିବା ସହ ମୁଦ୍ରାସ୍ଫୀତି ଉପର ମୁହାଁ ହେବ, ଏଥିରେ ସନ୍ଦେହ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ