ଜନ୍ମିତ ଶିଶୁକନ୍ୟାକୁ ରାସ୍ତାରେ ଫିଙ୍ଗିଲା ଜନନୀ
ଜାତୀୟ ରାଜପଥ ପ୍ବାର୍ଶ୍ବରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଶୁକ୍ରବାର ଭୋର ସମୟରେ ଏକ ଅମାନବୀୟ ଘଟଣା ଘଟିଛି।ସଦ୍ୟ ଜନ୍ମିତ ଏକ ଶିଶୁକନ୍ୟାକୁ ଅତି ନିଷ୍ଠୁର ଭାବେ ଜନ୍ମଦାତ୍ରୀ ମା ଜଣକ ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶ୍ବରେ ଫୋପାଡ଼ି ଦେଇ ଅନ୍ତର୍ଦ୍ଧାନ ହୋଇଥିବା ଜଣାପଡିଛି। ଅବୈଧ କିମ୍ବା ଅବାଂଛିତ ମାତୃତ୍ୱରୁ ଜନ୍ମିତ ଏହି ନବଜାତ ଶିଶୁକନ୍ୟାଟିକୁ ଲୋକଲଜ୍ଜା ଭୟରେ ପିଶାଚୀ ମା ଲୋକ ଲୋଚନରୁ ହଟେଇବା ପାଇଁ ବଡି ଭୋରରୁ କେନାଲରେ ଫୋପାଡ଼ି ଚାଲି ଯାଇଥିବା ଜଣା ପଡ଼ିଛି। ଘଟଣାଟି ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସନ୍ତୋଷୀ ମା ମନ୍ଦିର ନିକଟରୁ ମୃତ ଶିଶୁକନ୍ୟାକୁ ପୋଲିସ ଉଦ୍ଧାର କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ ୨୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶିଶୁକନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପୋଲିସ ସୂଚନା ମୁତାବକ ଶୁକ୍ରବାର ଭୋରରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସୋମପୁର – ପୋଚିଲିମା ମଧ୍ୟବର୍ତ୍ତୀ ଆଚିକାବନ୍ଧ ସନ୍ତୋଷୀ ମା ମନ୍ଦିର ନିକଟରେ ଏକ ସଦ୍ୟ ଜନ୍ମିତ ଶିଶୁକନ୍ୟାର ମୃତ ଦେହ ପଡିଥିବା କିଛି ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଦେଖେଣାହାରୀଙ୍କ ଭିଡ ଜମିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁକନ୍ୟାର ଶବ ଉଦ୍ଧାର କରିଥିଲା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଡନ ଖେଳି ଯାଇଥିଲା। ସମ୍ଭବତଃ କେହି ଜଣେ ମହିଳା ନିଜ ପାପ କର୍ମକୁ ଲୁଚାଇବା ପାଇଁ ଏଭଳି ନିଷ୍ଠୁରତା ପ୍ରଦର୍ଶନ କରିଥିବା ଜଣା ପଡ଼ିଛି। ଏହା ବ୍ୟତୀତ ଏହି ସମ୍ବେଦନଶୀଳ ଘଟଣାରୁ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମଚାରୀ,ଆଶା ଓ ଅଙ୍ଗନବାଡିଙ୍କ ଦାୟିତ୍ୱ ହୀନତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏତଦ୍ ବ୍ୟତୀତ କନ୍ୟାଭ୍ରୁଣ ହତ୍ୟା, ଅବାଂଛିତ ମାତୃତ୍ୱ, ବିଜୁ କନ୍ୟାରତ୍ନ, ବେଟି ବଢାଓ,ବେଟି ପଢ଼ାଓ ଭଳି ସୁଦୂର ପ୍ରସାରୀ ଯୋଜନା ଗୁଡିକ ତୃଣ ମୂଳ ସ୍ତରରେ ଫେଲ ମାରୁଥିବା ଘଟଣାରୁ ସ୍ପଷ୍ଟ ସଙ୍କେତ ଦେଇଛି। ଘଟଣା ନେଇ ହିଞ୍ଜିଳିକାଟୁ ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।