କେନ୍ଦ୍ରାପଡା କଲେଜରୁ ଏସି ଚୋରି ଘଟଣା ଖସିଗଲେ ମାଷ୍ଟରମାଇଣ୍ଡ ଅଧ୍ୟାପକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କଲେଜରେ ୧୪ ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିବା ଜଣେ ଅଧ୍ୟାପକଙ୍କୁ ପୋଲିସ ଥାନାରୁ ଖସାଇ ଦେଇଛି । ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ମାଷ୍ଟରମାଇଣ୍ଡ ଅଧ୍ୟାପକଙ୍କୁ କାହିିଁକି ଛାଡି ଦିଆଗଲା ତାହାକୁ ବିରୋଧ କରି କେତେକ ପୁରାତନ ଛାତ୍ର ସୋମବାର ଟାଉନ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇ ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏସି ଚୋରି ଯିବା ନେଇ ଜାଣିବା ପରେ କଲେଜ ଅଧ୍ୟକ୍ଷ ଅଭିଜିତ ବୋଷ କେନ୍ଦ୍ରାପଡା ଟାଉନ ଥାନାରେ ଗତ ୫ତାରିଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗକୁ ପଞ୍ଜିକୃତ କରି ତଦନ୍ତ ଚଳାଇଥିଲା । ମହାବିଦ୍ୟାଳୟରେ ବିଦ୍ୟୁତ କାର୍ଯ୍ୟ କରୁଥିବା ପପୁ ନାମକ ଜଣେ ଇଲେକ୍ଟ୍ରୀସିଆନକୁ ଥାନାକୁ ଧରିଆଣି ପଚରାଉଚୁରା କରିବା ସହ ତାଙ୍କ ପାଖରୁ ଚୋରି ଯାଇଥିବା ନୂଆ ଏସିଟି ଜବତ କରିଥିଲା । ଏହାପରେ ସଂପୃକ୍ତ ଏସି ଚୋର ଇଲେକ୍ଟ୍ରୀସିଆନକୁ ଗିରଫ କରିବା ସହ ତାକୁ ପୁନର୍ବାର ପଚରାଉଚୁରା କରିଥିଲା । ଚୋର ଇଲେକ୍ଟ୍ରୀସିଆନ୍ ପୋଲିସ ଆଗରେ କହିଥିଲା ଯେ କଲେଜର ପଦାର୍ଥବିଜ୍ଞାନ ବିଭାଗର ଜଣେ ଅଧ୍ୟାପକ ତାକୁ ଏହି ଏସି ନେବାକୁ କହିଥିଲେ । ତେଣୁ ପୋଲିସ ସଂପୃକ୍ତ ଅଧ୍ୟାପକଙ୍କୁ ରବିବାର ଡକାଇ ଆଣି ଥାନାରେ ଅଟକ ରଖିଥିଲା । ଏହାବ୍ୟତିତ କଲେଜର ରାତ୍ର ଜଗୁଆଳକୁ ମଧ୍ୟ ପୋଲିସ ଥାନାରେ ଅଟକ ରଖିଥିଲା । କିନ୍ତୁ କ’ଣ ହେଲା କେଜାଣି ପୋଲିସ ସଂପୃକ୍ତ ଅଧ୍ୟାପକ ଓ ରାତ୍ର ଜଗୁଆଳକୁ ରବିବାର ରାତି ସାଢେ ଗୋଟାଏ ପରେ ଥାନାରୁ ଛାଡିଦେଲା । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ କଲେଜ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ନୂତନ ଏସି ନୁହେଁ କଲେଜ କନଫରେନ୍ସ ହଲରେ ଲାଗିଥିବା ୧୪ଟି ପୁରୁଣା ଏସି ସହିତ କଲେଜରୁ ଲାପଟପ୍‌, କମ୍ପ୍ୟୁଟର ସମେତ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଚୋରୀ ହୋଇଥିବା ସୂଚନା ମିଳିଛି । ଏସବୁ ସାମଗ୍ରୀ ଚୋରି ହେବାର ମାଷ୍ଟରମାଇଣ୍ଡ ହେଉଛନ୍ତି ସେହି ଅଧ୍ୟାପକ ଜଣଙ୍କ ଯାହାକୁ ପୋଲିସ ଥାନାରେ ଅଟକ ରଖିଥିଲା । ଏହି ଚୋରି ଘଟଣାର ଏକ ଉଚ୍ଚସ୍ଥରୀୟ ତଦନ୍ତ ହେଲେ ଘଟଣାର ଗୁମର ଖୋଲିବା ସହିତ ଆହୁରି ବହୁ କଥା ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ