କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବିରେ ପୁରାତନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କଲେଜରେ ୧୪ଟି ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିବା ଜନୈକ ଅଧ୍ୟାପକଙ୍କୁ ପୋଲିସ ଥାନାରୁ ଛାଡିଦେବା ପ୍ରତିବାଦରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଟାଉନ ଥାନା ସମ୍ମୁଖରେ ଆଜି ବିକ୍ଷୋଭ ଧାରଣା ଦିଆଯାଇଛି । ସଂପୃକ୍ତ ମାଷ୍ଟରମାଇଣ୍ଡ ଅଧ୍ୟାପକଙ୍କୁ ଥାନାରୁ କାହିିଁକି ଛାଡି ଦିଆଗଲା ତାହାକୁ ବିରୋଧ କରି ପୁରାତନ ଛାତ୍ରମାନେ ସୋମବାର ଟାଉନ ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏସି ଚୋରି ହୋଇଥିବା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଅଭିଜିତ ବୋଷ କେନ୍ଦ୍ରାପଡା ଟାଉନ ଥାନାରେ ଗତ ୫ତାରିଖରେ ଅଭିଯୋଗ କରିଥିଲେ । ପୋଲିସ ସେହି ଅଭିଯୋଗକୁ ଥାନା କେଶ ନଂ- ୧୪୨/୨୦୨୪ରେ ବି.ଏନ.ଏସ. ୩୦୫ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମହାବିଦ୍ୟାଳୟରେ ବିଦ୍ୟୁତ କାର୍ଯ୍ୟ କରୁଥିବା ପପୁ ନାମକ ଜଣେ ଇଲେକ୍ଟ୍ରୀସିଆନକୁ ଥାନାକୁ ଧରିଆଣି ପଚରାଉଚୁରା କରିବା ସହ ତାଙ୍କ ପାଖରୁ ଚୋରି ଯାଇଥିବା ନୂଆ ଏସି ସମେତ ୩ଟି ଏସି ପୋଲିସ ଜବତ କରିଥିଲା । ଚୋର ଇଲେକ୍ଟ୍ରୀସିଆନ୍ ପୋଲିସ ଆଗରେ ତା’ର ବୟାନ ଦେଇ କହିଥିଲା ଯେ କଲେଜର ପଦାର୍ଥବିଜ୍ଞାନ ବିଭାଗର ଜଣେ ଅଧ୍ୟାପକ ତାକୁ ଏହି ଏସି ଦେଇଥିଲେ । ତେଣୁ ପୋଲିସ ସଂପୃକ୍ତ ଅଧ୍ୟାପକଙ୍କୁ ରବିବାର ଡକାଇ ଆଣି ଥାନାରେ ରାତି ସାଢେ ଗୋଟାଏ ଯାଏ ଅଟକ ରଖିଥିଲା । ଏହାବ୍ୟତିତ କଲେଜର ଜଣେ ରାତ୍ର ଜଗୁଆଳକୁ ମଧ୍ୟ ପୋଲିସ ଥାନାରେ ଅଟକ ରଖିଥିଲା । କିନ୍ତୁ କ’ଣ ହେଲା କେଜାଣି ପୋଲିସ ସଂପୃକ୍ତ ଅଧ୍ୟାପକ ଓ ରାତ୍ର ଜଗୁଆଳକୁ ରବିବାର ରାତି ସାଢେ ଗୋଟାଏ ପରେ ଥାନାରୁ ଛାଡିଦେଲା । ଏହି ଘଟଣାର ପ୍ରତିବାଦରେ କଲେଜର ପୁରାତନ ଛାତ୍ରମାନେ ଆଜି ଟାଉନ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । କଲେଜରୁ କେବଳ ନୂତନ ଏସିଟିି ନୁହେଁ କଲେଜ କନଫରେନ୍ସ ହଲରେ ଲାଗିଥିବା ୧୪ଟି ପୁରୁଣା ଏସି ସମେତ ୨୫ଟି ଏସି ସହିତ ଲାପଟପ୍‌, କମ୍ପ୍ୟୁଟର ଓ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଚୋରି ହୋଇଯାଇଥିବା ସୂଚନା ମିଳିଛି । ଏସବୁ ସାମଗ୍ରୀ ଚୋରି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ଥାନାରେ ଅଟକ ଥିବା ସେହି ଅଧ୍ୟାପକ ଜଣଙ୍କ । ଏହି ଚୋରି ଘଟଣାରେ ଥାନାରେ ଅଟକ ଥିବା ଅଭିଯୁକ୍ତ ଅଧ୍ୟାପକଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ୭ଦିନ ମଧ୍ୟରେ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ର ପ୍ରତାପ ମହାନ୍ତି, ଭାଗିରଥୀ ଜେନା, ଚିତ୍ତରଞ୍ଜନ ଦାସ, ପ୍ରଦୀପ କୁମାର ଦାଶ, ନିରଞ୍ଜନ ପରିଡା, ବିଧୁଭୂଷଣ ମହାପାତ୍ର, ରମଣୀରଞ୍ଜନ ରାଉତରାୟ, ମୃତ୍ୟୁଞ୍ଜୟ ତ୍ରିପାଠୀ, ହରେକୃଷ୍ଣ ପାତ୍ର, ଅନିତ ଗୈାତ୍ତମ, ରମାକାନ୍ତ ମାହାଳି ପ୍ରମୁଖ ଶତାଧିକ ଛାତ୍ର ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ