ଏନ୍ସିଇଆରଟି ପୁସ୍ତକ ବାଧ୍ୟତାମୂଳକ ଓ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘର ସିବିଏସ୍ଇ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏନ୍ସିଇଆରଟି ପୁସ୍ତକ ପ୍ରଚଳନ ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ କୌଣସି ହୋମ୍ୱାର୍କ ନ ଦିଆଯିବାକୁ ନେଇ ୨୦୦୮ ମସିହାରେ ମାନ୍ୟବର ମାଡ଼୍ରାସ ଉଚ୍ଚ ନ୍ୟାୟାଳୟ ଏକ ପତ୍ର ମାଧ୍ୟମରେ ମାନବ ସମ୍ବଳ ମନ୍ତ୍ରଣାଳୟ ଓ ସିବିଏସ୍ଇ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ ଆଗାମୀ ଶିକ୍ଷାବର୍ଷରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିବିଏସ୍ଇ କର୍ତ୍ତୃପକ୍ଷ ଅଗଷ୍ଟ ୧୩ ତାରିଖରେ ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ମାନବ ସମ୍ବଳ ବିଭାଗ ତରଫରୁ ମଧ୍ୟ ୫ ଅକ୍ଟୋବର ୨୦୧୮ରେ ସମସ୍ତ ରାଜ୍ୟର ଶିକ୍ଷା ସଚିବମାନଙ୍କୁ ଏହି ଆଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ କଡ଼ାକଡ଼ ଭାବେ କାର୍ଯ୍ୟକାରୀ କରିବାକୁ ସ୍କ୍ୱାର୍ଡ଼ ଗଠନ କରିବାକୁ ତାଗିଦ କରାଯାଇଥିଲା । ଯେଉଁ ବିଦ୍ୟାଳୟ ନ ମାନିବେ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଥିଲା । ଅଭିଭାବକ ମହାସଂଘ ତରଫରୁ ୨୦୧୮ ଡ଼ିସେମ୍ବରରେ ସିବିଏସ୍ଇ ଆଞ୍ଚଳିକ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଏକ ଦାବି ପତ୍ର ପ୍ରଦାନ କରାଯାଇ ନିର୍ଦ୍ଦୋକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯାଇଥିଲା । ଗତ ମାସରେ ମଧ୍ୟ ଆଉ ଏକ ଦାବି ପତ୍ର ଦିଆଯାଇଥିଲା । କିନ୍ତୁ ପରିତାପର ବିଷୟ ଚଳିତ ଶିକ୍ଷାବର୍ଷରେ ସମସ୍ତ ବେସରକାରୀ ବିଦ୍ୟାଳୟ ଏହି ନିର୍ଦ୍ଦେଶକୁ ବେଖାତିର କରି ଘରୋଇ ପ୍ରକାଶନ ପୁସ୍ତକ କିଣିବା ପାଇଁ ଅଭିଭାବକମାନଙ୍କୁ ବାଧ୍ୟ କରୁଛନ୍ତି । କିଛି ବିଦ୍ୟାଳୟ ମଧ୍ୟ ପୁସ୍ତକ ନ କିଣିଲେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରେଶମୂଳକ ମନୋଭାବ ପୋଷଣ କରୁଥିବା ଘଟଣା ନଜରକୁ ଆସିଛି । ଆଞ୍ଚଳିକ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନାହାଁନ୍ତି । ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ପୁସ୍ତକ କିଣାରେ କୋଟି କୋଟି ଟଙ୍କାର କାରବାର ହୋଇଛି । ଏବେ ଏହା ଏକ ସ୍କାମରେ ପରିଣତ ହୋଇଛି । ପ୍ରଶ୍ନ ଉଠେକି ରାଜ୍ୟ ସରକାରଙ୍କ ଅଫିସର ଓ ସିବିଏସଇ କର୍ତ୍ତୃପକ୍ଷ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି କିମ୍ବା ପ୍ରକାରନ୍ତରେ ଏହି ଅନୈତିକ କାର୍ଯ୍ୟରେ ନିଜକୁ ସାମିଲ୍ କରି ଆର୍ଥିକ ଲାଭବାନ ହେଉଛନ୍ତି । ଉଭୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ·ଲିଛି । ଏହାର ପ୍ରତିବାଦ ସ୍ୱରୂପ ଆଜି ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ପ୍ରକାଶଥାଉକି ଚଳିତ ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ହିନ୍ଦି, ବିଜ୍ଞାନ ଓ ଗଣିତ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଯୋଗୁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ କିଛି ମାର୍କ ମଧ୍ୟ ହରାଇବା ଭଳି ମନେ ହେଉଛି । ହିନ୍ଦିରେ ଅଥବା ବ୍ୟତିକ୍ରମ ଯୋଗୁ ୮ ମାର୍କ ଛାତ୍ରଛାତ୍ରୀମାନେ ହରାଉଛନ୍ତି । ବିଜ୍ଞାନରେ ୩୦ ମାର୍କର ପ୍ରଶ୍ନ ଯୁକ୍ତ ଦୁଇ ସିଲାବସରୁ ପଡିଛି । ଗଣିତ ପ୍ରଶ୍ନପତ୍ର ସେଟ୍ଗୁଡ଼ିକ ମଧ୍ୟରେ ଅନେକ ଅସାମଞ୍ଜସ୍ୟ ରହିଛି । ଏ ସଂକ୍ରାନ୍ତରେ ୧୫ ଦିନ ତଳୁ ଓଡ଼ିଶା ଅଭିଭାବକ ସଂଘ ସିବିଏସ୍ଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କ ଦେବା ପାଇଁ ଦାବି ଜଣାଇଛି । ଏହା ସିବିଏସ୍ଇର ତ୍ରୁଟି ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଦୃଷ୍ଟିରୁ ଗ୍ରେସ୍ ମାର୍କ ଦେବା ନିତାନ୍ତ ଆବଶ୍ୟକ । ଆଜି ସକାଳୁ କାର୍ଯ୍ୟାଳୟକୁ ବନ୍ଦ କରିଦେବା ପରେ ଆଞ୍ଚଳିକ ଅଧିକାରୀ ଟି.କେ. ମାତେ, ପୋଲିସ୍ ପ୍ରଶାସନ ଓ ମହାସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଆଞ୍ଚଳିକ ଅଧିକାରୀ କଣ୍ଟ୍ରୋଲ ଅଫ୍ ଏକ୍ଜାମିନେସନକୁ ଏ ସଂକ୍ରାନ୍ତରେ ତୁରନ୍ତ ଅବଗତ କରାଇବା ସହିତ ସଠିକ୍ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ ଏବଂ ଏନ୍ସିଇଆରଟି ପୁସ୍ତକ ଲାଗୁ କରିବା କ୍ଷେତ୍ରରେ ଅବହେଳା କରୁଥିବା ସ୍କୁଲ୍ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆନ୍ଦୋଳନ ·ଲୁଥିବା ସମୟରେ କାର୍ଯ୍ୟାଳୟର ସୁସିଲ କୁମାର ନାମକ ଜନୈକ ଅଣଓଡ଼ିଆ ଅଫିସର ସଂଘର କର୍ମକର୍ତ୍ତାଙ୍କୁ ଅଶାଳୀନ ଗାଳିଗୁଲଜ କରିବା ପରେ ଏକ ଗୋଳମାଳିଆ ପରିସ୍ଥିତି ଓ ଧସ୍ତାଧସ୍ତି ହୋଇଥିଲା । ଏଥିରେ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଓ ସଞ୍ଜୟ ମହାପାତ୍ର ଆହତ ହୋଇଥିଲେ । ଏ ସଂକ୍ରାନ୍ତରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଅଭିଯୋଗ କରାଯାଇଛି । ଆଜିର ଏହି ଧାରଣା ଓ ପ୍ରତିବାଦରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ମନୋଜ ଜେନା, ମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା, ଅଶୋକ ପାଇକରାୟ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଲିଲି ଜେନାମଣି, ଶୁଭ୍ରଜିତ ମହାନ୍ତି, ମିନତୀ ଖୁଣ୍ଟିଆ, ସଞ୍ଜୟ ମହାପାତ୍ର, ପ୍ରଦୀପ ସେଠୀ, ଦୋବଶିଷ ପଟ୍ଟନାୟକ, ପ୍ରସନ୍ନ ସାହୁ, ସଞ୍ଜୟ ନାୟକ, ରଶ୍ମି ସରଣ, ଅଶୋକ ସାହୁ, ଆଲୋକ ନାୟକ ଏବଂ ଓଡ଼ିଏମ୍ ଓ ନାରାୟଣ ସ୍କୁଲ୍ର ବହୁ ଅଭିଭାବକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ