ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତାମାନଙ୍କର ରାଜ୍ୟସ୍ତରୀୟ ସମାବେଶ ପାଇଁ ପ୍ରସ୍ତୁତି
ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚ ପକ୍ଷରୁ ମଞ୍ଚର ସଭାପତି ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଉଠାଜଳ ସେଚନ କର୍ମଚାରୀ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ମାସର ରାଜ୍ୟସ୍ତରୀୟ ସମାବେଶ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଜିଲ୍ଲାର ଜମାକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠିତ କରି ଏହି ମହା ସମାବେଶ ଅନୁଷ୍ଠିତ ହେବ । ସାହାରା ଇଣ୍ଡିଆ ଜମାକାରୀଙ୍କ କଷ୍ଟାର୍ଜିତ ଅର୍ଥ ଫେରି ପାଇବା ଓ କାର୍ଯ୍ୟକର୍ତ୍ତାମାନଙ୍କ ଆଇନଗତ ପ୍ରାପ୍ୟ ଦାବିରେ ଏହି ସମାବେଶ ଅନୁଷ୍ଠିତ ହେବ । ଓଡ଼ିଶାରୁ ସଂସଦର ଉଭୟ ଗୃହରେ ପ୍ରତିନିଧିତ୍ୱ କରୁଥିବା ସାଂସଦମାନଙ୍କୁ ଇତିମଧ୍ୟରେ ଦାବିପତ୍ର ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।ଆସନ୍ତା ୨୦ ତାରିଖ ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ଗୃହରାଷ୍ଟ୍ରମନ୍ତ୍ରୀ, ଲୋକସଭା ବାସସ୍ପତି ଓ ବିରୋଧି ଦଳ ନେତାଙ୍କୁ ଦାବିପତ୍ର ଜରିଆରେ ସାହାରା ଇଣ୍ଡିଆ କଂପାନୀ ଓ ଇଡ଼ି ମଧ୍ୟରେ ଚାଲିଥିବା ମୋକଦ୍ଦମା ସମାଧାନ ଦିଗରେ କେନ୍ଦ୍ରସରକାର ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯିବ । ଓଡ଼ିଶାରେ ସାହାରା ଇଣ୍ଡିଆ କମ୍ପାନୀ ନିଜସ୍ୱ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଦେଉଥିବାରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି । କଂପାନୀର ଏତାଦୃଶ ଆଚରଣକୁ ବୈଠକରେ ଦୃଢ଼ନିନ୍ଦା କରାଯାଇଛି । ମଞ୍ଚର ଆଗାମୀ କାର୍ଯ୍ୟକ୍ରମରେ ସମସ୍ତ ଜମାକାରୀ, ଏଜେଣ୍ଟ ଓ ଅଫିସ୍ କର୍ମଚାରୀ ଐକ୍ୟବଦ୍ଧ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି ।ଏହି ବୈଠକରେ ମଞ୍ଚର ସାଧାରଣ ସଂପାଦକ କାର୍ତ୍ତିକ ଚାନ୍ଦ ଜମାକାରୀମାନଙ୍କର ଓ କାର୍ଯ୍ୟକର୍ତ୍ତାଙ୍କ ଦୁର୍ଦ୍ଦଶା ସଂପର୍କରେ ବିଶଦ ଆଲୋଚନା କରି ମଞ୍ଚକୁ ସୁଦୃଢ଼ କରିବାକୁ ଉପସ୍ଥିତ ସଦସ୍ୟ, ସଦସ୍ୟାଙ୍କୁ ନିବେଦନ କରିଥିଲେ । ବାଲେଶ୍ୱର ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ତଥା ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକଙ୍କ ସମେତ ଶରତ ଚନ୍ଦ୍ର ଦଳାଇ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ସାହାରା ଇଣ୍ଡିଆ କଂପାନୀ ବିରୋଧରେ ତୁରନ୍ତ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ସେମାନଙ୍କ ବକ୍ତବ୍ୟରେ ଦାବି କରିଥିଲେ । ମଞ୍ଚର କର୍ମକର୍ତ୍ତା ରଜତ ପାଣିଗ୍ରାହୀ, କାଶିନାଥ ନାୟକ, ମନୋଜ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥବଲେ । ଲକ୍ଷ୍ମୀଧର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।