ନାଉଗାଁ ପଂଚାୟତ ସମିତି ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ପଂଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଡିପିଓ ବାସନ୍ତୀ ମାଇନ ଅଙ୍ଗନୱାଡିି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଡାବର ପଂଚାୟତର ସମିତି ସଭ୍ୟ ସୁବଳ ବେହେରା ଦେଓପଡା ଅଙ୍ଗନୱାଡି କେନ୍ଦ୍ର ଖୋଲିବା ଉପରେ ପ୍ରଶ୍ନ କରିବା ସହିତ ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଅଣ୍ଡା, ଛତୁଆ ଠିକ୍ ଭାବେ ପ୍ରଦାନ କରାଯାଉ ନଥିବା, ଅଧିକାଂଶ ସମୟରେ କେନ୍ଦ୍ର ବନ୍ଦ ରହୁଥିବା, ପିଲାମାନଙ୍କୁ କଂଚା ଅଣ୍ଡା ପ୍ରଦାନ କରାଯାଉଥିବା ବିଷୟରେ ପ୍ରଶ୍ନ କରିଥିଲେ । ଏପରିକି ସିଡିପିଓ ଠିକ ଭାବେ କେନ୍ଦ୍ର ଗୁଡିକୁ ପରିଦର୍ଶନରେ ଯାଉ ନଥିବା କହିଥିଲେ । ଯଦି ସିଡିପିଓ ପରିଦର୍ଶନରେ ଯାଉଛନ୍ତି ତେବେ ତାର ଫଟୋ ଦେଖାନ୍ତୁ ବୋଲି କହିଥିଲେ । ସମିତି ସଭ୍ୟ ବେହେରାଙ୍କ ପ୍ରଶ୍ନର ଉତରରେ ଏମିତି ବେକାର କଥା କୁହନ୍ତୁ ନି, ମୁଁ ପ୍ରତି ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଯାଇଛି ବୋଲି କହିବାରୁ ସମିତି ସଭ୍ୟ ଏହାର ପ୍ରତିବାଦ କରିଥିଲେ । ଗୃହରେ ତାଙ୍କୁ ଅପମାନିତ କରାଯାଉଥିବା କହି ସମସ୍ତ ପଂଚାୟତ ପ୍ରତିନିଧିମାନେ ନିଜ ସ୍ଥାନରୁ ଉଠି ବାହାରକୁ ଯିବା ପାଇଁ ଉଦ୍ୟମ କରିଥିଲେ । ବୋଦଳ ଅଙ୍ଗନୱାଡିି କେନ୍ଦ୍ର ଆଦୌ ଖୋଲା ଯାଉ ନଥିବା ଅଧ୍ୟକ୍ଷା ତୃଷ୍ଣା ଲେଙ୍କା କହିଥିଲେ । ଶାଳଜଙ୍ଗା ଓ ଚାନ୍ଦପୁରା ଅଙ୍ଗନୱାଡିି କେନ୍ଦ୍ର ଅଧିକାଂଶ ସମୟ ବନ୍ଦ ରହୁଥିବା ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ ପ୍ରଶ୍ନ କରିଥିଲେ । ସେହିପରି ଅନ୍ୟ ପଂଚାୟତ ପ୍ରତିନିଧିମାନେ ସିଡିପିଓଙ୍କୁ ଅଙ୍ଗନଓାର୍ଡି ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସିଡିପିଓ ଏହାର ସନ୍ତୋଷଜନକ ଉତର ଦେଇପାରିନଥିଲେ । ବିଡିଓ ତପନ ମହାପାତ୍ର ସମସ୍ତଙ୍କୁ ବୁଝାଇବା ପରେ ପଂଚାୟତ ପ୍ରତିନିଧିମାନେ ନିଜ ସ୍ଥାନରେ ବସିଥିଲେ । ଶେଷରେ ସିଡିପିଓ ଗୃହରେ କ୍ଷମା ପ୍ରାର୍ଥନା ମାଗିଥିଲେ । ସେହିପରି ଖାଉଟି ସାମଗ୍ରୀ ବଂଟନ ସମୟରେ ଡିଲରମାନେ ହିତାଧିକାରୀଙ୍କୁ କମ ଚାଉଳ ପ୍ରଦାନ କରିବା,ଯେଉଁ ହିତାଧିକାରୀମାନେ ଦୀର୍ଘ ଦିନ ହେବ ଚାଉଳ ନେଉ ନାହାନ୍ତି ସେମାନଙ୍କ କାର୍ଡକୁ ରଦ୍ଦ କରି ଯୋଗ୍ୟ ହିତାଧିକାରୀଙ୍କୁ ସଂଯୋଗ କରିବା, ଯେଉଁ ଦିନ ଡିଲର ପଂଏଟରେ ଟିପ ଛାପ ନିଆଯାଇଛି ସେହିଦିନ ଯୋଗାଣ ସାମଗ୍ରୀ ଯୋଗାଇ ଦେବା, ପ୍ରତ୍ୟେକ ଡିଲର ପଂଏଟରେ ବୋର୍ଡ ମାରିବା ପାଇଁ ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ବଛାଳୋ ପଂଚାୟତ ସଭ୍ୟ ଚନ୍ଦନ ଲେଙ୍କା, ଘୋଡାଂଶ ସରପଂଚ ନିହାର ରଂଜନ ବସ୍ତିଆ କହିଥିଲେ । ସେହିପରି ପୂର୍ବ ସରକାରଙ୍କ ସମୟରେ ପ୍ରତି ଖାଉଟି କାର୍ଡଧାରୀଙ୍କୁ ପ୍ରଦାନ କାରଯାଉଥିବା ୧ହଜାର ଟଙ୍କା ଓ ୨ଟି ବ୍ୟାଗ ବ୍ଳକରେ ଅନେକ ହିତାଧିକାରୀ ପାଇ ନ ଥିବା ଉପାଧ୍ୟକ୍ଷ ସୁଜିତ ପୁହାଣ କହିଥିଲେ । ବ୍ଳକରେ ସମୁଦାୟ ୭୪୯ଜଣ ହିତାଧିକାରୀ ୭ ଲକ୍ଷ ୪୯ହଜାର ଟଙ୍କା ପାଇ ନଥିବା ବ୍ଳକ ଯୋଗାଣ ନିରୀକ୍ଷକ ପ୍ରଦିପ୍ତ ପ୍ରସନ୍ନ ନାୟକ କହିଥିଲେ । ଏ ବିଷୟରେ ଉପରିସ୍ଥ ଅଧୀକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଥିଲେ । ସେହିପରି ବର୍ଷା ହେଲେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି । କେନ୍ଦ୍ର ପରିସରରେ ଡ୍ରେନଜ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ମାନସ ମହାପାତ୍ର ଗୃହରେ ଜଣାଇଥିଲେ । ସେହିପରି ଓଭରଲୋଡିଂ ବାଲି ଗାଡି ଯିବା ଦ୍ୱାରା ନଦୀ ବନ୍ଧ ବିପର୍ଯ୍ୟସ୍ତ ହୋଇପଡୁଛି । ସରକାରଙ୍କ ନିୟମାନୁସାରେ ଜୁନ୍ ୧ ଠାରୁ ଅର୍ଥାତ ବର୍ଷା ଦିନ ଆରମ୍ଭ ହେଲେ ବନ୍ଧରେ ଗାଡି ଯିବା ନିଷେଧ କରାଯାଇଛି । କିନ୍ତୁ ବାଲି ସୈରାତରୁ ଦିବା ରାତି ବାଲି ପରିବହନ ଯୋଗୁ ଗଳଦାରୀ ,ଏରେଡା, ଶିଖର, ପୋକାମୂଳ ନଦୀ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି । ତେଣୁ ବାଲି ସୈରାତରୁ ଓଭର ଲୋଡିଂ ବାଲି ଗଲେ ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ସଂପଦ ବିଭାଗକୁ ବିଡିଓ ତପନ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସେହିପରି ଡାବର ପଂଚାୟତର ଦେଓପଡା-ଡାବର ସଂଯୋଗୀକରଣ ରାସ୍ତା, ନନ୍ଦିଗ୍ରାମ-ଦେଓପଡା ରାସ୍ତାକୁ ସଂଯୋଗୀକରଣ କରିବା ପାଇଁ ବାରମ୍ବାର ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବା ଡାବର ସଭ୍ୟ ସୁବଳ ବେହେରା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନରେଗାରେ ୧ଲକ୍ଷ ୨୫ଶହ ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତମାନ ୨ ହଜାର ୩ ଶହ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋତିର୍ମୟ ନାୟକ ସୂଚନା ଦେଇଥିଲେ । ମନରେଗାରେ କାର୍ଯ୍ୟ କରାଯାଇଥିବା ପ୍ରକଳ୍ପ ଗୁଡିକର ବିଲ କରିବା ପାଇଁ ପଂଚାୟତ ପ୍ରତିନିଧିମାନେ କହିଥିଲେ । ଏହି ବୈଠକେରେ ପୂର୍ତ ଓ ଫେରଷ୍ଟ ବିଭାଗର କୌଣସି ଅଧିକାରୀ ଯୋଗ ଦେଇ ନ ଥିବା ବେଳେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଓ ତିରୁଣା ପଂଚାୟତ ସମିତି ସଭ୍ୟାଙ୍କ ପରିବର୍ତେ ତାଙ୍କ ସ୍ୱାମୀ ଯୋଗ ଦେଇଥିଲେ । ଏହି ବେଠକରେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ସୁଜିତ ପୁହାଣ, ବିଡିଓ ତପନ ମହାପାତ୍ର, ଜିଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ,ମମତା ପରିଡା, ଜିପିଡିଓ ଦିନେଶ ରାୟ, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ ଆଦିଙ୍କ ସମେତ ବିଭାଗୀୟ ଅଧୀକାରୀ ଓ ପଂଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ