ଡ୍ରିମ ଇଲେଭେନ ଗେମ ଖେଳି ଠକାମିର ଶିକାର ହେଲେ ଯୁବକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମୋବାଇଲ ଖୋଲିଲେ ବିଭିନ୍ନ ଖେଳ ଖେଳିବାକୁ ଆକର୍ଷଣୀୟ ଅଫର ର ବିଜ୍ଞାପନ ଦେଖିବାକୁ ମିଳୁଛି। ଏହି ବିଜ୍ଞାପନ ଦେଖି ଆଜିର ଯୁବ ପିଢ଼ି ଏହି ଖେଳରେ ସମୟ ବିତାଇ ଠକାମିର ଶିକାର ହେଉଛନ୍ତି। ଡ୍ରିମ ଇଲେଭେନ ଗେମ ଖେଳି ଗତକାଲି ହାତଡ଼ିହି ବ୍ଲକ କଇଥ ଗଡ଼ିଆ ଗ୍ରାମର ଜଣେ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ସେ ଜିତିଥିବା ୯୦ଲକ୍ଷ ଟଙ୍କା ହରାଇବା ସହିତ ନିଜ ହାତରୁ ୧୯୫୦ଟଙ୍କା ହରାଇବାକୁ ପଡିଛି। ଠକାମିର ଶିକାର ହୋଇଥିବା କଇଥ ଗଡ଼ିଆ ଗ୍ରାମର ଦେବୀପ୍ରସାଦ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ସେ ଡ୍ରିମ ଇଲେଭେନ ଗେମ ଗତ ଆଇ ପି ଏଲ ମ୍ୟାଚ ଠାରୁ ଖେଳିଆସୁଛନ୍ତି। ସେ ପୂର୍ବରୁ ଅଳ୍ପ ଅଳ୍ପ ଟଙ୍କା ଜିତୁଥିବା ବେଳେ କିଛି କିଛି ଟଙ୍କା ହରାଉଥିଲେ। ଗତକାଲି ଭାରତ ଜିମ୍ବାୱେ ମ୍ୟାଚ ରେ ସେ ୮ଟିମ କରି ଖେଳୁଥିଲେ। ମ୍ୟାଚ ସରିବା ବେଳକୁ ସେ ୧ନମ୍ବର ରେଙ୍କ ରେ ଥିବାବେଳେ ୯୦ଲକ୍ଷ ଜିତିଥିବା ଦର୍ଶାଯାଇଥିଲା। ତେଣୁ ସେ ଖୁସିରେ ଆତ୍ମ ବିଭୋର ହୋଇ ଯାଇଥିଲେ। ଏପରିକି ସାଙ୍ଗ ସାଥୀମାନେ ତାଙ୍କୁ ଘେରି ଖୁସି ମନାଉଥିଲେ। କିନ୍ତୁ ସେ ଖୁସି ବେଶୀ ସମୟ ରହି ନଥିଲା। ଦେବୀପ୍ରସାଦଙ୍କ ଏକାଉଣ୍ଟ ରେ ଟଙ୍କା ଶୋ କରିବାରେ ବିଳମ୍ବ ଘଟିବାରୁ ସେ ବ୍ୟସ୍ତ ହୋଇପଡିଥିଲେ। ଏହି ସମୟରେ ହଠାତ ୯୧୬୬୧୦୭୯୦୯ ନମ୍ବରରୁ ଏକ ହ୍ଵାଟ୍ସଆପ କଲ ଆସିଥିଲା। ଏଥିରେ କଲ କରିଥିବା ଯୁବକ ଜଣକ ଏକ ଓଟିପି ଯିବ, ଓଟିପି ନମ୍ବର ଦେଲେ ତୁମେ ଜିତିଥିବା ଟଙ୍କା ସୋ କରିବ ବୋଲି କହି ଓଟିପି ନମ୍ବର ନେଇଥିଲେ। ଓଟିପି ନମ୍ବର ଦେବାପରେ ତାଙ୍କ ଆଇ ଡି ହ୍ୟାକ ହୋଇଯାଇଥିଲା। ଆଉ କିଛି ବି ଖୋଲି ନଥିଲା। ପରେ ଦେବୀପ୍ରସାଦ ତାଙ୍କୁ ଯୋଗାଯୋଗ କରିବା ପରେ ତୁମେ ୧୯୫୦ ଟଙ୍କା ଜମା କର ସେ ଆଇଡ଼ ଆକ୍ଟିବ ହୋଇଯିବ ବୋଲି କହିଥିଲେ। ଦେବୀପ୍ରସାଦ ତରବର ହୋଇ ୧୯୫୦ ଟଙ୍କା ସେହି ନମ୍ବର ରେ ଫୋନ ପେ ନାଧ୍ୟମରେ ଜମା କରିଥିଲେ। ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ ନା ତାଙ୍କର ଆଇଡି ଖୋଲିଥିଲା ନା ଟଙ୍କା ଆସିଥିଲା। ଏପରିକି କିଛି ସମୟ ପରେ ରେଙ୍କ୧ରେ ଥିବା ତାଙ୍କ ନାମ ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା। ସେ ବାରମ୍ବାର ଫୋନ କରିଥିଲେ ବି ସେ ଫୋନ ସୁଇଚ ଅଫ ଦେଖାଇଥିଲା। ଫଳରେ ସେ ଠକାମିର ଶିକାର ହେଉଥିବା ଜାଣିବାକୁ ପାଇଥିଲେ। ଏହାଦ୍ୱାରା ସେ ମାନସିକ ଅଶାନ୍ତି ଭୋଗ କରିବା ସହିତ ଏପରି ଖେଳରେ ପଡି ଠକାମିରୁ ଦୁରେଇ ରହିବାକୁ ଆଜିର ଯୁବ ପିଢିଙ୍କୁ ନିବେଦନ କରିଛନ୍ତି।