ଛତ୍ରପୁରରେ ବାହୁଡା଼ ଯାତ୍ରା ପାଳିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ):ଜନ୍ମ ବେଦୀରୁ ରତ୍ନ ବେଦିକୁ ବାହୁଡ଼ିଲେ ମହାବାହୁ l ନବ ଦୀନାତ୍ମକ ଯାତ୍ରା ସାରି ମହାବାହୁ ନିଜ ମନ୍ଦିରକୁ ଫେରିଲେ ଶ୍ରୀ ଜୀଉ l ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନିଜ ମାଉସୀ ମା ଘରକୁ ଯାଇ ସେଠାରେ ବିଭିନ୍ନ ବେଶରେ ଦର୍ଶନ ଦେଇଥିଲେ ମହାବାହୁ l ଏହି ଯାତ୍ରା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନ ଚଳ ଚଞ୍ଚଳ ହୋଇପଡିଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ମଧ୍ୟ ବେଶ ଉତ୍ସବ ମୁଖର ହୋଇପଡିଛି l ଛତ୍ରପୁର ସହରର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦିନ ବେଳେ ଠାକୁରଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡି କରାଯାଇ ରଥ ଉପରେ ବିଜେ କରାଯାଇଥିଲା l ଅପରାହ୍ନ ୪ ଟାରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେହିପରି ସହର ସ୍ଥିତ ଦାସିରି ଜଗନ୍ନାଥ ମନ୍ଦିର, ରେଡ୍ଡୀକା ସାହି ଜଗନ୍ନାଥ ମନ୍ଦିର ସମେତ ଛତ୍ରପୁର ବ୍ଲକର ବିରିସିଂହୀ ସ୍ଥିତ ଜଗନ୍ନାଥ ମନ୍ଦିର, ଲଣ୍ଡାବାଉଁଶ ଆଦି ଗ୍ରାମରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥିଲା l ବୁଧବାର ରଥ ଉପରେ ବଡ଼ ଏକାଦଶୀ, ସୁନାବେଶ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଗୁରୁବାର ଦିନ ନୀଳାଦ୍ରି ବିଜେ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ