ଜୁଲାଇ ୧୮ରେ ପରିବେଶ ରତ୍ନ ସମ୍ମାନ ସମାରୋହର ତୃତୀୟ ସଂସ୍କରଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଆସନ୍ତା ୧୮ ଜୁଲାଇ, ୨୦୨୪ତାରିଖରେ ପରିବେଶ ରତ୍ନ ସମ୍ମାନ ସମାରୋହର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପରିବେଶ ବିଜ୍ଞାନୀ, ବୁଦ୍ଧିଜୀବି ତଥା ପରିବେଶପ୍ରେମୀମାନେ ଏକାଠି ହେବେ । ଏହି ଅବସରରେ ‘ଜଳବାୟୁ ପରିବର୍ତ୍ତନ; ଆହ୍ୱାନ ଏବଂ ସୁଯୋଗ’ ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଉପରେ କାମ କରି ଆସୁଥିବା ବୈଜ୍ଞାନିକ, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନେ ଅଂଶଗ୍ରହଣ କରି ନିଜର ମତ ରଖିବେ । ତା ସହିତ ପରିବେଶ ସୁରକ୍ଷାରେ ବ୍ରତୀ ଥିବା କିଛି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ପରିବେଶ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ।ଅନୁଷ୍ଠାନ ପକ୍ଷରୁ ସୋମବାର ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର କହିଥିଲେ କି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦୀର୍ଘ ଦିନ ହେବ ପରିବେଶ ସୁରକ୍ଷା ଦିଗରେ କାମ କରି ଆସୁଅଛି । ଆମେ ଦୀର୍ଘ ବର୍ଷ ହେବ ବର୍ଷାଋତୁ ଆରମ୍ଭରେ ବିଭିନ୍ନ ସ୍ଥାନରେ ସାମୂହିକ ଚାରାରୋପଣ କାର୍ଯ୍ୟକ୍ରମମାନ ଆୟୋଜନ କରି ଆସୁଛୁ । ଆମେ ଦେଖିବାକୁ ପାଇଲୁ ଆମ ପରି ଅନେକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମଧ୍ୟ ଏମିତି ପରିବେଶ ସୁରକ୍ଷାରେ ନିଜକୁ ବ୍ରତୀ କରିଛନ୍ତି । ସେହି ସମାନ ଚିନ୍ତାଧାରା ରଖିଥିବା ପରିବେଶପ୍ରେମୀ, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ଟିକିଏ ଉତ୍ସାହିତ କରିବା ପାଇଁ, ଟିକିଏ ସହଯୋଗ କରିବା ପାଇଁ ଆମେ ଗତ ୩ ବର୍ଷ ହେବ ପରିବେଶ ରତ୍ନ ସମ୍ମାନ ଦେଇଆସୁଛୁ । ତା ସହ ଗୋଟିଏ ଜାତୀୟସ୍ତରୀୟ ଆଲୋଚନାଚକ୍ର ମଧ୍ୟ ଆୟୋଜିତ କରୁଛୁ ଯାହାର ଶୀର୍ଷକ ହେଉଛି, ‘ବଳବାୟୁ ପରିବର୍ତ୍ତନ; ଆହ୍ୱାନ ଏବଂ ସୁଯୋଗ’ । ଆମର ଏ ଛୋଟିଆ ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସି କାମ କରିବାକୁ ନିଶ୍ଚିତ ପ୍ରେରଣା ଦେବ ବୋଲି ଆଶା । ଚଳିତବର୍ଷ ଆମେ କିଛି ସାମାଜିକ ପ୍ରତିବଦ୍ଧତାରେ ଆଗ୍ରହ ରଖିଥିବା ଉଦ୍ୟୋଗମାନଙ୍କୁ ଆମ ସହ ସାମିଲ କରିଛୁ ଯେଉଁମାନେ ନିରନ୍ତର ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଜନସଚେତନତା ସୃଷ୍ଟି କରିଚାଲିଛନ୍ତି । ତା ସହ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ପଦକ୍ଷେଗ ଗ୍ରହଣ କରି ଆସିଛନ୍ତି । ଭବିଷ୍ୟତରେ ଏକ ସୁସ୍ଥ ତଥା ସୁନ୍ଦର ପୃଥିବୀ ପାଇଁ ଅଧିକରୁ ଅଧିକ ବ୍ୟକ୍ତିବିଶେଷ, ଉଦ୍ୟୋଗ ଏବଂ ଅନୁଷ୍ଠାନମାନ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ ।ଅନୁଷ୍ଠାନର ଓଡ଼ିଶା ମୁଖ୍ୟ ରବିନ୍ଦ୍ରନାଥ ରାଉତରାୟ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ଏବଂ ସମସ୍ତ ଗଣମାଧ୍ୟମ ବନ୍ଧୁମାନଙ୍କୁ ପରିବେଶ ସୁରକ୍ଷା ଓ ସଚେତନତା ନେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ. ସୁକାନ୍ତି ମିଶ୍ର, ପ୍ରତିଷ୍ଠାତା ସଦସ୍ୟ ଅବସରପ୍ରାପ୍ତ ଆଇଏଏସ୍ ଅକ୍ଷୟ କୁମାର ପାଣି, ଆଇନଜୀବୀ ବିରଜା ମିଶ୍ରଙ୍କ ସମେତ ପ୍ରମୁଖ କମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ