‘ଝୁମା ଝୁମା ଗୋଲାପି ବେଳାରେ’ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କୁ ‘ପ୍ରଜାପତି ଗୀତିକବି ସମ୍ମାନ-୨୦୨୪’
ବାଲେଶ୍ୱର, (ସରୋଜ ପଣ୍ଡା):ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ର ସାହିତ୍ୟ ଶାଖା ‘ଅକ୍ଷର’ ତରଫରୁ ଗଳ୍ପ ଓ କବିତା ପରେ ପ୍ରଥମ ରାଜ୍ୟସ୍ତରୀୟ ଗୀତି କବିତା ସମ୍ମାନ ପ୍ରଦାନ ଉତ୍ସବ ‘ଗୁଞ୍ଜରଣ’ ତା ୦୪-୦୮-୨୦୨୪ ରିଖ ସନ୍ଧ୍ୟାରେ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବ । ରାଜ୍ୟର ପ୍ରତିଷ୍ଠିତ ବର୍ଷିୟାନ୍ ମୟୁରଭଞ୍ଜ ଜିଲ୍ଲା ବାରିପଦା ନବାସୀ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଗ୍ରହଣ କରିବେ ‘ପ୍ରଜାପତି ଗୀତିକବି ସମ୍ମାନ-୨୦୨୪’ । ଗୀତିକାର ମହାନ୍ତି, ଚଳଚ୍ଚିତ୍ର – ‘ଫୁଲଚନ୍ଦନ’, ‘ଅଭିଳାଷ’, ‘ଗୋପରେ ବଢ଼ୁଛି କଳା କହ୍ନେଇ’, ‘ତୁମେ ହିଁ ସାଥୀ ମୋର’ ଓ ‘ମୋ ମନ ଖାଲି ତୋରି ପାଇଁ’ ଆଦି ୬ଟି ଚଳଚ୍ଚିତ୍ରରେ ଗୀତ ଲେଖିବା ସହ ‘ଝୁମା ଝୁମା ଗୋଲାପି ବେଳାରେ’ ଠୁଁ ‘ଶୃଙ୍ଗାର ଶତକ’ ଯାଏଁ ୮ ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତତ୍ସହିତ ଅନେକ କ୍ୟାସେଟ୍ରେ ଗୀତ ରଚା କରିବା ସହ ବହୁ ଅନୁଷ୍ଠାନରୁ ସମ୍ମାନ ଓ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ।ଓଡ଼ିଆ ଗୀତିକବିତା ସମାଜର ସଂପାଦକ ଓ କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ ସ୍ମୃତି ମଂଚ ‘କଳା ସୌରଭ’ର ସମ୍ପାଦକ କଟକ ଜିଲ୍ଲା ନିବାସୀ ଗୀତିକାର ଓ ଗୀତିକବି ପ୍ରେମଚାନ୍ଦ୍ ମହାନ୍ତିଙ୍କୁ ମଧ୍ୟ ପ୍ରଦାନ କରାଯିବ ‘ପ୍ରଜାପତି ସ୍ୱତନ୍ତ୍ର ଗୀତିକବିତା ସମ୍ମାନ – ୨୦୨୪’ । ଶ୍ରୀ ମହାନ୍ତିଙ୍କ ଗୀତିପୁସ୍ତକ ‘କେହି ଜଣେ’ ବେଶ୍ ପାଠକପ୍ରିୟ ଓ ଅନେକ କ୍ୟାସେଟ୍ରେ ଗୀତିକାର ହିସାବରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଅଛି ।ଆମ ମାଟିର ଗର୍ବ ଓ ଗୌରବ ବରେଣ୍ୟ ଗୀତିକାର ଶିବବ୍ରତ ଦାସଙ୍କୁ ଆୟୋଜିତ ମଞ୍ଚଟି ସମର୍ପିତ କରାଯିବ । ତାଙ୍କ ସ୍ମୃତି ସମ୍ମାନାର୍ଥେ ଆମ ମାଟିର ତିନିଜଣ ସଫଳ ଗୀତିକବି – ଭରତ ଚନ୍ଦ୍ର ଦାଶ, ସୁରଞ୍ଜନ ପାତ୍ର ଓ ଡ. ଦିଲ୍ଲୀପ ରଥଙ୍କୁ ତାଙ୍କ ଗୀତିକବିତା ରଚନାର ସଫଳତା ପାଇଁ ପ୍ରଦାନ କରାଯିବ – ‘ଆମ ମାଟିର ଗୀତିକବି-୨୦୨୪’ । ଆୟୋଜିତ ଉତ୍ସବ ‘ଗୁଞ୍ଜରଣ’ ରେ ସମ୍ମାନ ପ୍ରଦାନ କରାଯିବା ସହ ଗୀତିକାର ଶିବବ୍ରତ ଦାସ ଓ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କ ସଂଗୀତ ପରିବେଷଣା କରାଯିବ । ଏହି ଗୀତ ଓ ଗୀତିକବିତାର ଅପୂର୍ବ ମିଳନରେ ଗୁଞ୍ଜରିତ ହେବ ‘ଗୁଞ୍ଜରଣ’ର ସନ୍ଧ୍ୟା ବୋଲି ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ଜଣାଇଛନ୍ତି ।