ପାରିବାରିକ କଳହରୁ ଯୁବକଙ୍କ କୀଟନାଶକ ପିଇ ଆତ୍ମହତ୍ୟା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଡେଙ୍ଗାପଦର ଗ୍ରାମରେ I ପାରିବାରିକ କଳହରୁ ଡେଙ୍ଗାପଦର ଗ୍ରାମର ସ୍ଵର୍ଗତ ସୀମାଞ୍ଚଳ ନାୟକଙ୍କ ପୁଅ ସଞ୍ଜୟ ନାୟକ ଓରଫ୍ ଧୋବା (31) ମଦରେ କୀଟନାଶକ ମିଶାଇ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ସୂଚନା ପ୍ରକାରେ ସଞ୍ଜୟ ସାତ ବର୍ଷ ତଳେ ମାମୁଡିହ ଗ୍ରାମର ବନିତାଙ୍କୁ ବିବାହ କରିଥିଲା ଏବଂ ସଞ୍ଜୟର ଏକ ଭଉଣୀ ସଞ୍ଜୟର ଶଳାକୁ ବିବାହ କରୁଥିଲା I ସଞ୍ଜୟର ଘରେ ସ୍ତ୍ରୀ ବନିତା ସମେତ ଏକ ପାଞ୍ଚ ବର୍ଷର ଝିଅ, ପକ୍ଷାଘାତରେ ପୀଡ଼ିତା ବିଧବା ମାଆ ଗୀତା ନାୟକ ଏବଂ ଜଣେ ମାନସିକ ବିକାରଗ୍ରସ୍ତ ଭଉଣୀ ରହୁଥିଲେ I ସଞ୍ଜୟ ସୁରତରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା I କିନ୍ତୁ ବିବାହ ପରଠାରୁ କୌଣସି ନା କୌଣସି କାରଣକୁ ନେଇ ସଞ୍ଜୟର ସ୍ତ୍ରୀ ବନିତା ସହିତ ମତାନ୍ତର ଲାଗି ରହୁଥିଲା I ସଞ୍ଜୟ କିଛି ଦିନ ତଳେ ସୁରତ୍ ରୁ ଗାଆଁକୁ ଆସିଥିବା ବେଳେ ଦୁଇଦିନ ତଳେ ପାରିବାରିକ କଳହ ଯୋଗୁଁ ମଦରେ କୀଟନାଶକ ମିଶାଇ ପିଇ ଦେଇଥିଲା I ଏକଥା ଜଣାପଡ଼ିବା ପରେ ସଞ୍ଜୟକୁ ପ୍ରଥମେ ଗୋବରା,ତାପରେ ଭଞ୍ଜନଗର ଏବଂ ସେଠାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା I ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ସଞ୍ଜୟ ର ମୃତ୍ୟୁ ଘଟିଥିଲା I ସଞ୍ଜୟର ମୃତ୍ୟୁ ପରେ ସ୍ତ୍ରୀ ବନିତା, ପାଞ୍ଚ ବର୍ଷର ଝିଅ, ପକ୍ଷାଘାତ ଆକ୍ରାନ୍ତ ବିଧବା ମାଆ ଏବଂ ମାନସିକ ବିକାରଗ୍ରସ୍ତ ଭଉଣୀ ସମ୍ପୂର୍ଣ୍ଣରୂପେ ବେସାହାରା ହୋଇପଡିଛନ୍ତି I